ବରଗଡ଼ରେ ବଡ଼ ବାଜି । ତିନି ଦଳରେ ମାଳମାଳ ଆଶାୟୀ, କିଏ ହେବ ବରଗଡ଼ ବାଜିଗର ? କାହାକୁ ବାଛିବ ଦଳ ?

424

କନକ ବ୍ୟୁରୋ: କାହାର ହେବ ବରଗଡ଼ ଲୋକସଭା ଆସନ ? ଆଉ କିଏ ପିନ୍ଧିବ ବରଗଡ଼ ବିଜୟ ଶିରିପା ? ଏଭଳି ପ୍ରଶ୍ନ ଏବେ ବରଗଡ଼ବାସୀଙ୍କ ମନକୁ ଆନ୍ଦୋଳିତ କରିବାରେ ଲାଗିଛି । କାରଣ ଆସନ୍ତା ଏପ୍ରିଲ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ନିଜର ମତଦାନ ସାବ୍ୟସ୍ତ କରିବେ ଭୋଟର । ଆଉ ଏଠାରେ ରାଜନୈତିକ ସମୀକରଣ କ’ଣ ରହିବ, ତାହା ଏବେଠାରୁ ହିସାବ ଲଗାଇବା ମୁସ୍କିଲ। କୌଣସି ଦଳରେ ଟିକେଟ୍ ସ୍ଥିତି ସ୍ପଷ୍ଟ ନୁହେଁ । ବିଜେଡି ଶିବିରରେ ସାଂସଦ ପ୍ରଭାସ ସିଂହ ପୁଣିଥରେ ଟିକେଟ୍ ହାତେଇବାକୁ ରାଜଧାନୀରେ କସରତ କରୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ମନ୍ତ୍ରୀ ସ୍ନେହାଂଗିନୀଙ୍କୁ ମହିଳା କୋଟାରେ ବିଜେଡି ଟିକେଟ୍ ଧରାଇବ ବୋଲି ଚର୍ଚ୍ଚା ମୁଣ୍ଡ ଟେକୁଛି। ଏହି ଦୁଇ ଜଣଙ୍କ ବ୍ୟତୀତ ପ୍ରସନ୍ନ ଆଚାର୍ଯ୍ୟଙ୍କ ପୁତୁରା ସମ୍ବିତ୍ ଆଚାର୍ଯ୍ୟଙ୍କ ନାଁ ମଧ୍ୟ ବରଗଡ଼ ସାଂସଦ ପ୍ରାର୍ଥୀ ତାଲିକାରେ ଶୁଣିବାକୁ ମିଳୁଛି । ତେବେ ଏମାନଙ୍କ ମଧ୍ୟରୁ କାହାକୁ ବରଗଡ଼ର ବାଜିଗର ଭାବେ ବାଛିବେ ତାକୁ ନେଇ ଏବେ ସସପେନ୍ସ ଜଲାଗି ରହିଛି ।

ସେପଟେ କଂଗ୍ରେସ ଶିବିରରେ ମଧ୍ୟ ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ ବଢ଼ିବାରେ ଲାଗିଛି । ଏହାର ପ୍ରମୁଖ କାରଣ ଜାନୁଆରି ୨୪ ତାରିଖ ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ପରେ ଲୋକସଭା ଆସନର ସମୀକରଣ ଓଲଟପାଲଟ ହୋଇଯାଇଛି । କାରଣ ପୂର୍ବରୁ କଂଗ୍ରେସର ସାଂସଦ ପ୍ରାର୍ଥୀଙ୍କ ପାଇଁ ନବ ହିଁ ଉଭୟ ଝାରସୁଗୁଡ଼ା ଏବଂ ବ୍ରଜରାଜନଗରରେ ରଣନୀତି ପ୍ରସ୍ତୁତ କରୁଥିଲେ । ଏବେ କଂଗ୍ରେସ ଏଠାରେ କିଭଳି ସଂଗଠନ ସଜାଡ଼ିବ ତାହା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । କିନ୍ତୁ ପୂର୍ବତନ ସାଂସଦ ସଂଜୟଙ୍କ ବ୍ୟତୀତ ଡକ୍ଟର ହମିଦ୍ ହୁସେନଙ୍କ ଭଳି କଂଗ୍ରେସ ଶିବିରରେ ଲମ୍ବା ଆଶାୟୀଙ୍କ ତାଲିକା ରହିଛି ।

ଅପରପକ୍ଷେ ବିଜେପି ପାଇଁ ମଧ୍ୟ ସମାନ ସମସ୍ୟା ଉପୁଜିଛି । ସୁବାଷ ଚୌହାନ ଟିକେଟ୍ ପାଇଁ ଜୋରଦାର୍ ପ୍ରୟାସ ଚଳାଇଥିବାବେଳେ ନୂଆ କରି ଦଳରେ ମିଶିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. କୃପାସିନ୍ଧୁ ଭୋଇଙ୍କ ଭାଇ ଜଗବନ୍ଧୁ ଭୋଇ ମଧ୍ୟ ଟିକେଟ୍ ପାଇଁ ଆଶାୟୀ ଥିବା ସ୍ଥାନୀୟ ବିଜେପି ଶିବିରରେ ଶୁଣିବାକୁ ମିଳୁଛି । ଏହାବାଦ୍ ରାମକୃଷ୍ଣ ପୁରୋହିତ, ଡ଼ି. ମୁରଲୀ କ୍ରୀଷ୍ଣାଙ୍କ ଭଳି କିଛି ଚର୍ଚ୍ଚିତ ଏବଂ ଲୋକପ୍ରିୟ ଚେହେରା ବି ଟିକେଟ୍ ରେସରେ ରହିଛି ।