ଆଜିଠାରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିବ କଂସର ରାଜୁତି

ଆଜି ଅଭିନିତ ହେବ ଦେବକୀ-ବସୁଦେବ ବିବାହ ଓ କଂସଙ୍କ ସିଂହାସନ ଆରୋହଣ ଦୃଶ୍ୟ

105

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡରେ ବିଶ୍ୱର ସର୍ବବୃହତ ରଂଗମଂଚରେ ୧୧ ଦିନ ଧରି ଚାଲିବ ଧନୁଯାତ୍ରା ମହୋତ୍ସବ । ଆଜି ଅପରାହ୍ନରେ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ରାଜଦରବାର ଅଭିମୁଖେ ବାହାରିବ ।

ଉଦଘାଟନୀ ସଂଧ୍ୟାରେ ରାଜକୀୟ ଆଡମ୍ବରରେ ଦେବକୀ-ବାସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ ଏବଂ ଦେବକୀ-ବସୁଦେବଙ୍କୁ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ହେବ । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଧନୁଯାତ୍ରାକୁ ନେଇ ଅମ୍ବାପାଲି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

କଳାକାର ଓ ଗ୍ରାମବାସୀ ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି । ଗାଁକୁ  ବନ୍ଧୁବାନ୍ଧବ ଆସିଗଲେଣି । ସମସ୍ତେ ନିଜ ନିଜ ଘରକୁ ସୁନ୍ଦର ଭାବେ ସଜେଇଛନ୍ତି । ଘର ଓ କାନ୍ଥକୁ ଲିପା ପୋଛା କରି ରଂଗ ଦେଇ ରଙ୍ଗୀନ ଆଲୋକରେ ସଜେଇଛନ୍ତି ଅମ୍ବାପାଲି ବାସିନ୍ଦା । ଗାଁର ସମସ୍ତ କାଂଥରେ କୃଷ୍ଣ ଲୀଳା ସମ୍ପର୍କୀତ ଚିତ୍ର ଅଙ୍କା ଯାଉଛି । ଯାହା ଗୋପପୁରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ଅନ୍ୟପଟେ ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ଓ ନନ୍ଦପୁରୀର ନିର୍ମାଣ ମଧ୍ୟ ଶେଷ ହୋଇଛି । ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମଥୁରା ପରି ଗୋପପୁରରେ ମଧ୍ୟ ଜାତୀୟସ୍ଥରର ସାସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ । ଏହାସହ ସର୍କସ ଓ ମୀନାବଜାର ଗୋପପୁର ଯାତ୍ରାର ମୁଖ୍ୟ ଆକର୍ଷଣ ହେବ ।