ମରିଲା କଂସ, ସରିଲା ଯାତ୍ରା: ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ପାପୀ କଂସର ଜୀବନ ଯିବା ପରେ ବରଗଡ ଧନୁଯାତ୍ରାରେ ପଡିଲା ଯବନିକା

256

କନକ ବ୍ୟୁରୋ: ମଞ୍ଚାରୁ ପଡି ମାମୁ ମଲା… ଏଗାର ଦିନର ରାଜୁତି ସରିଲା । ମରିଲା କଂସ, ସରିଲା ଯାତ୍ରା । ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ଗଲା ପାପୀ କଂସର ଜୀବନ
କଂସ ବଧ ସହ ଶେଷ ହେଲା ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି କଂସଙ୍କ ରାଜୁତିରେ ପୂର୍ଣ୍ଣଛେଦ ପଡିବା ସହ ମହାରାଜଙ୍କ ଦରବାରରେ ପଡିଲା ଯବନିକା ।

ତେବେ ଆସନ୍ତାକାଲି ମହୋଦଧିରେ ସ୍ନାନ କରିବେ କଂସ ଭୁମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ । ସ୍ନାନ ପରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି କ୍ଷମା ମାଗିବେ । ମଞ୍ଚରେ କଂସ ଭୁମିକାରେ ଅଭିନୟ କଲା ବେଳେ ଗୋବିନ୍ଦଙ୍କ ଭତ୍ସନା କରିଥିବାରୁ ହାତ ଯୋଡି କ୍ଷମା ମାଗିବେ ଭୁବନେଶ୍ୱର ।

ଗତ ଡିସେମ୍ବର ୩୧ରେ ବରଗଡରେ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏଗାର ଦିନ ଧରି ଚାଲିଥିବା ଏହି ମୁକ୍ତାକାଶ ରଙ୍ଗମଞ୍ଚ ରେ ଚାଲିଥିଲା କଂସ ରାଜୁତି । ଏହା ସହ ଗୋପପୁରରେ ମଧ୍ୟ କୃଷ୍ଣଲୀଳାକୁ ମନଭରି ଉପଭୋଗ କରୁଥିଲେ ଦର୍ଶକ । ତେବେ ପୂରା ୧୧ ଦିନ ପାଇଁ ଦ୍ୱାପର ଯୁଗକୁ ଫେରିଯାଇଥିଲା ବରଗଡ । ମହାରାଜ କଂସଙ୍କ ମଥୁରା ନଗରୀ ବରଗଡ ପାଲଟିଥିବା ବେଳେ ଅମ୍ବାପାଲୀ ପାଲଟିଥିଲା ଗୋପପୁର । ଆଉ ଏହି ୧୧ ଦିନରେ କଂସ ନଗର ପରିକ୍ରମା ସହ ଭୁଲ କରୁଥିବା ଲୋକଙ୍କୁ ଦଣ୍ଡ ଦେଉଥିଲେ । ଆଉ ଆଜି ଭଗବାନ କୃଷ୍ଣଙ୍କ ହାତରେ ମାମୁ କଂସ ମଞ୍ଚରୁ ପଡି ମରିଛି ।