ଉଠିଯିବ କଂସ ଦରବାର :ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ସ୍ଥାନ ପରିବର୍ତନ ପ୍ରସ୍ତାବକୁ ବିରୋଧ

34

ବରଗଡ : ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ସ୍ଥାନ ପରିବର୍ତନକୁ ନେଇ ଦେଖା ଦେଇଛି ବିବାଦ । ଦୀର୍ଘବର୍ଷ ଧରି ବରଗଡ ହାଟପଦାରେ ହୋଇଆସୁଥିବା ମଥୁରା ନଗରୀକୁ ଲୋକମଣ୍ଡପ ପଡିଆକୁ ସ୍ଥାନାନ୍ତର କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ଜିଲ୍ଲାପାଳ ହେଲେ, ଏହାକୁ ବିରୋଧ କରି ବରଗଡ ମ୍ୟୁନିସିପାଲିଟିର ୫ କାଉନସିଲର ଓ ଧନୁଯାତ୍ରା ଆୟୋଜନ କମିଟିର ୫ ସଦସ୍ୟ ଇସ୍ତଫା ଦେଇଛନ୍ତି ।

ପୂର୍ବରୁ ଲୋକମଣ୍ଡପ ପଡିଆରେ କେବଳ ରଙ୍ଗମହଲ ହେଉଥିଲା । ଏବେ କିନ୍ତୁ ଲୋକମଣ୍ଡପ ପଡିଆରେ ରଙ୍ଗମହଲ ସହ ମଥୁରା ନଗରୀ ଓ କଂସ ଦରବାର ଆଦି କରିବାକୁ ପ୍ରସ୍ତାବ ଦେଇଛନ୍ତି ବରଗଡ ଜିଲ୍ଲାପାଳ । ଏଭଳି ହେଲେ ହାଟପଦା ତାର ଗୁରୁତ୍ୱ ହରାଇବା ଆଶଙ୍କା କରୁଛନ୍ତି ଇସ୍ତଫା ଦେଇଥିବା କାଉନସିଲର ଓ ଯାତ୍ରା କମିଟି ସଦସ୍ୟ ।

ଗତବର୍ଷ ମଧ୍ୟ ଜିଲ୍ଲାପାଳ ଅନୁରୂପ ପ୍ରସ୍ତାବ ଦେଇଥିବାରୁ ବିରୋଧ ହୋଇଥିଲା । ଏବଂ ଶେଷ ମୁହୂର୍ତରେ ସ୍ଥାନାନ୍ତର ପ୍ରସ୍ତାବକୁ ସ୍ଥଗିତ ରଖିଥିଲା ଜିଲ୍ଲା ପ୍ରଶାସନ । ଗୋଟିଏ ସ୍ଥାନରେ ଯାତ୍ରା ଆୟୋଜନ ହେଲେ ସୁରକ୍ଷା, ପାର୍କିଂ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବା ପ୍ରଶାସନ ପାଇଁ ସହଜ ହେବ । ସେଥିଲାଗି ଜିଲ୍ଲା ପ୍ରଶାସନ ଏଭଳି ପ୍ରସ୍ତାବ ଦେଇଥିବା କୁହାଯାଉଛି । ହେଲେ ମୂଳରୁ ଏହାକୁ ବିରୋଧ କରିବା ଆରମ୍ଭ ହେଲାଣି । ଏଭଳି ବିବାଦ ଭିତରେ ଏଥର ଧନୁଯାତ୍ରା ଆୟୋଜନ ନେଇ ଆଶଙ୍କା ଉପୁଜିଛି ।