ବ୍ୟାଙ୍କ ଚାକିରି ଛାଡ଼ିଲେ, ଚାଷକୁ ଆପଣାଇ ନେଲେ ! ଏବେ ବର୍ଷକୁ ଆୟ କରୁଛନ୍ତି ୬୦ କୋଟି ଟଙ୍କା

100

ଛତିଶଗଡ଼ର ବସ୍ତର ଜିଲ୍ଲା ଘଞ୍ଚ ଅରଣ୍ୟ ପାଇଁ ଯେତିକି ପରିଚିତ ତା’ଠାରୁ ଅଧିକ ଜଣାଶୁଣା ନକ୍ସଲଙ୍କ ପାଇଁ । ନକ୍ସଲ କାର୍ଯ୍ୟକଳାପ ଯୋଗୁଁ ଏଠାରେ ଶହଶହ ପରିବାର ପ୍ରଭାବିତ ହୋଇଛନ୍ତି । କିନ୍ତୁ ଏବେ ଏହି ଅଞ୍ଚଳ ଔଷଧୀୟ ଉତ୍ପାଦ ପାଇଁ ଏକ ନୂଆ ପରିଚୟ ପାଇଛି । ଆଉ ଏହି ଅଞ୍ଚଳକୁ ନୂଆ ପରିଚୟ ଦେଇଥିବା ବ୍ୟକ୍ତି ହେଉଛନ୍ତି ଡା. ରାଜାରାମ ତ୍ରିପାଠୀ । ଯେଉଁ ସମୟରେ ଆଜିର ଯୁବଗୋଷ୍ଠୀ କୃଷି କ୍ଷେତରୁ ମୁହଁ ଫେରାଇ ନେଉଛନ୍ତି । ସେଭଳି ସମୟରେ ରାଜାରାମ ତ୍ରିପାଠୀ ବ୍ୟାଙ୍କ ଚାକିରି ଭଳି ଆରାମଦାୟକ ଚାକିରି ଛାଡ଼ି କୃଷି କ୍ଷେତକୁ ନିଜର ନୂଆ କର୍ମଭୂମି ଭାବେ ବାଛି ନେଇଛନ୍ତି । ଆଉ ରାଜାରାମଙ୍କ ଏହି ପ୍ରୟାସ ଏବେ ଶହ ଶହ ଆଦିବାସୀ ପରିବାରର ଭାଗ୍ୟ ବଦଳାଇଛି ।

୫୪ ବର୍ଷିୟ ରାଜାରାମ ତ୍ରିପାଠୀ ମୂଳତଃ ଉତ୍ତରପ୍ରଦେଶର ପ୍ରତାପଗଡ଼ର ନିବାସୀ । ତାଙ୍କ ବାପା ମଧ୍ୟ ଚାଷ କାମ କରୁଥିଲେ । ତେବେ ବସ୍ତର ରାଜା ଚାଷ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ତାଙ୍କ ବାପାଙ୍କୁ ବସ୍ତର ଡ଼କାଇଥିଲେ । ଆଉ ଏହା ପରଠାରୁ ବସ୍ତରକୁ ନିଜର ନୂଆ ଠିକଣା ଭାବେ ବାଛି ନେଇଥିଲେ ରାଜାରାମଙ୍କ ବାପା । ରାଜାରାମଙ୍କ କହିବା ଅନୁଯାୟୀ, ପ୍ରଥମେ ସେ ବ୍ୟାଙ୍କରେ ଚାକିରି କରୁଥିଲେ । କିନ୍ତୁ ଏହି ଚାକିରି ତାଙ୍କୁ ଆତ୍ମସନ୍ତୋଷ ଦେଇନଥିଲା । କିଛି ନୂଆ କରିବାକୁ ସ୍ଥିର କରିଥିଲେ ରାଜାରାମ । ସେଥିପାଇଁ ବ୍ୟାଙ୍କର ଏସି ରୁମରୁ ବାହାରି ଚାଷ କ୍ଷେତକୁ ନୂଆ କର୍ମଭୂମି ଭାବେ ବାଛି ନେଇଥିଲେ ରାଜାରାମ । ପ୍ରଥମେ ବଡ଼ ବଡ଼ ହୋଟେଲରେ ଆବଶ୍ୟକ ହେଉଥିବା ବିଦେଶୀ ପନିପରିବା ଚାଷ କରିବା ଆରମ୍ଭ କରିଥିଲେ ମଧ୍ୟ ବିକ୍ରି ନହେବାରୁ କ୍ଷତି ସହିଥିଲେ ରାଜରାମ ।

କ୍ଷତି ସହିବା ସତ୍ତେ୍ୱ ମଧ୍ୟ ହାର ମାନିନଥିଲେ ରାଜାରାମ । ବିଭିନ୍ନ ଜଡ଼ିବୁଟି ବା ଔଷଧୀୟ ଗୁଳ୍ମ ଚାଷ କରିବାକୁ ନିଷ୍ପତି ନେଇଥିଲେ । ଏଥିପାଇଁ ପ୍ରଥମେ ୨୫ ଏକର ଜମିରେ ଧଳା ବାଦାମ ଚାଷ କରିଥିଲେ । ଏଥିରେ ବେଶ ଲାଭବାନ ହୋଇଥିଲେ ରାଜାରାମ । ଧଳା ବାଦାମ ଛଡ଼ା ଷ୍ଟିଭିଆ, ଅଶ୍ୱଗନ୍ଧା, ଲେମନ ଗ୍ରାସ, କାଲିହାରୀ ଓ ସର୍ପଗନ୍ଧା ଭଳି ଔଷଧୀୟ ଗଛ ଲଗାଇ ଚାଷ ଆଗକୁ ବଢ଼ାଇଥିଲେ ରାଜାରାମ । ତାଙ୍କ କହିବା ଅନୁଯାୟୀ, ଯେଉଁଠି ଅନ୍ୟ ଫସଲର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ଦେବାକୁ ଲୋକ ରାଜି ହୋଇନଥାନ୍ତି ସେଭଳି ସ୍ଥଳେ ଔଷଧୀୟ ଗଛର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ ହୋଇଥାଏ । ସୁବୁଠୁ ବଡ଼ କଥା ହେଲା, ଏଭଳି ଔଷଧୀୟ ବୃକ୍ଷ ମଧ୍ୟ ପ୍ରବଳ ମାତ୍ରାରେ ବିକ୍ରି ହୋଇଥାଏ ।

ପ୍ରଥମେ ଏହାକୁ ବିକ୍ରି କରିବାରେ ଅସୁବିଧା ଦେଖା ଦେଉଥିଲା । ତେଣୁ ଏହି ସମସ୍ୟା ଦୂର କରିବାକୁ କୃଷକ ସଙ୍ଗଠନ କରିବା ସହ ସେଣ୍ଟ୍ରାଲ ହର୍ବାଲ ଏଗ୍ରି ମାକେର୍ଟିଂ ଫେଡ଼ରେସନର ସ୍ଥାପନା କରିଥିଲେ । ଏବେ ଏହି ଫେଡ଼ରେସନ ସହ ୨୨ ହଜାର ଚାଷୀ ଯୋଡ଼ି ହୋଇଛନ୍ତି । ରାଜାରାମ ସମ୍ପୂର୍ଣ୍ଣ ଭାବେ ଜୈବିକ ଉପାୟରେ ଔଷଧୀୟ ଚାଷ କରିଥାନ୍ତି । ଖାସକଥା ହେଲା ଏହି ଔଷଧୀୟ ଚାଷ କରି ରାଜାରାମ ଏବେ ବାର୍ଷିକ ୬୦ କୋଟି ଟଙ୍କା ରୋଜଗାର କରୁଛନ୍ତି । ଏବେ ତାଙ୍କ ଚାଷ କ୍ଷେତରେ ପ୍ରାୟ ୭୦ ପ୍ରକାର ଔଷଧୀୟ ବୃକ୍ଷ ଶୋଭା ପାଉଛି । ଜୈବିକ ଚାଷରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶ ଓ ବିଦେଶରୁ ଅନେକ ପୁରସ୍କାର ହାତେଇଛନ୍ତି ରାଜାରାମ । ଏପରିକି ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ କୃଷି ରତ୍ନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।