ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଦାୟିତ୍ୱ ଗ୍ରହଣ କଲେ ଓଡିଆ ପୁଅ : ଓଡ଼ିଆ ପୁଅ ଅତନୁ କୁମାର ଦାସ ହେଲେ ବିଓଆଇର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ

353

କେନ୍ଦ୍ର ସରକାର ତିନୋଟି ପ୍ରମୁଖ ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ କାନାରା ବ୍ୟାଙ୍କର ମୁଖ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । କ୍ୟାବିନେଟ ନିଯୁକ୍ତିଦାତା କମିଟି ସଂଜୀବ ଚଢ଼ାଙ୍କୁ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ , ଲିଙ୍ଗମ ଭେଙ୍କଟ ପ୍ରଭାକରଙ୍କୁ କାନାରା ବ୍ୟାଙ୍କ ଏବଂ ଅତନୁ କୁମାର ଦାସଙ୍କୁ ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ସଂଜୀବ ଚଢ଼ା ଏବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏସବିଆଇ କ୍ୟାପିଟାଲ ମାର୍କେଟର ଉପ ପରିଚାଳନା ନିର୍ଦ୍ଦେଶକ ପଦରେ ଅଛନ୍ତି । ସେ ପି.ଏସ. ଜୟକୁମାରଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଗତବର୍ଷ ଅକ୍ଟୋବରରେ ଏକ ବର୍ଷ ପାଇଁ ଜୟକୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।

କାନାରା ବ୍ୟାଙ୍କର ମୁଖ୍ୟ ଭାବେ ନିଯୁକ୍ତି ପାଇଥିବା ଲିଙ୍ଗମ ଭେଙ୍କଟ ପ୍ରଭାକର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ ଏବଂ ସେ ଚଳିତ ମାସ ଶେଷରେ ଅବସର ଗ୍ରହଣ କରୁଥିବା ଆର.ଏ. ଶଙ୍କର ନାରାୟଣଙ୍କ ସ୍ଥାନରେ କାର୍ଯ୍ୟ କରିବେ । ଅତନୁ କୁମାର ଦାସ ପୂର୍ବରୁ ବ୍ୟାଙ୍କ ଅଫ ଇଣ୍ଡିଆରେ ଏବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଓ ସେ ପଦୋନ୍ନତି ପାଇଁ ସେହି ବ୍ୟାଙ୍କର ମୁଖ୍ୟ ଭାବେ କାର୍ୟ୍ୟ କରିବେ । ଏହି ତିନୋଟି ବ୍ୟାଙ୍କ ମଧ୍ୟରୁ ବ୍ୟାଙ୍କ ଅଫ ବରୋଦା ସହ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ ମିଶ୍ରଣ ହୋଇଥିଲା ବେଳେ କାନାରା ବ୍ୟାଙ୍କ ସିଣ୍ଡିକେଟ ବ୍ୟାଙ୍କ ସହ ମିଶ୍ରଣ ପ୍ରକ୍ରିୟାରେ ରହିଛି । ତେବେ ଓଡ଼ିଆ ପୁଅ ଅତନୁଙ୍କୁ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଦାୟିତ୍ୱ ମିଳିଛି । ଆପ୍ଲାଏଡ଼ ଇକୋନୋମିକ୍ସରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିବା ଅତନୁ ଆଇଆଇଟି ଖଡ଼ଗପୁରରୁ ପିଏଚଡି ଡିଗ୍ରୀ ଲାଭ କରିଛନ୍ତି। ବ୍ୟାଙ୍କିଙ୍ଗ ତଥା ଯୋଜନା ନିର୍ଦ୍ଧାରଣ କ୍ଷେତ୍ରରେ ତାଙ୍କର ୨୩ ବର୍ଷର ଅଭିଜ୍ଞତା ରହିଛି ।