ବସିଲା କଂସ ଦରବାର! ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଂଗମଂଚରେ ଚାଲିବ ରାଜ୍

48

ବରଗଡ: ମୁକ୍ତାକାଶ ରଂଗମଂଚରେ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡ ଜିଲ୍ଲାପାଳ ଧନୁଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏଥିସହ ଦ୍ୱାପର ଯୁଗକୁ ଫେରିଯାଇଛି ବରଗଡ଼ ସହର । ଗଣତନ୍ତ୍ର ବଦଳରେ ଚାଲିବ ରାଜତନ୍ତ୍ର । ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବ ମଥୁରା ନଗରୀ । ଦୀର୍ଘ ୧୧ ଦିନ ଧରି ଚାଲିବାକୁ ଥିବା ବରଗଡ଼ ଧନୁଯାତ୍ରା ଆଜି ଆରମ୍ଭ ହେଉଛି । ନାଟ୍ୟ ଅଭିନୟ ମାଧ୍ୟମରେ ସର୍ବବୃହତ ମୁକ୍ତାକାଶ ମଂଚରେ ଝଲସି ଉଠିବ ବରଗଡ଼ ଧନୁଯାତ୍ରା । ବରଗଡ଼ ସହର ପାଲଟିଯିବ ମଥୁରା ନଗରୀ । ଅମ୍ବାପାଲି ଗାଁରେ ଚାଲିବ ପ୍ରଭୂ କୃଷ୍ଣ-ବଳରାମଙ୍କ ଲୀଳା ।

ଆଜି ଏହି ମହୋତ୍ସବର ଆରମ୍ଭ ପୂର୍ବରୁ ସାଂସ୍କୃତିକ ରାଲି ଆୟୋଜିତ ହୋଇଛି । ଯେଉଁଥିରେ ଜିଲ୍ଲା, ରାଜ୍ୟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଶହ ଶହ କଳାକାର ସାମିଲ ହୋଇଛନ୍ତି । ଆଜି ସନ୍ଧ୍ୟା ସାଢ଼େ ୭ଟାରେ ରାଜ ଦରବାର ଉଦଘାଟିତ ହେବ । ଠିକ୍ ସେହିପରି ଆସନ୍ତାକାଲି ଉଦଘାଟିତ ହେବ ରଙ୍ଗ ମହଲ । ହରିବଂଶ ପୁରାଣରେ ବର୍ଣ୍ଣିତ ଦ୍ୱାପର ଯୁଗର କଥାବସ୍ତୁ ଉପରେ ଆଧାରିତ ବରଗଡ଼ର ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଠିକ୍ ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିଧିବଦ୍ଧ ଭାବରେ ଆରମ୍ଭ ହୁଏ ଏହି ଧନୁଯାତ୍ରା ।

ଇଂରେଜ ଶାସନ, ରାଜାରାଜୁଡା-ଜମିଦାରୀ ଶାସନ ଏବଂ ପୁଂଜିବାଦ ବିରୋଧରେ ଏକ ସ୍ୱରର ପ୍ରତୀକ ଭାବରେ ଆରମ୍ଭ ହୋଇଥିବା ଏହି ଧନୁଯାତ୍ରା ପରବର୍ତ୍ତୀ ସମୟ ଜନମାନସରେ ବେଶ ଲୋକପ୍ରିୟ ହୋଇପାରିଛି । ବିଶେଷ କରି ମହରାଜ କଂସଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବାର ସାହାସ କାହାରି ନଥାଏ । ଏମିତିକି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ମହାରାଜଙ୍କ ନିର୍ଦ୍ଦେଶ ପାଳନ କରିଥିବାର ନଜିର ରହିଛି ।