ଆସନ୍ତାକାଲି ବାରବାଟୀ ଦିନିକିଆ : ଆଜିଠୁ ପୁଲିସ ନିୟନ୍ତ୍ରଣରେ ରହିବ ଷ୍ଟାଡିୟମ

41

କନକ ବ୍ୟୁରୋ : ଆସନ୍ତାକାଲି ବାରବାଟୀରେ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଟକ୍କର । ଆଜି ମଧ୍ୟାହ୍ନରେ ଦୁଇ ଦେଶର ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ । ସକାଳ ୯ଟାରେ ଇଂଲଣ୍ଡର ଦୁଇ ସହଯୋଗୀ ଅଧିକାରୀ ପ୍ରଥମେ ଭୁବନେଶ୍ୱରରେ ପହଁଚିବା ପରେ ଦିନ ସାଢ଼େ ଗୋଟାଏରେ ଦୁଇ ଦଳର ଖେଳାଳି ସ୍ୱତନ୍ତ୍ର ବିମାନ ଯୋଗେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇବେ । ସେଠାରୁ ସୋମାନଙ୍କ ଖେଳ ଉପକରଣ ସିଧା ବାରବାଟୀ ଷ୍ଟାଡିୟମକୁ ଯିବ ।

ତେବେ ଅନ୍ୟାନ୍ୟ ସାମଗ୍ରୀ ସହ ଖେଳାଳିମାନେ ହୋଟେଲକୁ ଯିବେ । ଏଥିପାଇଁ ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍କୁ ସିଲ୍ କରି ଦିଆଯିବ । ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁଯାୟୀ ଖେଳାଳିମାନଙ୍କୁ ବିମାନବନ୍ଦରରୁ କଡା ସୁରକ୍ଷା ବଳୟ ଭିତରେ ଏଜି ଛକ, ରାଜଭବନ ଛକ ଦେଇ ସିଧା ମେଫେୟାର ହୋଟେଲ ନିଆଯିବ । ସେଠାରେ କିଛି ସମୟ ବିଶ୍ରାମ କରିବା ପରେ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୁଇ ଦଳ ବାରବାଟୀରେ ଅଭ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି । ତେବେ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି କମିଶନରେଟ୍ ପୋଲିସ୍ ପକ୍ଷରୁ ମକଡ୍ରିଲ୍ କରାଯାଇଛି ।

କମିଶନର ଯୋଗେଶ ବାହାଦୂର ଖୁରାନିଆଙ୍କ ସୂଚନା ଅନୁସାରେ ଆଜି ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମ ପୋଲିସ ନିୟନ୍ତ୍ରଣରେ ରହିବ । ଉଭୟ ଦଳର ଖେଳାଳିଙ୍କୁ କଡା ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱରରୁ ବାରବାଟୀ ଅଣାଯିବ । ଏବଂ ମ୍ୟାଚ ଶେଷ ହେବା ପରେ ସେହିଭଳି ସୁରକ୍ଷା ବଳୟରେ ଭୁବନେଶ୍ୱର ମେଫେୟାର ହୋଟେଲକୁ ନିଆଯିବ ।ସେହିପରି ମ୍ୟାଚ ପାଇଁ ପୋଲିସ ପକ୍ଷରୁ ୬୩ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ଏବଂ ୩୦୦ଅଫିସର ସୁରକ୍ଷା ବ୍ୟବସ୍ଥାର ପରିଚାଳନା ଦାୟିତ୍ୱରେ ରହିବେ ବୋଲି କମିଶନର କହିଛନ୍ତି ।ଏହା ବ୍ୟତିତ ଷ୍ଟାଡିୟମ ଭିତରେ କିଛି ଜରୁରୀକାଳିନ ସ୍ଥିତିର ମୁକାବିଲା ପାଇଁ କୁଇକ୍ ଆକ୍ସନ ଟିମ୍ ଗଠନ କରିଛି କମିଶନରେଟ୍ ପୋଲିସ୍ ।