ପୁଣି ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ୍ ! ବରଗଡରେ ଜୀରା ନଦୀ ଉପରେ ତିଆରି ବିଜୁ ସେତୁରୁ ସ୍ଲାବ୍ ଖସି ୫ ଆହତ

50

କନକ ବ୍ୟୁରୋ : ପୁଣି ଭୁଶୁୁଡିଲା ନିର୍ମାଣାଧିନ ବ୍ରିଜ । ବରଗଡ ଜିଲ୍ଲା ଭେଡେନ ବ୍ଲକ୍ ଡୁବେନପାଲିରେ ଭୁଶୁଡି ପଡିଲା ଜିରା ନଦୀ ଉପରେ ନିର୍ମାଣ ହେଉଥିବା ବିଜୁ ସେତୁ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଏହି ନିର୍ମାଣ କାର୍ଯ୍ୟ ଚାଲୁଥଲା । ଆଜି ସ୍ଲାବ ପଡୁଥିବାବେଳେ ହଠାତ ଭୁଶୁୁଡି ଯିବାରୁ ୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ୪ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରେ ରଜତ ନାଏକ ଓ ସୁରେନ୍ଦ୍ର ନାଏକ ମଧ୍ୟ ସାମିଲ ଅଛନ୍ତି । ସୁରେନ୍ଦ୍ରଙ୍କ ଗୋଡ ଭାଙ୍ଗିଥିବା ସୂଚନା ମିଳିଛି । ସେହିଭଳି ଦୁର୍ଘଟଣାରେ ପୋଲ ତଳେ ଥିବା ୨ଟି ବାଇକ ସମ୍ପୁର୍ଣ୍ଣ ରୂପେ ଭାଙ୍ଗି ଯାଇଛି।

ଜିଲ୍ଲାପାଳ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବା ସହ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଘଟଣା ସ୍ଥଳକୁ ଭେଡେନ୍ ତହସିଲଦାର ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । କିଛିଦିନ ତଳେ ଭୁବନେଶ୍ୱର ବମିଖାଲରେ ନିର୍ମାଣାଧିନ ଓଭରବ୍ରିଜ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣା ମନରୁ ନଲିଭୁଣୁ ପୁଣି ଭୁଶୁଡି ପଡିଛି ଅଧା ତିଆରି ହୋଇଥିବା ବିଜୁ ସେତୁ ।