ନିର୍ବାଚନ ଲଢିବେନି ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ । ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖିଲେ, କହିଲେ, ଦଳ ପାଇଁ କାମ କରିବି । ବିଜେପି ବିରୋଧରେ ଆଣିଲେ ବଡ ଅଭିଯୋଗ

506

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଲଢିବେନି ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ । ଏନେଇ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ନିଜ ମନର କଥା ଜଣାଇଛନ୍ତି ପ୍ରଭାତ । ତାଙ୍କ ପାଇଁ ଦଳର ଛବି ଓ ଭାବମୂର୍ତ୍ତି ପେଯରି ଖରାପ ନ ହେଉ ସେଥିପାଇଁ ଟିକେଟ ଘୋଷଣା ପୂର୍ବରୁ ନିର୍ବାଚନରୁ ଓହରିଯାଇଛନ୍ତି ପ୍ରଭାତ । ଏହାଛଡା ଦଳ ଚାହିଁଲେ ତାଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦେଇପାରିବ ବୋଲି କହିଛନ୍ତି ପ୍ରଭାତ । ଏହା ସହିତ ନବୀନଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଭାତ । ଏହାସହ ନବୀନ ଯାହା ନିଷ୍ପତି ନେବେ ତାହାକୁ ସେ ମାନିନେବେ ବୋଲି କହିଛନ୍ତି ପ୍ରଭାତ ।

ଚିଠିରେ ଚିଟଫଣ୍ଡ କଥା ଉଲ୍ଲେଖ କରି ପ୍ରଭାତ କହିଛନ୍ତି, ବିଜେପି ପକ୍ଷରୁ ମୋ ବିରୋଧରେ ଷଡଯନ୍ତ୍ର କରାଯାଇଥିଲା । କନ୍ଧମାଳ ଉପ-ନିର୍ବାଚନବେଳେ ଦଳର ଭାବମୂର୍ତି ଖରାପ କରିବା ପାଇଁ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ସେ କୌଣସି ଚିଟଫଣ୍ଡ ସଂସ୍ଥା ସହ ଜଡିତ ନଥିଲେ କିମ୍ବା କୌଣସି ଚିଟଫଣ୍ଡ କମ୍ପାନିରେ ଭାଗିଦାର ମଧ୍ୟ ନଥିଲେ ।

ବିରୋଧୀଙ୍କ ପକ୍ଷରୁ ମୋ ବିରୋଧରେ ଷଡଯନ୍ତ୍ର କରାଯାଇଥିଲେ ମଧ୍ୟ ଏହାର ପ୍ରଭାବ ଦଳ ଉପରେ ଆଦୌ ପଡିନାହିଁ । ଓଡିଶାରେ ଦଳ ଏପର୍ଯ୍ୟନ୍ତ ପୂର୍ବ ଭଳି ଲୋକପ୍ରିୟତା ବଜାୟ ରଖିଛି । ଏହାଛଡା ମୋ ବିରୋଧରେ ବିରୋଧୀ ଯେଉଁ ଷଡଯନ୍ତ୍ର କରିଥିଲେ ତାହାଦ୍ୱାରା ବାଙ୍କୀବାସୀଙ୍କ ନିକଟରେ ମୋ ଭାବମୂର୍ତ୍ତି ଆହୁରି ସ୍ୱଚ୍ଛ ହୋଇଛି ବୋଲି କହିଛନ୍ତି ପ୍ରଭାତ ।

୨୦୧୪ରେ ବିଜେଡି ଟିକେଟରୁ ନିର୍ବାଚନ ଲଢିଥିବା ପ୍ରଭାତ ୪୪ ହଜାର ଭୋଟରେ ବାଙ୍କୀରେ ବିଜୟ ବାନା ଉଡାଇଥିଲେ । ଆଉ ଏହି ଫଳାଫଳରେ ହିଁ ପ୍ରଭାତଙ୍କ ଲୋକପ୍ରିୟତା ଦେଖିବାକୁ ମିଳିଥିଲା । ଯାହା ଏବେ ପର୍ଯ୍ୟନ୍ତ ଅତୁଟ ରହିଛି ବୋଲି କହିଛନ୍ତି ପ୍ରଭାତ । ବିଜେଡି ସୁପ୍ରିମୋଙ୍କ ନିର୍ବାଚନ ନ ଲଢିବା ନେଇ ପ୍ରଭାତ ଚିଠି ଲେଖିବା ପରେ ତାଙ୍କ ପୁଅକୁ ବାଙ୍କୀ ଆସନରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।