ଅସହାୟଙ୍କ ସାହା ଜଳନ୍ଧର । ଗେଣ୍ଡୁ ଫୁଲ ଚାଷ କରି ୧୫ ଜଣ ନିରାଶ୍ରୟ ବୃଦ୍ଧବୃଦ୍ଧାଙ୍କ ସାହାରା ପାଲଟିଛନ୍ତି ବରଗଡର ଜଳନ୍ଧର ପଟେଲ

ସହଯୋଗ କରୁଛନ୍ତି ସ୍ତ୍ରୀ ଓ ପୁଅ

190

କନକ ବ୍ୟୁରୋ: ମାନବ ସେବା କରିବାର ଇଛା ଆଗରେ ହାର ମାନିଛି ସବୁ ପ୍ରତିବନ୍ଧକ । ଗେଣ୍ଡୁ ଫୁଲ ଚାଷ କରି ୧୫ ଜଣ ନିରାଶ୍ରୟ ବୃଦ୍ଧବୃଦ୍ଧାଙ୍କ ସାହାରା ପାଲଟିଛନ୍ତି ବରଗଡର ଜଳନ୍ଧର ପଟେଲ । ସମାଜ ସେବା କରିବା ନିଶାରେ ନିଜ ଉଦ୍ୟମରେ ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମ  କରି ଅସହାୟ ବ୍ୟକ୍ତିଙ୍କ ସେବା କରୁଛନ୍ତି । ଆଉ ତାଙ୍କର ଏହି ମହାନତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜନ୍ମମାଟି ସମଲେଇ ପଦରରେ ୨୦୧୭ ଜାନୁଆରୀ ୧୯ ତାରିଖରୁ ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମ ପରିଚାଳନା କରୁଛନ୍ତି ଜଳନ୍ଧର । କୋଲକାତାରୁ ଚାରା ଆଣି ୨ ଏକର ଜମିରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି । ଏହି ଫୁଲକୁ ବରଗଡ ସମେତ ସମ୍ବଲପୁର ଓ ବଲାଙ୍ଗିରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଫୁଲ ଚାଷର ଲାଭାଂଶରେ ନିଜ ଉଦ୍ୟମରେ ଠିଆ କରିଥିବା ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ରକ୍ଷଣାବେକ୍ଷଣ କରୁଛନ୍ତି । ଆଉ ଏଥିରେ ଜଳନ୍ଧରଙ୍କ ସ୍ତ୍ରୀ  ଓ ପୁଅ ପୂର୍ଣ୍ଣ ସହଯୋଗ କରିଥାନ୍ତି ।

୨୦୦୫ରୁ ୨୦୧୫ ଯାଏଁ ସଂଗ୍ରାମୀ କ୍ଲବର ସଭାପତି ଥିଲେ ଜଳନ୍ଧର । ସେହି ସମୟରେ ପ୍ରତିବର୍ଷ ଜାନୁଆରୀ ୧୯ରେ ଅସହାୟ ବ୍ୟକ୍ତିଙ୍କୁ ଉପଢୋକନ ଓ ଖାଦ୍ୟବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥାନ୍ତି । ହେଲେ ସେମାନଙ୍କ ଅନ୍ୟ ଦିନର ଜୀବନ କଥା ଜଳନ୍ଧରଙ୍କୁ ବ୍ୟତି ବ୍ୟସ୍ତ କରୁଥିଲା । ପରେ ସବୁ ଦିନ ପାଇଁ ଅସହାୟଙ୍କ ସେବା କରିବା ପାଇଁ ମନସ୍ତ କଲେ । ଆଉ ନିଜ ଉଦ୍ୟମରେ ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମ ଠିଆ କଲେ । ଜଳନ୍ଧରଙ୍କ ମହତ ଉଦେଶ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯିବା ସହ ସହଯୋଗର ହାତ ବଢାଇଛନ୍ତି କିଛି ସମାଜସେବୀ ।