ବିଜେପୁର ଗୁଳିକାଣ୍ଡ ନେଇ ଶ୍ରମମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା ! କହିଲେ, ବିଜେପି ନେତା ଜୟନାରୟଣ ମିଶ୍ର ସଂପୃକ୍ତ

34

କନକ ବ୍ୟୁରୋ: ବିଜେପୁର ଗୁଳିକାଣ୍ଡକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ । ବିଜେପିର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର ଏଥିରେ ସଂପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି । ବିଜେପୁରରେ ବିଜେଡି ଜିତିଲେ ବିଜୟ ଉତ୍ସବ ପାଳନ କରିବ ନାହିଁ । ଜଣକର ଜୀବନ ପ୍ରତିବଦଳରେ ଉତ୍ସବ ପାଳନ କରି ପାରିବୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ବିଜେପିର ୧୨୦ ମିଶନକୁ ବିଜେପୁରବାସୀ କବର ଦେବେ ବୋଲି ସେ କହିଛନ୍ତି । ଅନ୍ୟପଟେ, ବିଜେପୁର ଉପନିର୍ବାଚନ ପରେ ବିଜେଡିର ପ୍ରତିକ୍ରିୟା । ଆଜି ବିଜେଡି ମୁଖ୍ୟ ମୁଖପାତ୍ର ପ୍ରତାପ ଦେବ ବିଜେପୁର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଆମେ ଏକ ନମ୍ବରରେ ରହିଛୁଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ସରକାରୀ କାର୍ଯ୍ୟକ୍ରମ ବିଜେଡିକୁ ଜିତାଇବ ବୋଲି କହିଛନ୍ତି ପ୍ରତାପ ଦେବ ।

ସେପଟେ ବିଜେପୁରରେ ଭୋଟ ସରିବା ପରେ ଫଳାଫଳ ଦଳ ସପକ୍ଷରେ ଯିବ ବୋଲି ଦାବି କରିଛି ବିଜେପି । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଜେପୁର ବାସୀ ବିଗତ ଦିନରେ ନବୀନବାବୁଙ୍କୁ ପ୍ରତ୍ୟଖ୍ୟାନ କରିଥିଲେ ଓ ଏବେ ବି କରିବେ । ବିଜେପୁକୁ ମୁଖ୍ୟମନ୍ତ୍ରୀ ଅଣଦେଖା କରିଛନ୍ତି । ଏହାର ଜବାବ ଆସନ୍ତା ୨୮ ତାରିଖରେ ବିଜେପୁର ବାସୀ ଦେବେ ।

ଉଲ୍ଲେଖଥାଉ କି, ଗୁରୁବାର ମଧ୍ୟରାତ୍ରିରେ ସୋହେଲା ଥାନା ବନାବିରା ଗାଁରେ ହୋଇଥିବା ଗୁଳିମାଡ଼ ଓ ଆକ୍ରମଣରେ ଆହତ ଡ୍ରାଇଭର ମାଗି ସାହୁଙ୍କ ଶୁକ୍ରବାର ରାତିରେ କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବଢ଼ିଥିବା ବେଳେ ରାଜ୍ୟ ସରକାର ବି ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାପରେ ପୁଲିସ ଘଟଣାର ତନାଘନା ଚଳାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ୫ ଜଣଙ୍କ ବିରୋଧରେ ଥାନାରେ ଏତଲା ହୋଇଛି । ପୁଲିସ ସିଧାସଳଖ ତାଙ୍କ ନାମ ନେଉନଥିଲେ ବି ଜଣେ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଏତଲା ହୋଇଥିବା କହିଛି ।

ମାଗି ସାହୁଙ୍କ ମୃତ୍ୟୁ ପରେ ପୁଲିସ୍ ହତ୍ୟା ମାମଲା ( ଦଫା ୩୦୨) ଯୋଡ଼ିଛି । ପୂର୍ବରୁ ଏହି ଘଟଣାକୁ ନେଇ ଥାନା କେଶ ନମ୍ବର ୩୪/୧୮ରେ ଆଇପିସିର ଧାରା ୧୪୭/୧୪୮/୩୪୧/୨୯୪/୩୨୩/ ୩୩୬/୪୨୭/୩୦୭/୫୦୬/୧୪୯ ତଥା ୨୫/୨୭ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ ହୋଇଥିଲା ।

ଆକ୍ରମଣ ମାମଲାରେ ବିମଳ ଭୋଇ ନାମକ ବ୍ୟକ୍ତି ସୋହେଲା ଥାନାରେ ଏକ ଏତଲା ଦେଇଛନ୍ତି । ଏଥିରେ ୫ଜଣଙ୍କ ନାମ ରହିଛି। ଜୟନାରାୟଣ ମିଶ୍ରଙ୍କ ନାମ ମଧ୍ୟ ଏଥିରେ ରହିଛି । ହେଲେ ପୁଲିସ୍ ସୂଚନା ଦେଲା ବେଳେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ନାମ ଏଫଆଇଆରରେ ଥିବା କହୁଛି । ଅନ୍ୟ ୩ଜଣ ଅଭିଯୁକ୍ତ ସୋହେଲା ଅଂଚଳର ବାସୁଦେବ ନାଏକ ଓରଫ ବାବୁ, ଗୁଡ୍ଡୁ ଓରଫ ଦିଗବିଜୟ ଏବଂ ଜୟପ୍ରକାଶ ଅଗ୍ରଓ୍ଵାଲ ଗିରଫ ହୋଇସାରିଛନ୍ତି । ନିର୍ବାଚନ ପାଇଁ ଜୟନାରାୟଣ ଦଳୀୟ ପ୍ରସ୍ତୁତି ନେଇ ସିଧାସଳଖ ସଂପୃକ୍ତ ଥିଲେ। ନାମାଙ୍କନ ଦାଖଲ ଠାରୁ ଆରମ୍ଭ କରି ନିର୍ବାଚନୀ ସଭା, ରୋଡ୍ ସୋ’ରେ ତାଙ୍କୁ ଦେଖିବାକୁ ମିଳୁଥିଲା । ଏହି ତିନି ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସାରିଛି । ଏହି ଘଟଣାରେ ୨୦ରୁ ଅଧିକ ବ୍ୟକ୍ତି ସଂପୃକ୍ତ ଥିବାରୁ ଗିରଫ ପାଇଁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ପୁଲିସ୍ ସୂଚନା ଦେଇଛି । ଅନ୍ୟପକ୍ଷରେ ୧୭ଜଣ ସନ୍ଦିଗ୍ଧଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ।