ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଚୁଡ଼ି ବିକ୍ରି କରିଦେଲେ ମହିଳା ! ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟ ପାଣ୍ଠିକୁ ପ୍ରଦାନ ୧ ଲକ୍ଷ ୩୮ ହଜାର ଟଙ୍କା

206

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶବାସୀ ମର୍ମାହତ । ଚାରିଆଡ଼େ ପାକ୍ ବିରୋଧୀ ସ୍ୱର ଶୁଣିବା ପାଇଁ ମିଳୁଛି । ଏହାବ୍ୟତୀତ ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଅନେକ ଲୋକ ଆଗେଇ ଆସୁଛିନ୍ତି । ସହିଦ ହୋଇଥିବା ଯବାନ ପରିବାରକୁ ବିଭିନ୍ନ ଆଡୁ ସହାୟତା ମିଳୁଥିବା ବେଳେ ଉତ୍ତରପ୍ରଦେଶସ୍ଥିତ ବରେଲି ଜିଲ୍ଳାର ଜଣେ ସ୍କୁଲ୍ ପ୍ରିନ୍ସିପାଲଙ୍କ ବଦାନ୍ୟତା ଏବେ ବେଶ୍ ଚର୍ଚ୍ଚା ପାଲଟିଛି । ବରେଲିର ଏକ ବେସରକାରୀ ସ୍କୁଲ୍ ପ୍ରିନ୍ସିପାଲ୍ କିରଣ ଝାଗୱାଲ ସହିଦ ଯବାନଙ୍କ ପରିବାରକୁ ସହାୟତା ରାଶି ଦେବା ପାଇଁ ନିଜ ହାତରୁ ଚୁଡ଼ି ଖୋଲି ବିକ୍ରି କରି ଦେଇଛନ୍ତି । ଚୁଡ଼ି ବିକ୍ରି କରି ସେ ଯବାନଙ୍କ ପରିବାରକୁ ସେ ୧୩ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ୪୪ଜଣ ସିଆରପିଏଫ ଯବାନଙ୍କ ପରିବାରକୁ ୧ ଲକ୍ଷ ୩୮ ହଜାର ୩୮୭ ଟଙ୍କା ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟ ପାଣ୍ଠିକୁ ପ୍ରଦାନ କରିଛନ୍ତି  କିରଣ ଝାଗୱାଲ । ସୂଚନା ଅନୁସାରେ ସହିଦ ଯବାନଙ୍କ ପତ୍ନୀମାନଙ୍କ ବିକଳ କାନ୍ଦଣା ଦେଖି କିରଣ ଚିନ୍ତା କରିଥିଲେ କିପରି ସେମାନଙ୍କୁ ସାହାଯ୍ୟ କରିପାରିବେ ।  ତେଣୁ ସେ କିଛି ସାହାଯ୍ୟ କରିବା ପାଇଁ ମନ ବଳାଇଥିଲେ । କିନ୍ତୁ ତାଙ୍କ ପାଖରେ ଟଙ୍କା ନଥିଲା । ଫଳରେ ସେ ନିଜ ସୁନା ଚୁଡି ବିକିଦେଇଥିଲେ । ଏଥିରୁ ମିଳିଥିବା ଅର୍ଥକୁ ସେ ଦାନ କରିଦେଇଥିଲେ  ।

ଉଲ୍ଲେଖଯୋଗ୍ୟ, ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଇତି ମଧ୍ୟରେ ବିଭିନ୍ନ ଆଡୁ ସହାୟତା ମିଳିସାରିଛି । ସରକାରଙ୍କଠାରୁ ନେଇ ସେଲିବ୍ରେଟି ଓ ସାଧାରଣ ଲୋକ ସମସ୍ତେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗଭର ହୋଇଛନ୍ତି ।