ପୋଲିସକୁ ବାରଗର୍ଲଙ୍କ ପ୍ରଶ୍ନ । ଯାତ୍ରାରେ ଅଶ୍ଳୀଳ ନାଚ ହେଉଛି ସେଠି ତ ଚଢାଉ ହେଉନାହିଁ, ବାର୍ ଉପରେ ଚଢାଉ କରି କାହିଁକି ଦାଉ ସାଧୁଛି ପୋଲିସ?

261

କନକ ବ୍ୟୁରୋ : ରାଜଧାନୀରେ ଡ୍ୟାନ୍ସ ବାର ଉପରେ କମିସନରେଟ୍ ପୋଲିସର ରାତି ଅଧିଆ ଚଢ଼ାଉ ପରେ ଆରମ୍ଭ ହୋଇଛି ବଡ ଧରଣର ବିବାଦ । ବେଆଇନ୍ ଭାବେ ଏହି ଡ୍ୟାନ୍ସ ବାରଗୁଡିକ ଚାଲୁଥିବାରୁ ଚଢାଉ କରାଯାଇଥିବା ପୋଲିସ କହୁଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛି ବାର୍ ମାଲିକ ସଂଘ । ୪ ସପ୍ତାହ ମଧ୍ୟରେ ଲାଇସେନ୍ସ ନେଇ ନିଷ୍ପତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏଯାଏଁ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ସଂଘ ପ୍ରଶ୍ନ କରିଛି । ସେପଟେ ଡ୍ୟାନ୍ସ ବାର ବନ୍ଦ ହେଲେ ସେମାନେ କିଭଳି ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି ବାର୍ ଡ୍ୟାନ୍ସର ।

ରାଜଧାନୀରେ ଡ୍ୟାନ୍ସ ବାର ଉପରେ କମିସନରେଟ୍ ପୋଲିସର ରାତି ଅଧିଆ ଚଢ଼ାଉ ପରେ ମୁହଁ ଖୋଲିଛନ୍ତି ବାରଗର୍ଲ । ସେମାନଙ୍କ ଯୁକ୍ତି, ଛୋଟ ଡ୍ରେସ୍ ପିନ୍ଧି ଅଶ୍ଳୀଳ ନୃତ୍ୟ କରୁନଥିଲେ ବି ସେମାନଙ୍କ ପେଟରେ ଲାତ ମାରୁଛି ପୋଲିସ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ହେଉଥିବା ବେଳେ ସେଠି ରେଡ୍ ନକରି ସେମାନଙ୍କ ଉପରେ ପୋଲିସ କାହିଁକି ଦାଉ ସାଧୁଛି ବୋଲି ପ୍ରଶ୍ନ କରିଛନ୍ତି ବାରଗର୍ଲ । ସେପଟେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବାର୍ ମାଲିକ ସଂଘ । ୪ ସପ୍ତାହ ମଧ୍ୟରେ ଲାଇସେନ୍ସ ନେଇ ନିଷ୍ପତି ନେବା ପାଇଁ ଗତ ମାର୍ଚ୍ଚ ମାସରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ୪ ମାସ ବିତିଥିଲେ ବି କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ପ୍ରଶ୍ନ କରିଛି ବାର୍ ମାଲିକ ସଂଘ ।

ଗତକାଲି ରାତିରେ ଭୁବନେଶ୍ୱରରେ ପ୍ରାୟ ୧୦ଟି ଡ୍ୟାନ୍ସ ବାର ଉପରେ ବଡ଼ ଧରଣର ଛାପା ମାରିଛି କମିଶନରେଟ୍ ପୋଲିସ । ବେଆଇନ୍ ଭାବେ ଏହି ଡ୍ୟାନ୍ସ ବାରଗୁଡିକ ଚାଲୁଥିବା ଦର୍ଶାଯାଇଛି । ପୁରୀ-କଟକ ରୋଡରେ ହୋଇଥିବା ଚଢ଼ାଉରେ ୩ ପ୍ଲାଟୁନ୍ ଫୋର୍ସ, ୨ ଜଣ ଏସିପି ଏବଂ ୭ ଜଣ ଆଇଆଇସି ସାମିଲ ହୋଇଥିଲେ । ସେଠାରୁ ପ୍ରାୟ ୯୬ ଜଣ ବାରଗର୍ଲକୁ ଉଦ୍ଧାର କରିଥିଲା ପୋଲିସ । ନୈନିତାଲ, ଉତରପ୍ରଦେଶ, ହିମାଚଳ ପ୍ରଦେଶ, ପଂଜାବ, ପଶ୍ଚିମବଙ୍ଗ, ଦିଲ୍ଲୀ, ହରିୟାଣାରୁ ଆସି ଏମାନେ ଡ୍ୟାନ୍ସବାର ଗୁଡିକରେ ନିୟୋଜିତ ହୋଇଥିଲେ । ପରିଚୟ ପତ୍ର ଦେଖିବା ପରେ ସେମାନଙ୍କୁ ଛାଡି ଦେଇଛି ପୋଲିସ ।

ବାରଗର୍ଲଙ୍କୁ ନିୟୋଜିତ କରୁଥିବା ବାର୍ ମାଲିକମାନେ ଓଡିଶା ଏକ୍ସାଇଜ୍ ରୁଲ- ୨୦୧୭କୁ ପାଳନ କରୁଛନ୍ତି ନା ନାହିଁ, ତାର ଛାନଭିନ୍ କରାଯିବ ବୋଲି କହିଛି ପୋଲିସ । ବାରରେ ଯୁବତୀମାନେ ଉତ୍ତେଜକ ପୋଷାକ ପିନ୍ଧିବା, ମଦ ପରିବେଷଣ କରିବା, ଗ୍ରାହକମାନେ ଟଙ୍କା ଉଡାଇବା ଉପରେ କଟକଣା ରହିଛି । ତେବେ ଓଡିଶା ଏକ୍ସାଇଜ୍ ରୁଲ- ୨୦୧୭ ଅନୁସାରେ, ବାରରେ ଯୁବତୀଙ୍କ ଡ୍ୟାନ୍ସ ପାଇଁ କ’ଣ ରହିଛି ନିୟମ ?
– ଏକ୍ସାଇଜ୍ କମିଶନରଙ୍କଠାରୁ ଲାଇସେନ୍ସ ନେବାକୁ ପଡିବ
– ମହିଳା ଡ୍ୟାନ୍ସର ନିଯୁକ୍ତି ପାଇଁ ନେବେ ଅନୁମତି
– ଯୁବତୀମାନେ ଗ୍ରାହକଙ୍କୁ ମଦ ସର୍ଭ କରିପାରିବେନି
– ବାରରେ ସିସିଟିଭି ଲଗାଯିବ
– ଉତ୍ତେଜକ ପୋଷାକ ପିନ୍ଧି ପାରିବେନି ବାରଗର୍ଲ
– ଅତିକମରେ ୩ ଫୁଟ୍ ଉଚ୍ଚ ହେବ ଡ୍ୟାନ୍ସ ପେଣ୍ଡାଲ
– ଗ୍ରାହକଙ୍କଠାରୁ ଦୂରତା ୫ ଫୁଟ୍ ରହିବ
– ଗ୍ରାହକଙ୍କଠୁ ଟଙ୍କା ନେଇ ପାରିବେନି ବାର ଡ୍ୟାନ୍ସର

ଏକ୍ସସାଇଜ୍ ନିୟମକୁ ବାର୍ ମାଲିକ ମାନୁନଥିବା ଅଭିଯୋଗ କରୁଛି ପୋଲିସ । ଗତକାଲିର ଛାପା ପରେ ଭୁବନେଶ୍ୱରରେ ଆଜି ଅନେକ ବାର୍ ବନ୍ଦ ପଡିଥିବା ଦେଖିବାକୁ ମିଳିଛି ।