ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ! କଂସ ଭୂମିକାରେ କିଏ କରିବ ଅଭିନୟ ?

104

କନକ ବ୍ୟୁରୋ : ବରଗଡ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୁଖ୍ୟ ଚରିତ୍ର କଂସଙ୍କ ଅଭିନୟ ପାଇଁ କଳାକାର ଚୟନକୁ ନେଇ ପୁଣି ଯୋରଦାର ଚର୍ଚ୍ଚା । କିଏ ହେବେ ଆସନ୍ତା ଧନୁଯାତ୍ରାର କଂସ ମହାରାଜ । ଗତ ସାଧାରଣ ପରିଷଦ ବୈଠକରେ ଉଠିଥିବା ଆପତି ପରେ କଂସ କଳାକାର ଚୟନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ବରଗଡ ଏଡ଼ିଏମଙ୍କ ସହ ଏନେଇ ଆଲୋଚନା କରିବା ପରେ ଚରିତ୍ର ଚୟନ ଦାୟିତ୍ୱର ନିଷ୍ପତି କୋର କମିଟି ଉପରେ ନ୍ୟସ୍ତ କରାଯାଇଛି ।

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରର ମୁଖ୍ୟ ଚରିତ୍ର କଂସ । ଚଳିତ ବର୍ଷ କଂସ ଭୁମିକା କିଏ ନିଭେଇବେ । ତାକୁ ନେଇ ଏବେଠୁ ଚର୍ଚ୍ଚା ଜୋର ଧରିଛି । ଅଭିନୟ ପାରଦର୍ଶିଏଡ଼ିଏମଙ୍କ, ଡାଏଲଗ ଡେଲିଭରି ସହ ପୁରାଣ ପାଠରେ ଜ୍ଞାନ ଥିବା ବ୍ୟକ୍ତି ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିବେ । ପୁରାଣ ବର୍ଣ୍ଣିତ ଦ୍ୱାପର ଯୁଗର କଂସକୁ ଖଳନାୟକ କୁହାଯାଉଥିବା ବେଳେ ବରଗଡ ଧନୁଯାତ୍ରାରେ କଂସକୁ ମହାନାୟକର ମାନ୍ୟତା ଦିଆଯାଇଛି । ତେବେ ଚଳିତବର୍ଷ ବରଗଡ ଧନୁଯାତ୍ରାରେ କଂସ କଳାକାରଙ୍କ ସହ କେତେକ ପାର୍ଶ୍ୱମନ୍ତ୍ରୀ ଚରିତ୍ର ବଦଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଧନୁଯତ୍ରାକୁ ନେଇ ବସିଥିବା ସାଧାରଣ ପରିଷଦ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା । କଳାକାର ଚୟନ କମିଟି କହିବା ଅନୁସାରେ ଧନୁଯାତ୍ରାର ମାନକୁ ନେଇ ସାଲିସ କରାଯାଇ ପାରିବ ନାହିଁ । ଗତବର୍ଷ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଭୁବନେଶ୍ୱର ପ୍ରଧାନଙ୍କ ଅଭିନୟରେ ସନ୍ତୁଷ୍ଟ ନୁହେଁ ଚୟନ କମିଟି । ତେଣୁ ଧନୁଯାତ୍ରାରେ କିଛି ନୂଆ କରିବାର ଯୋଜନା କରାଯାଉଛି । ହେଲେ କଂସ ଓ ପାର୍ଶ୍ୱମନ୍ତ୍ରୀ ଚୟନ କରିବା କମିଟି ଦ୍ୱାରା ଆଉ ସମ୍ଭବ ନୁହେଁ, ତେଣୁ ଏହାର ଚୁଡାନ୍ତ ନିଷ୍ପତି କୋର କମିଟି ନେବେ ବୋଲି କହିଛନ୍ତି ବରଗଡ ଏଡିଏମ୍ । ତେବେ ଦେଖିବାକୁ ବାକି ରହିଲା ବରଗଡ ଜିଲ୍ଲା ପ୍ରଶାସନ ଏନେଇ କଣ ପଦକ୍ଷେପ ଗ୍ରହଣ କରୁଛି । ଆଉ ଆଗାମୀ ଧନୁଯାତ୍ରାରେ କିଏ କଂସ ଭୁମିକା ନିର୍ବାହ କରୁଛନ୍ତି ।