ଜଙ୍ଗଲୀ ନିଆଁ ଭଳି ବ୍ୟାପୁଛି ବରଗଡର ନିଆଁ : ଆଜି ବଲାଙ୍ଗିର, ଗଂଜାମ ଓ ବାଙ୍କିରେ ନିଆଁ ଲଗାଇଲେ ଚାଷୀ, ନିବୃତ୍ତ ରହିବାକୁ ଅନୁରୋଧ କଲେ କୃଷି ମନ୍ତ୍ରୀ

29

କନକ ବ୍ୟୁରୋ : ସାରା ରାଜ୍ୟକୁ ବ୍ୟାପୁଛି ବରଗଡ଼ର ନିଆଁ । ପଶ୍ଚିମ ଓଡ଼ିଶା ଦେଇ ଏବେ ପ୍ରତିବାଦର ନିଆଁ ଉପାନ୍ତରୁ ଉପକୂଳ ଯାଏଁ ପହଂଚିଲାଣୀ । ଚକଡ଼ା ପୋକ ଏବଂ ଫସଲ ନଷ୍ଟ ଯୋଗୁଁ ଚାଷୀ, ଜମିରେ ନିଆଁ ଲଗାଇ ଦେବାର ଚିତ୍ର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି । ଆଉ ଏପଟେ କୃଷିମନ୍ତ୍ରୀ ଡକ୍ଟର ଦାମୋଦର ରାଉତ, କ୍ଷତିପୂରଣର ପ୍ରତିଶ୍ରୁତି ଦେବା ସହ ନିଆଁ ନଲଗାଇବା ପାଇଁ ଅନୁରୋଧ କରିଛନ୍ତି ।

ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ପ୍ରତିବାଦର ନିଆଁ ଏବେ ଉପାନ୍ତରୁ ଉପକୂଳ ଯାଏଁ ବ୍ୟାପିବାରେ ଲାଗିଛି । କଟକ ଜିଲ୍ଲା ବାଂକି ଅଂଚଳରୁ ଆସିଛି ସେହି ସାମନ ଖବର, ସମାନ ଚିତ୍ର । ଉଜୁଡି ଯାଇଥିବା ଫସଲର ଅନୁଧ୍ୟାନ ପାଇଁ କୃଷି ଅଧିକାରୀଙ୍କ ଟିମ୍ ଆସିଥିବା ବେଳେ ବିଲିପଡାରେ ନିଜ ଜମିରେ ନିଆଁ ଲଗାଇ ଦେଇଛନ୍ତି ଚାଷୀ । ଆଉ ଚକଡ଼ା ପୋକକୁ ବାକୁ କରିବାରେ ବିଫଳ ହେବାରୁ ବଲାଙ୍ଗିର ଜିଲ୍ଲା କୁଟୁମଡୁଲାରେ ଚାଷୀ ବାଛି ନେଇଛନ୍ତି ପ୍ରତିବାଦର ଅଭିନବ ବାଟ । ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ ସେହି ଏକା ଦୃଶ୍ୟ ଦେଖିବାକୁ ମିଳିଛି ।

ସମ୍ବଲପୁର, ଝାରସୁଗଡ଼ା ପରେ ସୁବର୍ଣ୍ଣପୁର, ସୀମାନ୍ତ ରାୟଗଡ଼ା ଜିଲ୍ଲାରେ ଚାଷୀ ନିଜ ବିଲରେ ନିଆଁ ଲଗାଇ ଦେଇଛନ୍ତି । ଏଭଳି ଏକ ସ୍ଥିତିରେ ଫସଲ ନଜାଳିବାକୁ ଅନୁରୋଧ କରିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ । କହିଛନ୍ତି-ଲକ୍ଷ୍ମୀ ଠାକୁରାଣୀଙ୍କ ଦେହରେ ନିଆଁ ଲଗାଇଲେ ଲକ୍ଷ୍ମୀଛଡ଼ା ହୋଇଯିବ ।

ସାରା ରାଜ୍ୟରୁ ଆସୁଥିବା ଏହି ସବୁ ଖବର ଯେତିକି ବିବ୍ରତ କରୁଛି, ତାଠୁ ଅଧିକ ଚାଷୀଙ୍କ ସଂଗୀନ ସ୍ଥିତିକୁ ବୟାନ କରୁଛି । ଆଉ ଏସବୁ ଭିତରେ ପ୍ରଶ୍ନ ଆସୁଛି ।
ପ୍ରତିବାଦ ଓ କ୍ଷତିପୂରଣ ପାଇଁ ଫସଲ ଜାଳିଦେବା କ’ଣ ଉଚିତ୍ ନିଷ୍ପତ୍ତି ?
-ଫସଲକୁ ପୋଡ଼ି ଦେଲେ କ୍ଷୟକ୍ଷତି ଆକଳନରେ ଅସୁବିଧା ହେବ ନାହିଁ କି?
-ପ୍ରତିବାଦ ପାଇଁ ଚାଷୀ ଅନ୍ୟ କୌଣସି ପନ୍ଥା ଗ୍ରହଣ କରିବା ଉଚିତ କି ?
ଫସଲ ନଷ୍ଟ ହେବାକୁ କେହି ଅସ୍ୱୀକାର କରୁନାହାଁନ୍ତି । ଆଉ ଫସଲ ନଷ୍ଟର କ୍ଷତିପୂରଣ ପାଇଁ ପ୍ରତିବାଦ ମଧ୍ୟ ସ୍ୱାଭାବିକ୍ ପ୍ରକ୍ରିୟା । କିନ୍ତୁ ଚାଷ ଜମିରେ ନିଆଁ ଲଗାଇବା ନିଷ୍ପତ୍ତି ନେଇ ଆଉ ଥରେ ଚିନ୍ତା କରିବା ପାଇଁ ବୋଧେ ସମୟ ଆସିଛି ।