ବାରଙ୍ଗ ଫାୟାରିଂ ଘଟଣା ଉପରୁ ହଟିଲା ପରଦା ! ବାନ୍ଧବୀ ପାଇଁ ବନ୍ଧୁକ ଧରିଲା ଅଭିଯୁକ୍ତ, ଗୁଳି ଫୁଟାଇ ସାଜିଲା ହତ୍ୟାକାରୀ ।

227

କନକ ବ୍ୟୁରୋ : ବାନ୍ଧବୀ ପାଇଁ ଅଭିଯୁକ୍ତ ସାଜିଥିଲା ହତ୍ୟାକାରୀ । ୬ ଦିନ ତଳେ ବାରଙ୍ଗରେ ଘଟିଥିବା  ମର୍ଡର ପ୍ଲଟ୍ ଉପରୁ ଆଜି ପରଦା ହଟାଇଛି ପୋଲିସ । ଆଉ ପୋଲିସ ଆଗରେ ଅଭିଯୁକ୍ତ କହିଛି, ହତ୍ୟା ଓ ଷଡଯନ୍ତ୍ରର ପୁରା କାହାଣୀ । ବାନ୍ଧବୀ ପାଇଁ ବନ୍ଧୁକ ଧରିଲା ଅଭିଯୁକ୍ତ । ଫୁଟାଇଲା ଗୁଳି, ସାଜିଲା ହତ୍ୟାକାରୀ । ହତ୍ୟା ଓ ଷଡ଼ଯନ୍ତ୍ରର ଏହି କାହାଣୀ ଯେତିକି ଲୋମଟାଙ୍କୁରା, ସେତିକି ନାଟକୀୟ । ନିଜ ବାନ୍ଧବୀ ପାଇଁ ଅଭିଯୁକ୍ତ ସାଜିଥିଲା ହତ୍ୟାକାରୀ । ପୋଲିସ ଆଗରେ ଅଭିଯୁକ୍ତ କହିଛି, ତାଙ୍କ ବାନ୍ଧବୀକୁ ନିର୍ଯାତନା ଦେଇଥିବାରୁ ସୁନୀଲଙ୍କ ଉପରକୁ ସେ ଚଳାଇଥିôଲା ଗୁଳି ।

ଅଭିଯୁକ୍ତ: ନିରଂଜନ ବେହେରା । ଘର: କଟକ ଲାଲବାଗ ଥାନା ଅଂଚଳ । ବଲିଉଡ୍ କାହାଣୀ ଭଳି ଏହି ହତ୍ୟାକାଣ୍ଡର କାହାଣୀ । ଏଥିରେ ରହିଛି ଅନୈତିକ ସଂପର୍କ, ନିର୍ଯାତନା ଓ ପ୍ରତିଶୋଧର ସାଂଘାତିକ ପରିଣାମ । ଅଭିଯୁକ୍ତ ନିରଂଜନ, ପୋଲିସ ଆଗରେ ଯାହା କହିଛି, ତାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ହଷ୍ଟେଲ ସୁପରାଭାଇଜର ଥିବା ମୃତ ସୁନୀଲ ରଂଜନ ସାହୁ, ପୂର୍ବରୁ ଢେଙ୍କାନାଳର ଏକ ଘରୋଇ କଲେଜରେ ଆଡମିନିଷ୍ଟ୍ରେଟିଭ୍ ଅଫିସର ଥିଲେ । ଅଭିଯୋଗ ହୋଇଛି, ସେହି କଲେଜରେ ଜଣେ ମହିଳା ଅଧ୍ୟାପିକାଙ୍କୁ ହଇରାଣ ହରକତ କରି ଆସୁଥିଲେ ସୁନୀଲ । ଏପରିକି ତାଙ୍କ ଅନିଚ୍ଛା ସତ୍ୱେ ଜୋରଜବରଦସ୍ତ ରଖୁଥିଲେ ଶାରୀରିକ ସଂପର୍କ । ଧକମ ଚମକ ଦେବା ସହ ଦେଉଥିଲେ ନିର୍ଯାତନା । ସଂପୃକ୍ତ ଅଧ୍ୟାପିକାଙ୍କ ଦରମା ଅଟକାଇ ଦେବା ଓ ତାଙ୍କ ଠାରୁ ଟଙ୍କା ଛଡାଇ ଦେବା ଭଳି ଅଭିଯୋଗ ମଧ୍ୟ ରହିଥିଲା ସୁନୀଲଙ୍କ ଉପରେ । ଏହାର ପ୍ରତିଶୋଧ ନେବାକୁ ଅଧ୍ୟାପିକାଙ୍କ ବନ୍ଧୁ ଅଭିଯୁକ୍ତ ନିରଂଜନ ବେହେରା ରଚିଥିଲା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ।

୨୫ ନଭେମ୍ବର, ରବିବାର । ସ୍ଥାନ – ବାରଙ୍ଗ ଗୋଡ଼ିସାହି ଛକ । ସମୟ – ଦିନ ପ୍ରାୟ ୧୧ଟା । ହଠାତ୍ ଫୁଟିଲା ତିନି ରାଉଣ୍ଡ ଗୁଳି । ଗୁଳି ଶବ୍ଦ ଶୁଣି ବାଣ ଫୁଟିଥିବା ଭାବିଥିଲେ ପାଖଆଖରେ ଥିବା ଲୋକ ଓ କିଛି ଦୋକାନୀ । ତେବେ ରକ୍ତ ଜୁଡୁବୁଡୁ ଅବସ୍ଥା ଜଣେ ଯୁବକ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ରୁଣ୍ଡ ହୋଇ ଯାଇଥିଲେ ସ୍ଥାନୀୟ ଲୋକ । ବିଶ୍ୱଦ୍ୟାଳୟ ପରିସରରେ ରହୁଥିବା ସୁନୀଲ ବାଇକ୍ରେ ଯାଉଥିବା ବେଳେ ଗୋଡ଼ିସାହି ଫାଣ୍ଡି ଠାରୁ ଅଳ୍ପ କିଛି ଦୂରରେ ସ୍କୁଟରରେ ଯାଉଥିବା ନିରଞ୍ଜନ ତାଙ୍କୁ ଧକ୍କା ମାରି ତଳେ ତଳେ ପକାଇ ଦେଇଥିଲେ । ଦୁହିଁଙ୍କ ଭିତରେ ସାମନ୍ୟ ବଚସା ପରେ ହଠାତ୍ ପିସ୍ତଲ କାଢି ସୁନିଲଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ଆଉ ହସ୍ପିଟାଲରେ ଚାଲିଗଲା ସୁନିଲଙ୍କ ଜୀବନ ।