ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟର ଆଜି ଦ୍ୱିତୀୟ ଦିନ : ମାସର ଶେଷ ତାରିଖ ହୋଇଥିବାରୁ ଦରମା ପାଇଁ ହଇରାଣ ହେବେ ଚାକିରିଆ

40

କନକ ବ୍ୟୁରୋ : ଆଜି ଦ୍ୱିତୀୟ ଦିନରେ ମଧ୍ୟ ସାରା ଦେଶରେ ବ୍ୟାଙ୍କ ଧର୍ମଘଟ ଜାରି ରହିବ । ଦରମା ବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ଗତକାଲିଠାରୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି । ଦେଶବ୍ୟାପୀ ୮୫ ହଜାର ବ୍ୟାଙ୍କ ଶାଖାର ପ୍ରାୟ ୧୦ ଲକ୍ଷ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଧର୍ମଘଟ ଫଳରେ ସାରା ଦେଶରେ ସରକାରୀ ବ୍ୟାଙ୍କ ଗୁଡିକ ଅଚଳ ହୋଇପଡିଛି । ବ୍ୟାଙ୍କିଂ ସେବାରେ ଘୋର ଅସୁବିଧା ସୃଷ୍ଟି ହୋଇଛି । ଦୁଇ ଦିନ ଧରି ସମସ୍ତ ପ୍ରକାର ବ୍ୟାଙ୍କ ଦେଣନେଣ ଓ ଏଟିଏମ ସେବା ଏକପ୍ରକାର ଠପ୍ ହୋଇଯାଇଛି । ବ୍ୟାଙ୍କ ଧର୍ମଘଟର ପ୍ରଭାବ କେରଳ, ପଶ୍ଚିମବଙ୍ଗ, ବିହାର ଓ ଝାରଖଣ୍ଡରେ ଅଧିକ ପଡିଥିବା କୁହାଯାଉଛି । ୨୦୧୨ରେ ପ୍ରାୟ ୧୫ ପ୍ରତିଶତ ଦରମା ବୃଦ୍ଧି ହୋଇଥିବା ବେଳେ ଏବେ ୨ ପ୍ରତିଶତ ଦରମା ବୃଦ୍ଧିକୁ ବିରୋଧ କରୁଛନ୍ତି କର୍ମଚାରୀ ।

କର୍ମଚାରୀଙ୍କ ଆନ୍ଦୋଳ ଫଳରେ ୨୧ଟି ସରକାରୀ ରାଷ୍ଟ୍ରାୟତ ବ୍ୟାଙ୍କ, ୧୩ଟି ପୂରାତନ ଘରୋଇ ବ୍ୟାଙ୍କ, ୬ଟି ବିଦେଶୀ ବ୍ୟାଙ୍କ ସହ ୫୬ଟି ଗ୍ରାମ୍ୟ ବ୍ୟାଙ୍କର ହଜାର ହଜାର ଶାଖାରେ ତାଲା ପଡିଛି । ଦୁଇ ଦିନର ଧର୍ମଘଟରେ ପ୍ରାୟ ୨୦ ହଜାର କୋଟି ଟଙ୍କାର କାରବାର ବାଧାପ୍ରାପ୍ତ ହେବ ବୋଲି ଆସୋଚାମ ଆକଳନ କରିଛି । ବ୍ୟାଙ୍କ ଶାଖାରେ ଜମା, ଫିକ୍ସ ଡିପୋଜିଟ ନବୀକରଣ ଓ ସରକାରୀ ଟଙ୍କା କାରବାର ବିଶେଷ ଭାବେ ପ୍ରଭାବିତ ହୋଇଛି । ଚାଲୁ ରହିଥିବା ଆଇସିଆଇସିଆଇ, ଏଚଡିଏଫସି ଓ ଆକ୍ସିସ ବ୍ୟାଙ୍କରେ ମଧ୍ୟ ଚେକ କ୍ଲିୟରାନ୍ସ ସମସ୍ୟା ଦେଖବାକୁ ମିଳିଛି । ଆଜି ମାସର ଶେଷଦିନ ହୋଇଥିବାରୁ ଚାକିରିଆଙ୍କୁ ଦରମା ମିଳିବାରେ ବିଳମ୍ବ ହେବ । ସାରା ଦେଶରେ ବ୍ୟାଙ୍କ ଧର୍ମଘଟ ଭିତରେ ସଂଚୟକାରୀଙ୍କ ପାଇଁ ଏକ ଭଲ ଖବର ଆସିଛି । କାରଣ କେତେକ ନିର୍ଦ୍ଦିଷ୍ଟ ଫିକ୍ସ ଡିପୋଜିଟ ଉପରେ ସୁଧ ପରିମାଣକୁ ବୃଦ୍ଧି କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ।