ନେତାଙ୍କ ଛାତି ଧଡ଼ପଡ, କାହାର ହେବ ବର‘ଗଡ’! ଚାଷୀ ଖୁସି ହେଲେ ଉଡିବ ବିଜୟ ବାନା, ଆଚାର୍ଯ୍ୟ ପରିବାରର ଦବଦବାକୁ ମାତ୍ ଦେବାକୁ କଂଗ୍ରେସ ଓ ବିଜେପିର ସ୍ୱତନ୍ତ୍ର ରଣନୀତି

331

କନକ ବ୍ୟୁରୋ : କାହାର ହେବ ବର‘ଗଡ’ । ଓଡିଶାର ଭାତହାଣ୍ଡି ଭାବେ ପ୍ରସିଦ୍ଧି ଲାଭ କରିଥିବା ବରଗଡ ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିକୁ ଅନେକ ତୁଙ୍ଗ ନେତା ଭେଟି ଦେଇଛି । ଦେଶ ସ୍ୱାଧୀନ ହେବା ପରେ ୧୯୫୧ ମସିହାରୁ ଏହି ନିର୍ବାଚନମଣ୍ଡଳୀ ୧୫ଟି ନିର୍ବାଚନର ସମ୍ମୁଖୀନ ହୋଇଛି । ଯେଉଁଥିରେ ରାଜ୍ୟର ୩ ପ୍ରମୁଖ ଦଳ ମଧ୍ୟରୁ ବିଜେଡି ୩ ଥର, କଂଗ୍ରେସ ୫ ଥର ବିଜୟର ସ୍ୱାଦ ଚାଖିଥିବା ବେଳେ ବିଜେପି ଏଠାରେ ଖାତା ଖୋଲିବାରେ ସକ୍ଷମ ହୋଇପାରିନାହିଁ । କିନ୍ତୁ ଚଳିତ ନିବାର୍ଚନରେ ଏଠାରେ ୩ ଦଳ ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିବ ।

୧୯୫୧ ମସିହା ପ୍ରଥମ ନିର୍ବାଚନରେ କଂଗ୍ରେସ ଏଠାରେ ବାଜି ମାରିଥିଲା । ପରେ ସମୟ ସମୟରେ କଂଗ୍ରେସ ଏହି ଆସନକୁ ଅକ୍ତିଆର କରି ବରଗଡକୁ ନିଜର ଗଡ କରିଥିଲା ଦଳ । କିନ୍ତୁ ବିଜେଡି ଗଠନ ପରେ ଭୁଷୁଡି ପଡିଥିଲା କଂଗ୍ରେସର ଏହି ଗଡ । ଏପରିକି ଆଚାର୍ଯ୍ୟ ପରିବାର ରାଜନୀତିକୁ ଆସିବା ପରେ ଲଗାତାର ଜିତି ଆସୁଥିବା କଂଗ୍ରେସର ବିଜୟ ରଥରେ ଲଗାମ ଲଗାଇଥିଲେ । ପ୍ରଥମେ ୧୯୯୦ ଓ ପରେ ୧୯୯୫ ମସିହାରେ ପ୍ରସନ୍ନ ଆଚାର୍ଯ୍ୟ ଏଠାରୁ ଜନତା ଦଳ ଟିକେଟରୁ ବିଜୟୀ ହୋଇଥିବା ବେଳେ ୨୦୦୦ ଓ ୨୦୦୪ ମସିହାରେ ଲଗାତାର ଦୁଇଥର ଏହି ଆସନକୁ ନିଜ ଅକ୍ତିଆରରେ ରଖିଥିଲେ ପ୍ରସନ୍ନଙ୍କ ଭାଇ ଆନନ୍ଦ ଆଚାର୍ଯ୍ୟ । ଆଉ ଏହାସହ ଏକରକମ ଏହା ଆଚାର୍ଯ୍ୟ ପରିବାରର ଗଡ ଭାବେ ପରିଗଣିତ ହୋଇ ଆସୁଥିଲା ।

ତେବେ ୨୦୦୯ରେ ବିଜେଡି ହାତରୁ ବରଗଡ ଆସନକୁ ଛଡାଇ ଆଣିଥିଲେ କଂଗ୍ରେସ ପ୍ରାର୍ଥୀ ସାଧୁ ନେପାକ । ସେତେବେଳେ ପୁଣିଥରେ କଂଗ୍ରେସ ବର‘ଗଡ’କୁ ନିଜ ଅକ୍ତିଆରକୁ ଆଣିବା ପରେ ଆଚାର୍ଯ୍ୟ ପରିବାରର ଦବଦବାରେ ପୂର୍ଣ୍ଣଛେଦ ପଡିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ଏହାକୁ ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ଦେବେଶ ଆଚାର୍ଯ୍ୟ ଭୁଲ ପ୍ରମାଣିତ କରି ୨୦୧୪ରେ ପୁଣିଥରେ ଏଠାରେ ସବୁଜ ବାନା ଉଡାଇଥିଲେ । କଂଗ୍ରେସର ସାଧୁ ନେପାକଙ୍କୁ ୧୩୨୦୪ଟି ଭୋଟରେ ମାତ୍ ଦେଇଥିଲେ ଦେବେଶ ।

୨୦୧୪ରୁ ୨୦୧୯ । ବଦଳୁଥିବା ରାଜନୀତିର ପାଣିପାଗ ଭିତରେ ବଦଳିଛି ବରଗଡ ରାଜନୀତି । ଯାହାର ଝଲକ ଗତ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେଡି ଏଠାରେ ଚିତପଟାଙ୍ଗ ମାରିଥିବା ବେଳେ ଫ୍ରଣ୍ଟଫୁଟକୁ ଆସି ବିଜେପି ମାରିଛି ମାଷ୍ଟରଷ୍ଟ୍ରୋକ । ନିର୍ବାଚନମଣ୍ଡଳୀରେ ଆସୁଥିବା ୫ଟି ଜିଲ୍ଲା ପରିଷଦ ଆସନରୁ ୫ଟି ହାତେଇବା ସହ କ୍ଲିନ୍ ସୁଇପ କରିଥିଲା ବିଜେପି । ତେଣୁ ଏଠାରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି । ସେହିଭଳି ଗତ ନିର୍ବାଚନରେ ୨ ନମ୍ବର ସ୍ଥାନରେ ଥିବା କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ମାଟି କାମୁଡିଛି । ଦଳ କେବଳ ତୃତୀୟ ସ୍ଥାନକୁ ଆସିଛି ତାହା ନୁହେଁ ବରଂ ବରଗଡରେ ପୁଣିଥରେ ନିଜର ଦବଦବା ଜାହିର କରିବାକୁ ସଂଘର୍ଷ କରୁଛି । ଖାସକରି ବରଗଡ ସୀମାକୁ ଲାଗି ରହିଥିବା ପଡୋଶୀ ରାଜ୍ୟ ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିବା ପରେ ପୁଣିଥରେ ଆକ୍ଟିଭ ମୋଡକୁ ଆସିଛନ୍ତି କଂଗ୍ରେସ କର୍ମୀ ।

ଏସବୁ ଭିତରେ, ୩ ପ୍ରମୁଖ ଦଳ କାହାକୁ ପ୍ରାର୍ଥୀ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ପୁଣିଥରେ ୩ ପୁରୁଣା ଚେହେରାଙ୍କୁ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଦେବେଶ, ସାଧୁ ଏବଂ ଅଶ୍ବିନୀ ନିଜନିଜ ଦଳରେ ଟିକେଟ୍ ଦୌଡ଼ରେ ସର୍ବାଗ୍ରେ ଥିବା ଚର୍ଚ୍ଚା ହେଉଛି। ସେହି ହିସାବରେ ଏମାନେ ପ୍ରଚାର ଅଭିଯାନ ମଧ୍ୟ ଚଳାଇଛି।

ଯୁବ ବିଧାୟକ ଦେବେଶ ରାଜ୍ୟ ସରକାରଙ୍କ ବିଭିନ୍ନ ଜନପ୍ରିୟ ଯୋଜନାକୁ ଆୟୁଧ କରି ନିର୍ବାଚନ ଜିଣିବାକୁ ଆଶା ବାନ୍ଧିଛନ୍ତି। ସହର ଏବଂ ଗାଁଗାଁ ବୁଲି ସକ୍ରିୟ ପ୍ରଚାର ଚଳାଇଛନ୍ତି। ଟିକେଟ୍ ପାଇଁ ଦଳରେ ତାଙ୍କ ପାଇଁ ପଥ ପରିଷ୍କାର ଥିବା ଶୁଣିବାକୁ ମିଳୁଛି। କିନ୍ତୁ କଂଗ୍ରେସର ରେକର୍ଡ ଦେଖିଲେ ଆଗକୁ କିଛି ବି ଘଟିବା ଆଶଙ୍କା ରହିଛି। ସାଧୁଙ୍କ ବ୍ୟତୀତ ଆହୁରି ଆଶାୟୀ ଟିକେଟ୍ ପାଇଁ ଧାଁଦୌଡ଼ କରୁଛନ୍ତି। ଦୀର୍ଘ ଦିନ ଧରି କଂଗ୍ରେସ ସଙ୍ଗଠନ ସହ ଜଡିତ ଥିବା ନିପନ ଦାଶ ଓ ବ୍ରହ୍ମା ମହାକୁଡ କଂଗ୍ରେସ ଟିକେଟ ରେସରେ ଆଗରେ ରହିଛନ୍ତି । ଏପରିକି ସମାନ୍ତରଳ ସଙ୍ଗଠନ କରି ସାଧୁ ନେପାକଙ୍କୁ କଡା ଚ୍ୟାଲେଞ୍ଜ ଦେଉଚନ୍ତି । ସେମାନଙ୍କୁ ଅଣଦେଖା କଲେ ଦଳଡିଆଁ ଆରମ୍ଭ ହୋଇପାରେ । କିନ୍ତୁ ୩ଟି ରାଜ୍ୟରେ କଂଗ୍ରେସ ସରକାରକୁ ଆସିବା ପରେ ପୁଣିଥରେ ବରଗଡରେ ମଧ୍ୟ ଦଳ ଜିତିବ ବୋଲି ଆଶା ବାନ୍ଧିଛି ।

। ସେହିପରି ବିଜେପି ପାଇଁ ରାଜ୍ୟ ଉପସଭାପତି ଦାୟିତ୍ବରେ ଥିବା ଅଶ୍ବିନୀ ଷଡଙ୍ଗୀ ପ୍ରଥମ ପସନ୍ଦରେ ଥିବା କୁହାଯାଉଛି। ବରଗଡ଼ ଆସନରେ ବିଜେପି କେବେବି ବିଜୟ ପାଇନାହିଁ। ଆଇଓସିଏଲ୍ରୁ କୋଟିକୋଟି ଟଙ୍କାର ଅନୁଦାନ ଆଣି ଅଶ୍ବିନୀ ବରଗଡ଼ର ବିଭିନ୍ନ ପ୍ରକଳ୍ପ କାର‌୍ୟ୍ୟକାରୀ କରାଇଛନ୍ତି। ତେଣୁ ଟିକେଟ ଦୌଡରେ ଅଶ୍ୱିନୀ ଆଗରେ ଥିବା ବେଳେ ଓଜେଏମ ଛାଡି ପଦ୍ମ ପୋଖରୀରେ ବୁଡ ମାରିଥିବା ଦେବବ୍ରତ ମିଶ୍ର ମଧ୍ୟ ବିଜେପି ଟିକେଟ ପାଇଁ ଲବି ଆରମ୍ଭ କରିଛନ୍ତି । ସେହିଭଳି ଲିପିସିତ ମିଶ୍ର ମଧ୍ୟ ଏହି ଦୌଡରେ ପଛରେ ନାହାନ୍ତି ।

ଏଭଳି ସମୀକରଣକୁ ଦେଖିଲେ ବର‘ଗଡ’କୁ ଦଖଲ କରିବା ପାଇଁ ତିନି ଦଳ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଯେହେତୁ ବରଗଡ କୃଷି ପ୍ରଧାନ ଜିଲ୍ଲା ତେଣୁ ଚାଷୀଙ୍କୁ ଯିଏ ଖୁସି କରିପାରିବ ସେହି ଦଳ ହିଁ ବରଗଡକୁ ନିଜର ଗଡ ଭାବେ ଗଢିତୋଳିବାରେ ସକ୍ଷମ ହେବ । ତେଣୁ ଏଥିପାଇଁ ୩ ଦଳ ଏବେ କୃଷକ ସନ୍ତୁଷ୍ଟି ଫର୍ମୁଲାକୁ ନେଇ ମୈଦାନକୁ ଓହ୍ଲାଇବାକୁ ଋଣନୀତି କରୁଛନ୍ତି ।