ଆରାମରେ ଆସିଲେ ଫିଲ୍ମି ଷ୍ଟାଇଲରେ କୋଟି କୋଟି ଟଙ୍କା ଲୁଟି ନେଇ ଚାଲିଗଲେ ! ବନ୍ଧୁକ ଦେଖାଇ ଆନ୍ଧ୍ର ବ୍ୟାଙ୍କରେ କଳାକନା ବୁଲାଇଦେଲେ ଲୁଟେରା

38

କନକ ବ୍ୟୁରୋ : ଦିନ ଦିପହରେ ସମସ୍ତଙ୍କ ସାମ୍ନାରେ ବ୍ୟାଙ୍କ ଲୁଟ୍ । ବନ୍ଧୁକ ମୁନରେ ଅନୁଗୁଳ ଆନ୍ଧ୍ର ବ୍ୟାଙ୍କରେ କଳାକନା ବୁଲାଇଦେଇଛନ୍ତି ଲୁଟେରା । ଦୁଇଟି ବାଇକରେ ୫ ଜଣ ଲୁଟେରା ଆସି ଅତି ସହଜରେ ଟଙ୍କା ଓ ସୁନା ଲୁଟି ଫେରାର ହୋଇଯାଇଛନ୍ତି । ଯାହାର ଟେର୍ ପାଇନି ପୋଲିସ ।

ସମୟ ଦିନ ୧୧ଟା । ଅନୁଗୁଳ ଆନ୍ଧ୍ର ବ୍ୟାଙ୍କ୍ । ବ୍ୟାଙ୍କ ଭିତରେ ବନ୍ଦୀ ଗ୍ରାହକ । ଲୋକଙ୍କୁ ଭିତର ପଟୁ ତାଲା ପକାଇଦେଇଛନ୍ତି ଲୁଟେରା । ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଛଡାଇନେଇଛନ୍ତି ମୋବାଇଲ୍ । ବାହାରକୁ ଫୋନ୍ ନକରିବା ପାଇଁ ଧମକ ଦେଇଛନ୍ତି । ଆଉ ଅନ୍ୟପଟେ ଚାଲିଛି ଲୁଟ୍ । ଏଭଳି ଘଟଣାର ପୂରା ଦୃଶ୍ୟ ବ୍ୟାଙ୍କ ଭିତରେ ଥିବା ଜଣେ ଗ୍ରାହକ ମୋବାଇଲେ ସୁଟ୍ କରିଛନ୍ତି ।

ସକାଳୁ ବ୍ୟାଙ୍କ ଖୋଲୁ ଖୋଲୁ ଗ୍ରାହକଙ୍କ ଭଳି ଭିତରକୁ ପଶିଥିଲେ ଲୁଟେରା । ଭିତରେ ଥିବା ସୁରକ୍ଷାକର୍ମୀଙ୍କୁ ମାଉଜର ଦେଖାଇ ଚୁପ୍ ବସିବାକୁ ଧମକ ଦେଇଥିଲେ । ଏହାପରେ ଆରମ୍ଭ ହେଲା ଅପରେସନ୍ ବ୍ୟାଙ୍କ ଲୁଟ୍ । ପୁରା ସିନେମା ଷ୍ଟାଇଲରେ ଚାଲିଥିଲା ଅପରେସନ୍ । ଲୋକଙ୍କୁ ଭିତରପଟୁ ତାଲା ଦେଇ ବନ୍ଦ କରିବା ପରେ କର୍ମଚାରୀଙ୍କୁ ଗୋଟିଏ ରୁମରେ ବନ୍ଦ କରିଦେଇଥିଲେ । ଏହାପରେ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ରଖି ବେଧଡକ କରିଥିଲେ ଲୁଟ୍ ।

ତେବେ ବ୍ୟାଙ୍କରେ ଲାଗିଥିବା ସିସିଟିଭି କଏଦ କରିଛି ୫ ଲୁଟେରାଙ୍କୁ । ଆନ୍ଧ୍ର ବ୍ୟାଙ୍କ ଶାଖାରୁ ପ୍ରାୟ କୋଟିଏ ଟଙ୍କା ଓ ସୁନା ଲୁଟି ଫେରାର ହେଉଛନ୍ତି ଦୁର୍ବୃତ । ପ୍ରଥମ ବାଇକରେ ୨ ଜଣ ଥିବା ବେଳେ, ଦ୍ୱିତୀୟ ବାଇକରେ ଥିଲେ ତିନି ଜଣ ଲୁଟେରା । ଦୁଇ ଲୁଟେରା ମଝିରେ ଟଙ୍କା ଓ ସୁନା ଭର୍ତି ବ୍ୟାଗ ରଖି ଫେରାର ହୋଇ ଯାଇଥିଲେ । କେହି ଯେମିତି ସେମାନଙ୍କୁ ଚିହ୍ନି ନପାରିବେ ସେଥିପାଇଁ ମୁହଁକୁ ରୁମାଲରେ ଢାଙ୍କି ରଖିଥିଲେ ଲୁଟେରା । ଫିଲ୍ମ ଷ୍ଟାଇଲରେ ସ୍ପଷ୍ଟ ଦିବାଲୋକରେ ଟଙ୍କା ଓ ସୁନା ଲୁଟ୍ କରି ସମସ୍ତଙ୍କ ଆଖି ଆଗରେ ଚଂପଟ ମାରିଛନ୍ତି ଲୁଟେରା ।

ବ୍ୟାଙ୍କ ଲୁଟ୍ ପରେ ଜାତୀୟ ରାଜପଥ ଦେଇ ଫେରାର ହୋଇଯାଇଛନ୍ତି ଲୁଟେରା । ଡଗ୍ ସ୍କ୍ୱାଡ୍ ସହ ସାଇଂଟିଫିକ୍ ଟିମ୍ ବ୍ୟାଙ୍କରେ ତଦନ୍ତ ଚଳାଇଛି । ଲୁଟେରା ମାନେ ହିନ୍ଦିରେ କଥା ହେଉଥିବାରୁ ଲୁଟ୍ ପଛରେ ଏକ ବଡ ଗ୍ୟାଙ୍ଗର ହାତ ରହିଥିବା ସନ୍ଦେହ କରୁଛି ପୋଲିସ । ଅନୁଗୁଳ ଆନ୍ଧ୍ର ବ୍ୟାଙ୍କର ଏହି ଲୁଟ୍ କାହାଣୀ ଯେତିକି ଚାଂଚଲ୍ୟକର ସେତିକି ଚିନ୍ତାଜନକ ମଧ୍ୟ । ୫ ଜଣ ଲୁଟେରା ବେଶ୍ ସହଜରେ ବନ୍ଧୁକ ଧରି ଆସୁଛନ୍ତି ଏବଂ ବହୁ ସଂଖ୍ୟାରେ ଗ୍ରାହକ ଓ କର୍ମଚାରୀଙ୍କୁ ବନ୍ଦୀ ବନାଇ ଟଙ୍କା ଓ ସୁନା ଧରି ସହଜରେ ଖସି ବି ଯାଉଛନ୍ତି । ସତେ ଯେମିତି ଆମ ସୁରକ୍ଷା ବ୍ୟବସ୍ଥାକୁ ଉପହାସ କରୁଛନ୍ତି ଏହି ଡକାୟତ ।