ବାରବାଟୀ-କଟକ ଗଡ଼ ଦଖଲ କରିବ କିଏ ? କଂଗ୍ରେସ ମଙ୍ଗ ଧରିଛନ୍ତି ମୋକିମ ! କାହାକୁ ବାଛିବ ବିଜେପି, ବିଜେଡିର ହ୍ୟାଟ୍ରିକ୍ ପାଇଁ ଦେବାଶିଷ ନା ଆଉ କିଏ ?

ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ରାଜ୍ୟ ରାଜନୀତି ସରଗରମ ।

197

କନକ ବ୍ୟୁରୋ: ବାରବାଟୀ-କଟକ ସିଂହାସନ ପାଇଁ ଲଢ଼େଇ । ଏହି ବିଧାନସଭା କ୍ଷେତ୍ରକୁ ଆଗାମୀ ନିର୍ବାଚନରେ କିଏ ଜିତିବ ତାକୁ ନେଇ ଚାଲିଛି ଅଙ୍କ କଷା । କାରଣ ଗଲା ଦୁଇଟି ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଆସିଥିବା ଦେବାଶିଷ ସାମନ୍ତରାୟ ପୁଣି ଥରେ ଏଠୁ ବିଜେଡି ପ୍ରାର୍ଥୀ ହେବେ ତ ? ଦେବାଶିଷ ଯଦି ଅନ୍ୟ କୌଣସି ଆସନକୁ ଯାଆନ୍ତି ତେବେ ତାଙ୍କ ବଦଳରେ ବିଜେଡି ପ୍ରାର୍ଥୀ କିଏ ହେବେ ତାହା ମଧ୍ୟ ବଡ଼ ପ୍ରଶ୍ନ । ସେପଟେ କଂଗ୍ରେସର ଏକଦା ସମ୍ଭାବ୍ୟ ପ୍ରାର୍ଥୀ ଭାବେ ନିର୍ବାଚନୀ ମୈଦାନରେ ନଜର ଆସୁଛନ୍ତି ମହମ୍ମଦ ମୋକିମ । ତେବେ ଏହି ଗୁରୁତ୍ବପୂର୍ଣ୍ଣ ଆସନରୁ ବିଜେପି ପ୍ରାର୍ଥୀ କିଏ ହେବେ ? ପୂର୍ବତନ ମନ୍ତ୍ରୀ ସମୀର ଦେ ପୁଣି ଥରେ ଏଠୁ ଭାଗ୍ୟ ପରୀକ୍ଷା କରିବେ କି ? ଏଭଳି ଗୋଟିଏ ପରେ ଗୋଟି ପ୍ରଶ୍ନ ଏବେ କଟକିଆଙ୍କୁ ଆନ୍ଦୋଳିତ କରିଛି ।

ଏପ୍ରିଲ ୨୩ ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ଥିବା କଟକ ସଂସଦୀୟ କ୍ଷେତ୍ରର ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ରାଜ୍ୟ ରାଜନୀତି ସରଗରମ । ବର୍ତ୍ତମାନର ବାରବାଟୀ-କଟକ ଏବଂ ୨୦୦୯ ପୂର୍ବରୁ କଟକ ସହର ବିଧାନସଭା ଆସନର ଗୁରୁତ୍ୱ ସବୁ ବେଳେ ରାଜ୍ୟ ରାଜନୀତିରେ ରହି ଆସିଛି । ଏହି ଆସନରୁ ବିଜୟୀ ହୋଇ ଦୁଇ ଜଣ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ର ଏବଂ ନନ୍ଦିନୀ ଶତପଥୀ ଏକଦା ଏହି ଆସନରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ । ସମୀର ଦେ ଓ ସୟଦ ମୁସ୍ତାଫିଜ ଅହମ୍ମଦ ଏହି ଆସନରୁ ଏକାଧିକ ଥର ବିଜୟୀ ହେବା ସହ ରାଜ୍ୟ ମନ୍ତ୍ରିମଣ୍ଡଳର ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳି ଥିଲେ ।

୨୦୧୪ ନିର୍ବାଚନରେ ୩ଟି ଯାକ ପ୍ରମୁଖ ଦଳ ନିଜ ନିଜର ଭୋଟ ବୃଦ୍ଧି କରିଥିଲେ ବି ଅନୁରୂପ ଢଙ୍ଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ବିଜେଡିକୁ ୫୭ ହଜାରରୁ ଅଧିକ ଭୋଟରେ ବିଜୟର ଦ୍ୱାରା ଦେଖାଇଥିଲେ ଦେବାଶିଷ ସାମନ୍ତରାୟ । ଚଳିତ ଥର କିନ୍ତୁ ଦେବାଶିଷଙ୍କୁ ଦକ୍ଷିଣ ଅନ୍ୟ କେଉଁ ଆସନରୁ ସୁପ୍ରିମୋ ମୈଦାନକୁ ଓହ୍ଲାଇବା ଚର୍ଚ୍ଚା ହେଉଛି । ଯଦି ଏଭଳି ହୁଏ ତେବେ ଏଥର ବିଜେଡିର ମଙ୍ଗ କିଏ ଏଠାରୁ ସମ୍ଭାଳିବ ତାକୁ ନେଇ ସସପେନ୍ସ ଜାରି ରହିଛି ।

ସେହିଭଳି ଗତ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ଟାଣୁଆ ନେତା ମହମ୍ମଦ ମୋକିମ୍ ବିଜେଡି ପ୍ରର୍ଥୀ ଦେବାଶଷଙ୍କୁ କଡ଼ା ଟକ୍କର ଦେଇଥିଲେ । ଫଳରେ କଂଗ୍ରେସକୁ ୪୩ ହଜାରରୁ ଅଧିକ ଭୋଟ ମିଳିଥିଲା । ଯାହାକି ମୋକିମଙ୍କର ଜନସମର୍ଥନକୁ ଦଳୀୟ ସୁପ୍ରିମୋଙ୍କ ନିକଟରେ ପ୍ରତିପାଦିତ କରିଥିଲା ଏବଂ ଦଳ ଦ୍ୱିତୀୟ ସ୍ଥାନରେ ରହି ସନ୍ତୁଷ୍ଟ ହୋଇଥିଲା । ସେହି ବିଶ୍ୱାସ ଏବଂ ଜନସମର୍ଥନ ପାଇଁ ଏଥର ମଧ୍ୟ ମୋକିମଙ୍କୁ ଟିକେଟ୍ ମିଳିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ତାଙ୍କ ସମର୍ଥକ ମାନେ ଦାବି କରିଛନ୍ତି ।

ଅପରପକ୍ଷେ ଗତ ନିର୍ବାଚନରେ କେନ୍ଦ୍ରରେ ମୋଦି ମ୍ୟାଜିକ୍ କାମ ଦେଇଥିଲେ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ନବୀନ ହ୍ୱାୱାକୁ ପ୍ରତିହତ କରିବାରେ ବିଫଳ ହୋଇଥିଲା ବିଜେପି । ଯାହାଦ୍ୱାରା ବିଜେପିକୁ ପାଖାପାଖି ୨୦ ହଜାର ଭୋଟ୍ ମିଳିଥିଲା ଏବଂ ଦଳ ତୃତୀୟ ସ୍ଥାନରେ ରହିଥିଲା । ହେଲେ ଚଳିତ ଥର ବିଜେପି ଫୋକସରେ ଓଡ଼ିଶା ଥିବାରୁ ବିଜେପି ଜଣେ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଏଠାରୁ ପ୍ରାର୍ଥୀ କରିପାରେ ବୋଲି ଶୁଣିବାକୁ ମିଳୁଛି । ସମୀରଙ୍କ ବ୍ୟତୀତ ବିଜେପି ନେତା ବିଶ୍ୱଜିତ୍ ମହାନ୍ତି ମଧ୍ୟ ଟିକେଟ୍ ପାଇବାକୁ ଆଶାୟୀ ରହିଛନ୍ତି । ଅନ୍ୟପଟେ ଚଳିତଥର ନିର୍ବାଚନରେ ଶାସକ ଓ ବିରୋଧୀ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।