ଆଜି ସରିବ ବରଗଡ ଧନୁଯାତ୍ରା : ମଥୁରାରେ ମହାପ୍ରତାପି କଂସଙ୍କୁ ବଧ କରିବେ ଶ୍ରୀକୃଷ୍ଣ

42

କନକ ବ୍ୟୁରୋ :  ଧନୁଯାତ୍ରାର ଦଶମ ଦିନରେ ମଥୁରାରେ ପହଂଚିଲେ ବନବିହାରୀ କୃଷ୍ଣ ଓ ଭାଇ ବଳରାମ । ମଥୁରାରେ ପ୍ରଭୁଙ୍କ ଭବ୍ୟ ସ୍ୱାଗତ କରାଯାଇଛି । ଚାରିଆଡ଼େ ହରି ଧ୍ୱନୀ, ହୁଳହୁଳି ଆଉ ପୂଜାର୍ଚ୍ଚାନ । ଆଦିମାତା ମନ୍ଦିରରେ ଥିବା ମଧୁବନ ତୋଟାରୁ ବାଙ୍କବିହାରୀ ଆରମ୍ଭ କରିଥିଲେ ମଥୁରା ଭ୍ରମଣ । ବାଟରେ ନୈବେଦ୍ୟ, ଫୁଲ, ଦୀପ, ଚନ୍ଦନ ଇତ୍ୟାଦିରେ ପୂଜା କରି ମଥୁରାବାସୀ ଶ୍ରୀକୃଷ୍ଣ, ବଳରାମଙ୍କୁ ସ୍ୱାଗତ କରିଥିଲେ । ଏହାସହ କଂସର ଆତଙ୍କରୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ ।

ସେପଟେ ମହାରାଜା କଂସ ଧନୁଯାତ୍ରାର ଦଶମଦିନରେ ନଗର ଭ୍ରମଣ କରିବା ସହ ରଂଗ ମହଲରେ ନାଚ ଗୀତର ମଜା ଉଠାଇଥିଲେ । ମହାରାଜା କଂସ ରାଜଦରବାରକୁ ପହଂଚି ନ୍ୟାୟ ବିଚାର କରିଥିଲେ । ଏହାପରେ ମହାରାଜା କଂସ ରାତ୍ରୀ ନିଦ୍ରାରେ ଥିବା ବେଳେ ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି । କେତେବେଳେ କୃଷ୍ଣ ଦେବକୀ ଓ ବସୁଦେବଙ୍କ କୋଳରେ ଖେଳୁଛନ୍ତି ତ ଆଉ କେତେବେଳେ କଂସର ଛାତିରେ ଚଢି ତାଙ୍କୁ ବଧ କରୁଛନ୍ତି । ଏମତି କିଛି ସ୍ୱପ୍ନ ଦେଖି ହଠାତ୍ ମହାପ୍ରତାପି କଂସଙ୍କ ନିଦ ଭାଙ୍ଗିଯାଇଛି ଓ ସେ ଚମକି ପଡ଼ି ନିଜ ମନ୍ତ୍ରୀ ପରିଷଦକୁ ଜଣାଇଛନ୍ତି । ହେଲେ ମନ୍ତ୍ରୀ ଓ ସେନାପତି ମହାରାଜା କଂସଙ୍କୁ ଆଶ୍ୱସ୍ତି କରିଛନ୍ତି ।

ଏବେ ଅପେକ୍ଷା କେବଳ ସେହି ମୁହୁର୍ତକୁ କେତେ ବେଳେ ନନ୍ଦକୁମର କୃଷ୍ଣବଳରାମ ଆସିବେ ଓ ମଥୁରାରେ ଆତଙ୍କ ଚଳାଇଥିବା କଂସଙ୍କୁ ନିଧନ କରିବେ । କଂସ ମୃତ୍ୟୁରେ ସମଗ୍ର ମଥୁରା ଓ ଗୋପପୁରରେ ଆନନ୍ଦର ଲହରୀ ସହ ସମାପନ ହେବ ଧନୁଯାତ୍ରା ।