ଜମୁଛି ବରଗଡ ଧନୁଯାତ୍ରା ! କୃଷ୍ଣ ବଳରାମଙ୍କ ମଥୁରା ଆଗମନ

54

କନକ ବ୍ୟୁରୋ : ମହାରାଜା କଂସଙ୍କୁ ଘାରିଛି ମୃତ୍ୟୁ ଚିନ୍ତା । ବହୁ ବରିଷ୍ଠ ରାଜା ଓ ପାରିଷଦଙ୍କ ସହ ଆଲୋଚନା ପରେ କରିଛନ୍ତି ବଡ ଷଡଯନ୍ତ୍ର । ମଥୁରାରେ ଧନୁଯାତ୍ରା ଆୟୋଜନ କରି ବଳରାମ କୃଷ୍ଣଙ୍କୁ ନିମନ୍ତ୍ରଣ କରିଛନ୍ତି । ସେମାନଙ୍କୁ ଡାକିବା ପାଇଁ ମଥୁରାକୁ ଯାଇଛନ୍ତି ମନ୍ତ୍ରୀ ଅକ୍ରୁର । ‘ଲେଖି ଅଛି କଂସ ହୋଇ ମହାରୁଷ / ଆରେ ଗୋପପତି ନନ୍ଦ । ଆଜ୍ଞା ପରମାଣେ ତତ୍କାଳେ ଚଳିବୁ / ନୋହିଲେ ଛେଦିବି ସ୍କନ୍ଦ..’ ଏଭଳି ଚିଟାଉ ନେଇ ଅକ୍ରୁରଙ୍କ ଗୋପପୁର ଗମନ ଦୃଶ୍ୟ ସହ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଧାରଣ, ଅକ୍ରୂରଙ୍କ କୃଷ୍ଣ-ବଳରାମ ଦର୍ଶନ, ଏବଂ ଗୋପପୁରକୁ ଯିବା ବାଟରେ ଯମୁନା ନଦୀରେ କୃଷ୍ଣପାଦ ଦର୍ଶନ ଦୃଶ୍ୟ ଅଭିନୀତ ହୋଇଥିଲା ।

dhanuyatra କଂସଙ୍କ ଚିଟାଉ ନେଇ କୃଷ୍ଣଭକ୍ତ ଅକ୍ରୁରଙ୍କ ଗୋପପୁର ଗସ୍ତ କରିଛନ୍ତି । ବାଟରେ ଯମୁନା ନଦୀରେ କୃଷ୍ଣପାଦ ଦର୍ଶନ କରିଛନ୍ତି । ଦୁଇ ଭାଇଙ୍କୁ ଦେଖିବାପରେ ଆନନ୍ଦରେ ଆଖିରୁ ଝରିଆସିଛି ଆନନ୍ଦାଶ୍ରୁ । ଗୋପପୁରରେ କୃଷ୍ଣ-ବଳରାମ ଗୋପାଳ ଗୋପାଙ୍ଗନାଙ୍କ ସହିତ ବନବିହାର ଓ ଲୁଚକାଳି , କୃଷ୍ଣଙ୍କ ଦ୍ୱାରା ଶଂଖଚୂଡ଼ ବଧ, ଶବରୀ ଠାରୁ କୃଷ୍ଣଙ୍କ କୋଳଖିଆ ଦୃଶ୍ୟ ଅଭିନୀତ ହୋଇଥିଲା ।

ଅନ୍ୟପକ୍ଷରେ ମହାରାଜ କଂସଙ୍କ ପରାକ୍ରମ ଜାରି ରହିଛି। ହେଲେ ଶୟନେ ସପନେ କୃଷ୍ଣଙ୍କ କଥା ମନକୁ ଆସୁଛି। କୃଷ୍ଣ ତାଙ୍କୁ ବଧ କରୁଥିବା ଦୃଶ୍ୟ ମହାପ୍ରତାପୀ କଂସଙ୍କୁ ବିଚଳିତ କରୁଛି । ଏହାସହ ବିଶ୍ୱର ଏହି ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଂଚରେ ଅଭିନୀତ ହୋଇଛି ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଧାରଣ, ବନବିହାର ଓ ଲୁଚକାଳି, ଶଙ୍ଖଚୂଡ ବଧ ଆଦି ଦୃଶ୍ୟ । ଧନୁଯାତ୍ରା ଦେଖିବାକୁ ଦର୍ଶକଙ୍କ ଭିଡ ଜମୁଥିବା ବେଳେ ଆସନ୍ତା ୨ ତାରିଖରେ ଏହା ଶେଷ ହେବ ।