ଜୁଲାଇ ୨୦ ସୁଦ୍ଧା ଅଚଳ ନୋଟ୍‌ ଜମା କରିବେ ବ୍ୟାଙ୍କ, ଡାକ ଘର

28

କନକ ବ୍ୟୁରୋ : ବିମୁଦ୍ରାକରଣ ସମୟରେ ପହଞ୍ଚିଥିବା ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପାଖରେ ଦାଖଲ କରିବାକୁ ସମବାୟ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ ଏବଂ ଡାକ ଘରଗୁଡ଼ିକୁ ସରକାର କହିଛନ୍ତି । ଗତବର୍ଷ ନଭେମ୍ବର ୮ରେ ବିମୁଦ୍ରାକରଣ ଘୋଷଣା ହେବା ପରେ ବାଣିଜ୍ୟିକ ବ୍ୟାଙ୍କ ଏବଂ ଡାକଘରଗୁଡ଼ିକୁ ଅଚଳ ନୋଟ୍‌ ଗ୍ରହଣ କରିବାକୁ କୁହାଯାଇଥିଲା ।

ସମବାୟ ବ୍ୟାଙ୍କଗୁଡ଼ିକୁ ଏହି ସୁଯୋଗ ନଭେମ୍ବର ୧୪ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିଲା। ଅଚଳ ନୋଟ୍‌ଗୁଡ଼ିକୁ ଆର୍‌ବିଆଇ ପାଖରେ ଜୁଲାଇ ୨୦ ସୁଦ୍ଧା ବଦଳାଇ ନେବା ପାଇଁ ସରକାର ବ୍ୟାଙ୍କ ଏବଂ ଡାକ ଘରଗୁଡ଼ିକୁ କହିଛନ୍ତି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଅଚଳ ନୋଟ୍‌ ଜମା କରାଇ ନେବାକୁ ବ୍ୟାଙ୍କ ଏବଂ ଡାକ ଘରକୁ କୁହାଯାଇଛି । ଏଥିରେ ଏହା ସ୍ପଷ୍ଟ କରାଯାଇଛି ଯେ କେବଳ ବିମୁଦ୍ରାକରଣ ବେଳେ ସଂଗ୍ରହ କରାଯାଇଥିବା ଅଚଳ ନୋଟ୍‌ଗୁଡ଼ିକୁ ଜମା କରାଯାଇପାରିବ । ସମସ୍ତ ଅଚଳ ନୋଟ୍‌ ୨୦୧୬ ଡିସେମ୍ବର ୩୧ ସୁଦ୍ଧା ଆର୍‌ବିଆଇ ପାଖରେ ଜମା କରିବାକୁ ସରକାରଙ୍କ ତରଫରୁ ବ୍ୟାଙ୍କ ଏବଂ ଡାକ ଘରଗୁଡ଼ିକୁ କୁହାଯାଇଥିଲା । ମାତ୍ର ସେହି ସମୟ ସୀମା ଭିତରେ ସମସ୍ତ ଅଚଳ ନୋଟ୍‌ ଆର୍‌ବିଆଇ ପାଖରେ ଜମା ହୋଇପାରିନଥିଲା । ଏଥିପାଇଁ ବ୍ୟାଙ୍କ ଏବଂ ଘହାକ ଘର ପକ୍ଷରୁ ବିଭିନ୍ନ କାରଣ ପ୍ରଦର୍ଶନ କରାଯାଇଥିଲା ।

ଏବେ ଅଚଳ ନୋଟ୍‌ ଜମା କରିବାକୁ ହେଲେ ବ୍ୟାଙ୍କ ଏବଂ ଡାକ ଘରଗୁଡ଼ିକୁ କାରଣ ଦର୍ଶାଇବାକୁ ପଡ଼ିବ । କେଉଁ କାରଣ ଯୋଗୁଁ ଅଚଳ ନୋଟ୍‌ ଜମା ହୋଇପାରିଲା ନାହିଁ ତାହା ଆର୍‌ବିଆଇକୁ ଜଣାଇବାକୁ ହେବ। ଆର୍‌ବିଆଇ ଯଦି ଉତ୍ତରରେ ସନ୍ତୁଷ୍ଟ ହେବ ତେବେ ଅଚଳା ନୋଟ୍‌ ଆର୍‌ବିଆଇ ପାଖରେ ଜମା କରାଯାଇପାରିବ । ଗତବର୍ଷ ନଭେମ୍ବର ୧୪ ଭିତରେ ସମବାୟ ବ୍ୟାଙ୍କଗୁଡ଼ିକ ଯେଉଁ ଅଚଳ ନୋଟ୍‌ ସଂଗ୍ରହ କରିଥିଲେ ତାହାକୁ ଆର୍‌ବିଆଇ ପାଖରେ ଜମା କରିପାରିନାହାଁନ୍ତି।