ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ, ଆଉ ମିଳିବନି ମାଗଣା ସେବା ! ଏବେ ଠାରୁ ଏଟିଏମ ଟ୍ରାନଜାକ୍ସନ, ଚେକ ଓ କାର୍ଡ଼ ବ୍ୟବହାର ଉପରେ ମଧ୍ୟ ଲାଗିବ ଶୁଳ୍କ

43

ଆଉ ମାଗଣାରେ ମିଳିବ ନାହିଁ ବ୍ୟାଙ୍କର କୌଣସି ବି ସେବା । ବ୍ୟାଙ୍କର ସମସ୍ତ ସେବା ଉପରେ ଗ୍ରାହକଙ୍କୁ ଶୁଳ୍କ ଦେବା ପାଇଁ ପଡ଼ିବ । ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଦେଉଥିବା ସମସ୍ତ ସେବାରେ ଚାର୍ଜ ଲଗାଇବା ପାଇଁ ଦାବି କରିଛି । ଏପରିସ୍ଥଳେ ବ୍ୟାଙ୍କରୁ ଟଙ୍କା ବାହାର କରିବା, ଜମା କରିବା, ଏଟିଏମରୁ ହେଉଥିବା ଟ୍ରାନଜାକ୍ସନ, ନିମ୍ନତମ ଆକାଉଂଟ ଜମା ରଖିବା ଓ ଚେକବୁକର ବ୍ୟବହାର କରିବା ମହଙ୍ଗା ହୋଇପାରେ । ଦେଶର ପ୍ରମୁଖ ବ୍ୟାଙ୍କ ଯେପରି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ଏଚଡ଼ିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ଦ୍ରବ୍ୟ ଓ ସେବାକର ମହାନିର୍ଦ୍ଦେଶାଳୟ ତରଫରୁ ନୋଟିସ୍ ଜାରି କରାଯାଇଛି । ଯେଉଁଠି ବିଗତ ୫ ବର୍ଷର ଟିକସ ଜମା କରିବା ପାଇଁ କୁହାଯାଉଛି । ମହାନିର୍ଦ୍ଦେଶାଳୟର ଏହି ପଦକ୍ଷେପ ଯୋଗୁଁ ବ୍ୟାଙ୍କ ଦ୍ୱାରା ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ସେବା ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେଉଁ ଗ୍ରାହକ ନିଜ ଖାତାରେ ନିମ୍ନତମ ଜମା ଟଙ୍କା ରଖୁନଥିଲେ, ତାଙ୍କ ଖାତାରୁ ଟଙ୍କା କଟିଯାଉଥିଲା । ବ୍ୟାଙ୍କ ଏହି ଟଙ୍କା କାଟିବା ପରେ ସର୍ଭିସ ଟାକ୍ସ ଜମା କରିନାହାନ୍ତି, ଯାହଦ୍ୱାରା ଏବେ ବ୍ୟାଙ୍କକୁ ଏପରି ନୋଟିସ ପଠାଯାଇଛି । ଏହି ସବୁ ବ୍ୟାଙ୍କ ଗୁଡ଼ିକୁ ଅତି କମରେ ୬ ହଜାର କୋଟିର ଟାକ୍ସ ପଇଠ କରିବା ପାଇଁ ପଡ଼ିବ । ବ୍ୟାଙ୍କ ପ୍ରଥମରୁ ହିଁ ଏନପିଏ ଚକ୍କରରେ ଅସୁବିଧାରେ ପଡ଼ିଛି । ଏଥିପାଇଁ ବ୍ୟାଙ୍କଗୁଡ଼ିକ ନିଜ ଉପରେ ଥିବା ବୋଝକୁ କମ କରିବା ସହ ଗ୍ରାହକଙ୍କ ଉପରେ ବୋଝ ଲଦିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଏହାବବ୍ୟତୀତ ଏତେ ଟଙ୍କା କିପରି ଗ୍ରାହକଙ୍କ ଠାରୁ ଅସୁଲ କରିହେବ ସେ ନେଇ ମଧ୍ୟ ବ୍ୟାଙ୍କ ଗୁଡ଼ିକ ଚିନ୍ତାରେ ଅଛନ୍ତି । ନିଜ ଉପରୁ ବୋଝ ଉତାରିବା ପାଇଁ ବ୍ୟାଙ୍କ ଏହି ଉପାୟ ବାହାର କରିଛି ।