ଦାମ ରାଉତଙ୍କୁ ପ୍ରଶ୍ନ ପଚାରିଲେ ଚାଷୀଙ୍କ ଝିଅ ! ବାପା ଚାଲିଗଲେ ମୁଁ ପାଠ ପଢିବି କେମିତି ? ଉତ୍ତର ଦେବେ କି କୃଷିମନ୍ତ୍ରୀ ?

140

କନକ ବ୍ୟୁରୋ : ‘‘ମୋ ବାପାତ ମଲେ, କାହାର କଣ ଯାଉଛି ? ଟଙ୍କା ଋଣ କରି ଚାଷ କରିଥିଲେ, ସେ ତ ମରିଗଲେ କେଉଁଠୁ ପଇସା ଆଣି ଶୁଝିବୁ । ମତେ ପାଠ ପଢାଉଥିଲେ, ମୁଁ କେମିତି ପାଠ ପଢିବି ? ଚାଷୀଙ୍କ ପାଇଁ କଣ କରୁଛି ସରକାର ? ଖାଲି କହିଦେଉଛି । ଆଗେ କିଛି କରୁ ତା ପରେ ଦେଖିବା । ଚାଷୀଙ୍କ ପାଇଁ କଣ କରୁଛି ଦାମ ରାଉତ? ଖାଲି ଭାଷଣ ଦେଉଛି ?” ଗତକାଲି କୀଟନାଶକ ପିଇ ନିଜ ଜମିରେ ଆତ୍ମହତ୍ୟା କରିଥିବା ବରଗଡ କଳାପାଣି ଅଂଚଳର ଚାଷୀ ବୃନ୍ଦା ସାହୁଙ୍କ ଝିଅର ଏ ବୟାନ ।

ଚକଡ଼ା ପୋକ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ମଙ୍ଗଳବାର ଦିନ ନିଜ ହାତରେ ବିଲରେ ନିଆଁ ଲଗାଇ ଦେଇଥିଲେ । ବୁଧବାର ନିଜ ଜମିରେ ବୃନ୍ଦା ସାହୁ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ । ମଙ୍ଗଳବାରର କୋହ ବୁଧବାର ଦିନ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା ।

ଛୋଟିଆ ଝିଅର ପ୍ରଶ୍ନରେ ସମସ୍ତେ ବିଚଳିତ । ସେ ବି ଶୁଣିଛି ଅନେକ ଆତ୍ମହତ୍ୟା ଖବର । ଆଉ ଜାଣିଛି ସରକାରଙ୍କ ପ୍ରତିଶ୍ରୁତିରେ କିଛି ବଦଳେ ନାହିଁ, କେବଳ ପ୍ରତିଶ୍ରୁତି ପାଣି ଫୋଟକା ଭଳି ମିଳାଇଯାଏ । ଘରର ମୂରବି ତଥା ପରିବାର ଚଳାଉଥିବା ବାପାର ମୃତ୍ୟୁ ପରେ କୋହଭରା କଂଠରେ ପଚାରିଥିବା ପ୍ରଶ୍ନ ସରକାରଙ୍କ ବିଧି ବ୍ୟବସ୍ଥା ପ୍ରତି ଆଙ୍ଗୁଳି ଉଠାଇନାହିଁ କି ?

farmerଚକଡା ଦେଲା ଚଡକ । ପରିବାରରେ ଲୁହର ଲହଡି । ସ୍ତ୍ରୀ, ଓ ଝିଅର କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ । କେମିତି ପରିବାର ଚଳିବ ? ଋଣ ଟଙ୍କା ସୁଝାହେବ କେମିତି ? ଝିଅର ଭବିଷ୍ୟତ କ’ଣ ହେବ ? ଏଭଳି ଚଡକ ପଡିଛି ମୃୃତ ବୃନ୍ଦା ସାହୁଙ୍କ ପରିବାର ଉପରେ । ଏହା କେବଳ ଗୋଟିଏ କଥା ନୁହେଁ । ଏହି ଛୋଟିଆ ପ୍ରଶ୍ନ ସୂଚାଇ ଦେଉଛି ଚାଷ ଓ ଚାଷୀ ପରିବାରରର ନଗ୍ନ ରୂପ । ଗଲା ସପ୍ତାହକ ମଧ୍ୟରେ ବୃନ୍ଦାଙ୍କ ମିଶାଇ ତିନି ଜଣ ଚାଷୀଙ୍କର ମୃତ୍ୟୁ ହୋଇଥିଲେ ବି ନୀରବଦ୍ରଷ୍ଟା ସାଜିଥିଲେ ସରକାର । ଚେହେରା ଅଲଗା କିନ୍ତୁ କାହାଣୀ ଗୋଟିଏ । ଆଖି ଆଗରେ ଉଜୁଡିଗଲା ଫସଲ, ଆଉ ଚରମ ନିଷ୍ପତ୍ତି ବାଛିନେଲେ ଚାଷୀ ।
ଚକଡା ପୋକ ଯୋଗୁ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରି ବରଗଡ ଜିଲ୍ଲପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ ଚାଷୀ । କେହି ଶୁଣିଲେନି , କି ବୁଝିଲେନି । ଦାଉ ସାଜିଥିଲା ସରକାରଙ୍କ କୀଟନାଶକ ଔଷଧ । ଯେଉଁ ଜମିରେ ଗୋଟିଏ ଲିଟର କୀଟନାଶକ ପକାଇବା କଥା, ସେହି ଜମିରେ ୬-୭ ଥର କୀଟନାଶକ ପକାଇଥିଲେ ବି କିଛି ଲାଭ ହୋଇନଥିଲା । ଫଳରେ କେତେ କଷ୍ଟ କରି ଯତ୍ନରେ ବଢାଇଥିବା ଫସଲକୁ ପୋଡିଦେଇଥିଲେ ବୃନ୍ଦା । ଶେଷରେ ଯେଉଁ ଜମିରୁ ଫସଲ ଉତ୍ପାଦନ କରି ପରିବାର ଚଳାଇଥାନ୍ତେ, ସେହି ଜମିରେ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ବାଧହେଲେ ।

ଏହାକୁ ନେଇ ସ୍ଥାନୀୟ ଅଂଚଳର ଚାଷୀଙ୍କ ମୁଣ୍ଡରେ ରାଗ ବଢିଯାଇଥିଲା । । ଶବ ବ୍ୟବଚ୍ଛେଦ ହେବା ପରେ ମୃତଦେହ କଳାପାଣିକୁ ଅଣାଯାଇଥିଲା । ଏହା ପରେ ଆରମ୍ଭ ହୋଇଯାଇଥିଲା ରାସ୍ତାରୋକ । ପ୍ରାୟ ୧୬ ଘଂଟା ଧରି ଚାଲିଥିଲା ରାସ୍ତାରୋକ । କୃଷକ ନେତା ଲିଙ୍ଗରାଜଙ୍କ ନେତୃତ୍ୱରେ ଲୋକମାନେ ମୃତଦେହଙ୍କୁ ୫୩ ନମ୍ବର ଜାତୀୟ ରାଜପଥରେ ରଖି ରାସ୍ତାରୋକ କରିଥିଲେ ।

କୋମଳ ଝିଅ ମୁହଁରେ କଠୋର ପ୍ରଶ୍ନ । ସରକାର ଯୋଜନା କରୁଛନ୍ତି, କିନ୍ତୁ କେତେଜଣ ଲାଭବାନ ହେଉଛନ୍ତି ବୋଲି ପ୍ରଶ୍ନ କରିଛି ଚାଷୀ ବୃନ୍ଦା ସାହୁର ଝିଅ । ବାପା ଧାର କରିଥିବା ଲକ୍ଷେ ଟଙ୍କା କେମିତି ଶୁଝିବେ, ସେ ଚିନ୍ତାରେ ପରିବାର । ଝିଅର ପାଠପଢାରେ ଡୋରି ଲାଗିଲା ବୋଲି କୋହଭରା କଂଠରେ କହିଛି ବୃନ୍ଦାଙ୍କ ଝିଅ । ସରକାର ଆମ କଥା ନବୁଝିଲେ ପୂରା ପରିବାର ଆତ୍ମହତ୍ୟାକରିବ ବୋଲି କହିଛି ବୃନ୍ଦାସାହୁଙ୍କ ଝିଅ ।
FARMERଚାଷୀ ମୃତ୍ୟୁ ଓ ଚକଡା ପୋକ ଲାଗି ଫସଲ ନଷ୍ଟ ଘଟଣାର ତଦନ୍ତ କରିବା ପାଇଁ ତିନି ଜଣିଆ ଟିମ ବରଗଡ ଯାଇଛନ୍ତି । କୃଷି ଉପନିର୍ଦେଶକ ପ୍ରମୋଦ ମହାନ୍ତିଙ୍କ ସମେତ ତିନି ଜଣିଆ ଟିମ୍ । ଏହି ଟିମ୍ ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ଘରକୁ ଯାଇ ତାଙ୍କ ଆତ୍ମହତ୍ୟାର ସତ୍ୟାସତ ଖୋଜିବେ । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଏମାନେ ଚାଷୀର ଜମିକୁ ଯାଇ ଚାଷର କ୍ଷୟକ୍ଷତି ବାବଦରେ ମଧ୍ୟ ତଥ୍ୟ ସଂଗ୍ରହ କରିବେ ।
ତେବେ ଏତେ ସବୁ ଭିତରେ ସରକାରଙ୍କ ଯୋଜନା ଉପରେ ପ୍ରଶ୍ନ ଉଠିଛି । ସରକାର ଆଜି ଯେଉଁ ପଦକ୍ଷେପ ନେଲେ ସେ ଦାୟିତ୍ୱ ଆଗରୁ କାହିଁକି ନେଲେ ନାହିଁ । ସପ୍ତାହକ ମଧ୍ୟରେ ତିନିଜଣ ଚାଷୀଙ୍କ ମୃତ୍ୟୁ ପରେ ବି କଣ ସରକାରଙ୍କ ଚେତା ପଶିଲାନି କିପରି ? ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ତତ୍ପରତା ଦେଖାଇଥିଲେ ହୁଏତ ବୃନ୍ଦା ସାହୁ ବଂଚିଯାଇଥାନ୍ତେ ।

ବରଗଡ଼କୁ ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଏ । ଏବଂ ଏହି ଅଂଚଳରେ ଚାଷ ହିଁ ସବୁଠାରୁ ବଡ଼ ଜୀବିକା । ଆଉ ଯଦି ଏହି ଅଂଚଳରେ ଚାଷୀକୁ ନିମ୍ନ ମାନର କୀଟନାଶକ ଦିଆଯାଏ ଏବଂ ଚାଷୀ ସବୁକିଛି ହରାଇ ବସେ, ତେବେ ତାର ପରିଣାମ ନିଆଁ ଲଗାଇବାଠାରୁ ଆରଂଭ କରି ଆହୁରି ଭୟଙ୍କର ହେବାର ମଧ୍ୟ ଆଶଙ୍କା ରହିଛି । ଏହା ସରକାର ବୁଝିବା ଦରକାର ।ସରକାରଙ୍କୁ ସୁରକ୍ଷା ଦେବା ପାଇଁ ସବୁବେଳେ ଆଗକୁ ଆସୁଥିବା ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କୁ ପ୍ରଶ୍ନ କରିଥିବା ମୃତ ବୃନ୍ଦାସାହୁଙ୍କ ଝିଅର କ’ଣ ଜବାବ ରଖିବେ ଦାମ ରାଉତ ? ବୃନ୍ଦା ସାହୁଙ୍କ ପରିବାରକୁ କେମିତି ସାନ୍ତ୍ୱନା ଦେବେ ବରିଷ୍ଠ ମନ୍ତ୍ରୀ । ଦାମୋଦରଙ୍କ ସାନ୍ତ୍ୱନା ଚାଷୀ ପରିବାରକୁ ବୁଝାଇପାରିବକୁ ସକ୍ଷମ ହେବ ନା ଅନ୍ୟ ମୃତ ଚାଷୀ ପରିବାର ଭଳି ବୃନ୍ଦା ପରିବାରର ଆଶା, ଆଶାରେ ରହିଯିବ ?