ଆଉ ଦିନ କେଇଟା ପରେ ବରଗଡର ମୁକ୍ତାକାଶ ରଙ୍ଗମଂଚରେ ଶୁଭିବ ମହାରାଜ କଂସଙ୍କ ଅଟହାସ୍ୟ … ପ୍ରବଳ ପ୍ରତାପି କଂସଙ୍କ ରାଜୁତିରେ ଥରହର ହେବ ମଥୁରାନଗରୀ

147

କନକ ବ୍ୟୁରୋ: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ୭୦ତମ ବରଗଡ ଧନୁଯାତ୍ରା । ଏନେଇ ମଥୁରା ପାଲଟୁଥିବା ବରଗଡରେ ଯେତିକି ଉତ୍ସାହ ଦେଖାଦେଇଛି ତା’ଠାରୁ ଅଧିକ ଉତ୍ସାହିତ ଅଛନ୍ତି ଗୋପପୁର ପାଲଟୁଥିବା ଅମ୍ବାପାଲିର ଗ୍ରାମବାସୀ । ଚଳିତବର୍ଷ ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେଚାଲିଥିବା ବେଳେ ଶେଷ ପର୍ଯ୍ୟାୟରେ ପହଂଚିଛି କଳାକାରଙ୍କ ଅଭିନୟ ପ୍ରସ୍ତୁତି ।

ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚ ଭାବେ ପରିଚିତ ବରଗଡ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଧନୁଯାତ୍ରାରେ ଅଭିନୟକୁ ଜୀବନ୍ତ କରିବା ପାଇଁ ନାଟ୍ୟ ନିର୍ଦ୍ଦେଶକଙ୍କ ତତ୍ୱବଧାନରେ ରିହର୍ସଲ କରୁଛନ୍ତି କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ଭୋଳ ଓ ତାଙ୍କ ପାରିଷଦ ବର୍ଗ । କୃଷ୍ଣ, ବଳରାମ, ରାଧା ଓ ଗୋପାଙ୍ଗନାମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ବରଗଡ ଧନୁଯାତ୍ରାର ଆଉ ଏକ ବିଶେଷ ଅଂଶ ଗୋପପୁର ପାଲଟୁଥିବା ଅମ୍ବାପାଲି ଗାଁ । ଧନୁଯାତ୍ରା ଆରମ୍ଭରୁ ଶେଷ ଯାଏଁ ଏ ଗାଁ ସମୂର୍ଣ୍ଣ କୃଷ୍ଣ ପ୍ରେମରେ ମଜ୍ଜି ଯାଇଥାଏ । ମଥୁରାରେ ଯେମିତି କଂସଙ୍କ ରାଜତ୍ୱ ଦର୍ଶକଙ୍କୁ ଆକର୍ଷିତ କରିଥାଏ ଠିକ ସେମିତି ଗୋପପୁରରେ କୃଷ୍ଣ ବଳରାମଙ୍କ ଲିଳା ଦେଖି ଆତ୍ମବିଭୋର ହୋଇପଡନ୍ତି ଦର୍ଶକ । ତେବେ ଚଳିତ ବର୍ଷ କୃଷ୍ଣ, ବଳରାମ ଓ ରାଧା ଭୁମିକାରେ ନୂଆ କଳାକାର ଅଭିନୟ କରୁଥିବାରୁ ତାଙ୍କ ଅଭିନୟକୁ ଜୀବନ୍ତ କରିବା ପାଇଁ ଲାଗି ପଡିଛି ଗୋପପୁର କମିଟି । ଶାରୀରିକ ଦକ୍ଷତା, ଅଭିନୟ ଓ ସୌନ୍ଦର୍ଯ୍ୟତା କ୍ଷେତ୍ରରେ ଶତ ପ୍ରତିଶତ ଦର୍ଶେଇବା ପାଇଁ ଚେଷ୍ଟା ଚଳାଇଛନ୍ତି ସମସ୍ତ କଳାକାର ।

ତେବେ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା କଳାକାରମାନଙ୍କ ପାଇଁ କୁମ୍ଭ ବୋଲି କୁହାଯାଏ । ତେଣୁ ନିଜ କଳାର ପ୍ରତିଭା ଦେଖାଇବା ପାଇଁ କଳାକାରମାନଙ୍କ ମନରେ ଭରି ରହିଛି ବେଶ ଉତ୍ସାହ ।