ବିଜେପୁର ଭୋଟ୍ ପାଇଁ ପ୍ରଶାସନର ପ୍ରସ୍ତୁତି । ୧୩୫ ଟି ସଂବେଦନଶୀଳ ବୁଥରେ ହେବ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ । ୧୪ଟି ବୁଥରେ ଲାଗିବ ସିସିଟିଭି

133

କନକ ବ୍ୟୁରୋ: ବିଜେପୁର ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର । ଶେଷ ମୁହୂର୍ତରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି ପକ୍ଷରୁ ପ୍ରଚାର ଦାୟିତ୍ୱରେ ଥିବା ନେତା, ମନ୍ତ୍ରୀ ଆଜି ଘର ଘର ବୁଲି ପ୍ରଚାର କରୁଛନ୍ତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ଓ ସୁଶାନ୍ତ ସିଂହଙ୍କ ସହ ସଂଜୟ ଦାସବର୍ମା ଓ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ପ୍ରାଚର କାର୍ଯ୍ୟ ଚଳାଇଛନ୍ତି । ସେପଟେ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଚାର ଚଳାଇଛନ୍ତି ।

ଏପଟେ ଆଗାମୀ ୨୧ ତରିଖରେ ବିଜେପୁର ଉପନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି ବରଗଡ ଜିଲ୍ଲା ପ୍ରଶାସନ । ଉପନିର୍ବାଚନ ପାଇଁ ବିଜେପୁରରେ ହୋଇଛି ୨୮୫ଟି ପୁଲିଂ ବୁଥ୍ । ଏହା ମଧ୍ୟରୁ ପ୍ରଶାସନ ୧୩୫ ଟି ବୁଥକୁ ସଂବେଦନଶୀଳ ବୋଲି ଚିହ୍ନଟ କରିଛି । ଏହି ସମସ୍ତ ସଂବେଦନଶୀଳ ବୁଥରେ ହେବ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ । ୭ଟି ବୁଥରେ ୱେବ କାଷ୍ଟିଂ କରାଯିବ । ୧୪ଟି ବୁଥରେ ସିସିଟିଭି ଲଗାଯିବା ସହ ୧୬ଟି ବୁଥରେ ଭିଡିଓଗ୍ରାଫି କରିବାକୁ ନିଷ୍ପତି ହୋଇଛି । ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯିବ ବୋଲି କହିଛନ୍ତି ବରଗଡ ଜିଲ୍ଲାପାଳ । ମୋଟ୍ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ୨୪ରେ ଭୋଟ୍ ଗଣତି ଓ ୨୭ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ।