ପ୍ରେମିକାଙ୍କ ଓଢଣୀରେ ଝୁଲିପଡିଲେ ବ୍ୟାଙ୍କ ମ୍ୟାନେଜର ! ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଚରମ ପଦକ୍ଷେପ ସନ୍ଦେହ

35

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ଜୟଦେବ ବାଟିକାରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ପ୍ରେମିକା ତଥା ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ପତ୍ନୀ ଅଭିଯୋଗ ଆଣିଛନ୍ତି ।

ପାର୍କରେ ଝୁଲୁଥିଲା ଜଣେ ଯୁବକଙ୍କ ଶବ । ତାଙ୍କ ବେକ ବନ୍ଧା ହୋଇଥିଲା ଏକ ଓଢଣୀରେ । ଜଣେ ଯୁବତୀଙ୍କ ଓଢଣୀରେ ଝୁଲି ଏହି ଆତ୍ମହତ୍ୟା କରିଛନ୍ତି ଯୁବକ । ଏହାସହ କୁହାଯାଉଛି ଏହି ଘଟଣା ସମୟରେ ଜଣେ ଯୁବତୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ବ୍ୟାଙ୍କ ମ୍ୟାନେଜର ଜଣକ ହେଉଛନ୍ତି ବାଲେଶ୍ୱର ଅଂଚଳର ଶଶିକାନ୍ତ ପଣ୍ଡା । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥବା ଏହ ଯୁବକ ଓ ସେହି ବ୍ୟାଙ୍କର ଜଣେ ମହିଳା ସିକ୍ୟୁରିଟି ଗାର୍ଡଙ୍କର ପ୍ରେମରେ ପଡି ଯାଇଥିଲେ ।

suicide

ଉଭୟ ଜୟଦେବ ବାଟିକା ପାର୍କକୁ ଯାଇଥିଲେ । କିଛି ସମୟର କଥାବାର୍ତ୍ତା ପରେ, ଯୁବକ ଜଣକ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ହେଲେ ଯୁବକ ଜଣକ ପୂର୍ବରୁ ବିବାହିତ ଥିବାରୁ ଯୁବତୀ ବିବାହ ପାଇଁ ମନା କରିଦେଲେ । ପ୍ରେମ ନିବେଦନ କରି ବିଫଳ ହେବା ପରେ, ଯୁବତୀଙ୍କ ଓଢଣୀରେ ଝୁଲି ଯୁବକ ଜଣକ ଆତ୍ମହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ସିକ୍ୟୁରିଟି ଗାର୍ଡ ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ଅନ୍ୟପଟେ ଶଶିକାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି ।

ପୁଲିସର ତଦନ୍ତ କିନ୍ତୁ କେତେକ ପ୍ରଶ୍ନର ଉତ୍ତର ଖୋଜୁଛି । ଉଭୟ ଏକାଠି ପାର୍କକୁ ଯିବା ଓ ଅଳ୍ପ ସମୟ ଭିତରେ ଏଭଳି କଣ ଘଟିଲା ଯେଉଁଥିପାଇଁ ଯୁବକ ଜଣକ ତୁରନ୍ତ ଆତ୍ମହତ୍ୟା କରିଦେଲେ ତାହା ତଦନ୍ତକାରୀ ଅଫିସର ମଧ୍ୟ ବୁଝି ପାରୁନାହାଁନ୍ତି । ଏପରିକି ଯୁବତୀଙ୍କ ଓଢଣୀକୁ ବେକରେ ବାନ୍ଧି ଆତ୍ମହତ୍ୟା ପାଇଁ ପ୍ରସ୍ତୁତି କରିବା ଭଳି ଘଟଣା କିଭଳି ଘଟିଲା, ତାହାର ଉତ୍ତର ଜାଣିବାକୁ ଚେଷ୍ଟା କରୁଛି ପୁଲିସ ।