ସେହି ପୁରୁଣା ଷ୍ଟାଇଲ, ଚୋର ଯିବା ପରେ ପୋଲିସ ପହଞ୍ଚିଲା ! ରାଉରକେଲାରେ ବ୍ୟାଙ୍କରେ ପଶିଲେ, ବନ୍ଧୁକ ଦେଖାଇ ଲୁଟିନେଲେ ୪୨ ଲକ୍ଷ ଟଙ୍କା

41

କନକ ବ୍ୟୁରୋ : ଷ୍ଟିଲସିଟି ରାଉରକେଲାରେ ଦିନଦିପହରେ ବ୍ୟାଙ୍କରେ କଳାକନା ବୁଲାଇଲେ ଡକାୟତ । ସହରର ଜନଗହଳିପୂର୍ଣ୍ଣ ମଧୁସୂଦନ ନଗର, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ୮ ଡକାୟତ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ୪୨ ଲକ୍ଷ ଟଙ୍କା । ଏପରିକି ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମାନଙ୍କୁ ବନ୍ଧୁକ ମୁନରେ କିଛି ସମୟ ଧରି ବନ୍ଧକ ରଖିଥିଲେ ଡକାୟତ ।

ସକାଳ ୯ଟା୪୫ ମିନିଟ୍ । ମଧୁସୂଦନ ନଗର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଭିତରକୁ ହଠାତ ପଶି ଆସିଲେ ତିନି ବନ୍ଧୁକଧାରୀ ଡ଼କାୟତ । ଆଉ ଡକାୟତଙ୍କ ହାତରେ ଥିଲା ଅଟୋମେଟିକ ବନ୍ଧୁକ ଓ ପିସ୍ତଲ । ବ୍ୟାଙ୍କ ଭିତରେ ଥିବା ସମସ୍ତ କର୍ମଚାରୀ ଓ ଗ୍ରାହକ ଅତ୍ୟନ୍ତ ଭୟଭୀତ ହୋଇଗଲେ । ମନରେ ଆଶଙ୍କା ଥିଲା ବନ୍ଧୁକରୁ ଗୁଳି ଫୁଟାଇ ଦେବେନି ତ । ଆଉ ଏପଟେ ଆରମ୍ଭ ହୋଇଯାଇଥିଲା ଲୁଟ । ପୁରା ସିନେମା ଷ୍ଟାଇଲରେ ଓଡିଶାର ଏକ ପ୍ରମୁଖ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏକ ବ୍ୟାଙ୍କରେ ଆତଙ୍କର ରାଜ ଚାଲିଥିଲା

ହେଲମେଟ ପିନ୍ଧିଥିବା ଏହି ଦୁର୍ବୃତ ମାନେ ଉପସ୍ଥିତ ୩ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ ମାରି କାବୁ କରିନେଇଥିଲେ । ପରେ ବ୍ୟାଙ୍କରେ ପଶିଥିଲେ ଆଉ ୫ଜଣ ଦୁର୍ବୃତ । ସମସ୍ତ ଡକାୟତ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମାନଙ୍କୁ ବନ୍ଧୁକ ମୁନରେ ରେକର୍ଡ ରୁମରେ ଭର୍ତି କରିଥିଲେ । ବ୍ୟାଙ୍କର ମୁଖ୍ୟପରିଚାଳକଙ୍କୁ ହତ୍ୟା । ଧମକ ସହ ମାଡ ମାରିବାରୁ ସେ ଲକର ଚାବି ଦେଇଥିଲେ । ଆଉ ଲୁଟି ନେଇଥିଲେ ୪୨ ଲକ୍ଷ ଟଙ୍କା । ଯିବା ସମୟରେ ଦୁର୍ବୃତମାନେ ସିସିଟିଭିି ହାର୍ଡଡିସ୍କ ସହ ଜଣେ ମହିଳାଙ୍କ ସୁନାଚେନ ଝାମ୍ପି ନେଇଥିଲେ । ତେବେ ଲୁଟ ସାରି ଡକାୟତ ଫେରାର ହୋଇଯିବା ପରେ ପହଂଚିଥିଲେ ପୋଲିସ ବାଲା । କିନ୍ତୁ ସେତେବେଳକୁ ସରିଯାଇଥିଲା ସବୁକିଛି ।