ବାଙ୍କି ଡବଲ ମର୍ଡର ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଂଗ୍ରେସର ୧୨ ଘଂଟିଆ ବାଙ୍କି ବନ୍ଦ . . . ଟାୟାର ଜାଳି ରାସ୍ତା ଅବରୋଧ, ଦୋକାନ ବଜାର ବନ୍ଦ କଲେ କଂଗ୍ରେସ କର୍ମୀ 

365

କନକ ବ୍ୟୁରୋ : ବାଙ୍କି ଡବଲ ମର୍ଡର ଘଟଣାରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ବାଙ୍କି ବନ୍ଦ ଡାକରା ଦିଆଯାଇଛି । ଦୁଇଟି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଓ କ୍ରାଇମବ୍ରାଂଚ ତଦନ୍ତ ଦାବି କରି ୧୨ ଘଂଟିଆ ବାଙ୍କି ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ କର୍ମୀ ବାଙ୍କୀର ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସେହିପରି କଂଗ୍ରେସ କର୍ମୀ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରିବେ ବୋଲି କହିଛନ୍ତି । ଫେବୃୟାରୀ ୧୫ ତାରିଖରେ ବାଙ୍କି ଅଂଚଳରେ ଡବଲ ମର୍ଡର ଚାଂଚଲ୍ୟ ଖେଳାଇ ଦେଇଥିଲା ।

ବୈଦେଶ୍ୱର ଥାନା ଅନ୍ତର୍ଗତ ଯୋକଲାଂଜି ଠାରେ ସରପଂଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୁବୃର୍ତ । ଅପରାହ୍ଣ ପ୍ରାୟ ୨ଟା ୩୦ରେ ପଂଚାୟତ କାର୍ଯ୍ୟ ସାରି ବାଇକରେ ଘରକୁ ଫେରୁଥିଲେ ଖଜୁରିପଦା-ନୂଆଗାଁ ପଂଚାୟତ ସରପଂଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂ । ୧୫ ଜଣ ଦୁବୃର୍ତ ଯୋକଲାଂଜି ଠାରେ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଗୁରୁତର ଅବସ୍ଥାରେ ବାଙ୍କି ହସପିଟାଲକୁ ନିଆଯାଉଥିବା ବେଳେ ଆଦିତ୍ୟ ରଣସିଂ ପ୍ରାଣ ହରାଇଥିଲେ ।

ସେହିପରି  କଟକ ବଡ଼ ମେଡିକାଲ ଯିବା ବାଟରେ ପ୍ରାଣ ହରାଇଥିଲା ଭଗବାନ ସ୍ୱାଇଁ । ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଦାବି ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି ।