ଭରା ନଇ ମଝିରୁ ଉଦ୍ଧାର ହେଲେ ଶ୍ରମିକ : ବଂଶଧାରାରେ ଫସି ରହିଥିବା ୫୧ ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ଏନଡିଆରଏଫ ଟିମ୍

42

କନକ ବ୍ୟୁରୋ : ମଝି ନଇରୁ ଶ୍ରମିକଙ୍କୁ ଉଦ୍ଧାର କଲା ଏନଡିଆରଏଫ୍ । ବଂଶଧାରା ନଦୀ ମଝିରେ ଫସି ରହିଥିବା ୫୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ବାଲି ଘାଟରୁ ଗାଡିରେ ବାଲି ଲୋଡିଂ କରୁଥିବା ବେଳେ ହଠାତ୍ ବୃଦ୍ଧି ପାଇଥିଲା ବଂଶଧାରାର ଜଳସ୍ତର । ଫଳରେ ନଦୀ ମଝିରେ ଅଟକି ରହିଥିଲେ ଶ୍ରମିକ ମାନେ । ଓଡିଶାର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୀମାନ୍ତବର୍ତ୍ତୀ ଆନ୍ଧ୍ର ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି ।

ସେପଟେ କଳାହାଣ୍ଡିରେ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି । ଲଗାଣ ବର୍ଷା ଯୋଗୁଁ ହାତୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ମଦନପୁର-ରାମପୁର ବ୍ଲକ ଗୋଡଘଡା ଠାରେ ମଧ୍ୟ ରାସ୍ତା ଧୋଇଯାଇଛି । ୫୯ ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଛି । ସେହିପରି ଲାଂଜିଗଡରେ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର ରାସ୍ତା ଧୋଇଯାଇଛି । ଫଳରେ ଲୋକେ ଯିବା ଆସିବା କରିପାରୁନାହାନ୍ତି । ଭବାନୀପାଟଣା ମ୍ୟୁନିସପାଲଟିର ତଳିଆ ଅଂଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

କେବଳ କଳାହାଣ୍ଡି ନୁହେଁ ଲଗାଣ ବର୍ଷା ଯୋଗୁଁ କୋଣାର୍କ ମନ୍ଦିରରେ ପଶିଛି ପାଣି । ସୂର୍ଯ୍ୟମନ୍ଦିରର ଚାରିପଟେ ପାଣି ଜମି ରହିଥିବାରୁ ପର୍ଯ୍ୟଟକ ମାନେ ପାଣି ଭିତରେ ପଶି ବୁଲୁଛନ୍ତି । ସେହିପରି ବ୍ରହ୍ମଗିରି ଅଲରାନଥ ମନ୍ଦିର ପରିସରରେ ମଧ୍ୟ ପାଣି ଜମା ହୋଇ ରହିଛି । ପୁରୀରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ମାର୍କଣ୍ଡ ପୋଖରୀର ପାଚେରୀ ଭାଙ୍ଗି ଯାଇଛି । ୧୦୦ଫୁଟର ଏହି ପାଚେରୀ ଭାଙ୍ଗି ଗଳିପଡିଛି । ଫଳରେ ଏକନମ୍ବର ୱାର୍ଡ ଉପରେ ବିପଦ ରହିଥିବା ଖବର ମିଳିଛି । ପୁରୀର ପଂଚତୀର୍ଥ ମଧ୍ୟରୁ ଏହି ପୁସ୍କରିଣି ଅନ୍ୟତମ । ଏହି ଘଟଣା ପରେ ପୁରୀ ଗୋଶାଲାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ କଟକରେ ନାହିଁନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇଦିନର ବର୍ଷାରେ କଟକର ତଳିଆ ଅଂଚଳରେ ପାଣି ପଶିଯାଇଛି । ଫଳରେ ଲୋକେ ନାହିଁନଥିବା ଅବସ୍ଥାର ସମ୍ୁଖୀନ ହୋଇଛନ୍ତି । ଜଳ ନିଷ୍କାସନ ପାଇଁ ୧୫୫ଟି ପମ୍ପର ବ୍ୟବସ୍ଥା ହୋଇଛି । ସୂତାହାଟ, ପଟ୍ଟାପୋଲ, ରକ୍ସିଲେନ, ମହମ୍ମଦିଆ ବଜାର ଓ ଅନ୍ୟାନ୍ୟ ଅଂଚଳରେ ପାଣି ପଶିଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ସହରର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି । ସମସ୍ତ ୬୦ ୱାର୍ଡର କର୍ପୋରେଟରଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।