ପାଖଉଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା : ଘୋଷଣା ହେଲା ତାରିଖ । ଜାନୁୟାରୀ ୧୧ରୁ ଆରମ୍ଭ

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ

165

କନକ ବ୍ୟୁରୋ : ପାଖେଇଲାଣି ବରଗଡ ଧନୁଯାତ୍ରା । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କମିଟି ଏହି ତାରିଖ ଚୟନ କରିଛି । ବୈଠକରେ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଏସପି ମୁକେଶ କୁମାର ଭାମୁ, ସାଂସଦ ପ୍ରଭାସ ସିଂହ, ବିଧାୟକ ଦେବେଶ ଆଚାର୍ଯ୍ୟ ସମୂହ ଯୋଗ ଦେଇଥିଲେ । ବୈଠକରେ ତାରିଖ ଚୟନ କରାଯାଇଛି । ଧନୁଯାତ୍ରା ଜାନୁୟାରୀ ୧୧ରୁ ଆରମ୍ଭ ହୋଇ ୨୧ରେ ସରିବ । ଧନୁଯାତ୍ରା ପାଇଁ ନୂତନ କମିଟି ମଧ୍ୟ ଗଠନ କରାଯାଇଛି । ଯେଉଁଥିରେ ସଭାପତି ଭାବେ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଉପସଭାପତି ଭାବେ ଏଡିଏମ୍ ତକିରାମ ମାଝି, ସଂପାଦକ ଭାବେ ଏସପି ମୁକେଶ କୁମାର ଭାମୁ ଏବଂ ଆବାହକ ଭାବେ ସୁରେଶ୍ୱର ଶତପଥୀଙ୍କୁ ଚୟନ କରାଯାଇଛି । ବୈଠକରେ ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇଛି । ଲାଇଟ୍, ସାଉଣ୍ଡ ବ୍ୟବସ୍ଥାକୁ ଉନ୍ନତ କରାଯିବ । ଶାନ୍ତି ଶୃଙ୍ଖଳାରେ କିଭଳି ଧନୁଯାତ୍ରା ସଂପନ୍ନ ହେବ ସେଥିପ୍ରତି ବୈଠକରେ ବିଶେଷ ଧ୍ୟାନ ଦିଆଯାଇଥିଲା ।

ଏହା ହେଉଛି ବରଗଡର ୭୦ ତମ ଧନୁଯାତ୍ରା । ଏହି ଦିନକୁ ପ୍ରତିବର୍ଷ ଅପେକ୍ଷା କରି ରହିଥାନ୍ତି ଲୋକ । ଏହାକୁ ନେଇ ପ୍ରତିବର୍ଷ ଲୋକଙ୍କ ମନରେ ଲାଗିରହିଥାଏ ଉତ୍ସାହ । ଯାତ୍ରା ପାଇଁ ଜଗମଗ ହେବ ବରଗଡ଼ । ଧନୁଯାତ୍ରାରେ ଗୋପପୁର ପାଲଟିବ ଅମ୍ବାପାଲି ଗାଁ ଓ ମଥୁରା ପାଲଟିବ ବରଗଡ଼ । ଯାତ୍ରା ଆରମ୍ଭରୁ ଶେଷ ଯାଏଁ ସଂପୂର୍ଣ୍ଣ ରୂପେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଥାଏ ଅମ୍ବାପାଲି ଗାଁ । ମଥୁରାରେ ମହାରାଜ କଂସଙ୍କ ରାଜତ୍ୱ ଦର୍ଶକଙ୍କୁ ଯେଉଁଭଳି ଆକର୍ଷିତ କରିଥାଏ, ଠିକ୍ ସେହିପରି ଗୋପପୁରରେ କୃଷ୍ଣଙ୍କଲୀଳା ଦେଖି ଆତ୍ମବିଭୋର ହୋଇପଡ଼ିଥାନ୍ତି ଦର୍ଶକ । ଧନୁଯାତ୍ରାକୁ ବାକି ରହିଲା ଆଉ କେଇଟା ଦିନ ।