କନକ ବ୍ୟୁରୋ : ଏଣିକି ମୋବାଇଲ୍ ନମ୍ବର, ବ୍ୟାଙ୍କ୍ ଆକାଉଂଟ୍ ସହ ଆଧାର ଲିଙ୍କ୍ କରିବାକୁ ହେବ । ଏନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହ ଅନ୍ତରୀଣ ରହିତାଦେଶ ଦେବାକୁ ମନାକରି ଦେଇଛନ୍ତି । ସୁପ୍ରିମକୋର୍ଟ ମୋବାଇଲ୍ ନମ୍ବର, ବ୍ୟାଙ୍କ୍ ଆକାଉଂଟ୍ ସହ ଆଧାର ଲିଙ୍କ୍ କରିବାକୁ ବିରୋଧ କରି ଆସିଥିବା ପିଟିସନ ଗୁଡ଼ିକ ଉପରେ ଅନ୍ତରୀଣ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ଖଣ୍ଡପୀଠ ଏନେଇ ବିଚାର କରୁଥିବାରୁ ଏନେଇ ବର୍ତ୍ତମାନ ପାଇଁ ଅନ୍ତରୀଣ ରହିତାଦେଶ ଦେବାର ଆବଶ୍ୟକତା ନାହିଁ ବୋଲି ଜଷ୍ଟିସ୍ ଏ.କେ. ସିକ୍ରି ରାୟ ଦେଇଛନ୍ତି । ତେବେ ଟେଲିଫୋନ୍ କମ୍ପାନୀ ଓ ବ୍ୟାଙ୍କ୍ଗୁଡ଼ିକ ତରଫରୁ ଆଧାର ଲିଙ୍କ୍ ନ ହେଲେ ଫୋନ୍ କାଟିଦିଆଯିବା ଭଳି ଧମକ ପୂର୍ଣ୍ଣ ମେସେଜ୍କୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ ।

ବରଂ ନିର୍ଦ୍ଧାରିତ ସମୟ ଭିତରେ ମୋବାଇଲ୍ ନମ୍ବର ଓ ବ୍ୟାଙ୍କ୍ ଆକାଉଂଟ୍ ସହ ଆଧାର ଲିଙ୍କ୍ କରିବାକୁ ମେସେଜ୍ ପଠାଯାଇପାରିବ ବୋଲି କହିଛନ୍ତି । ମୋବାଇଲ୍ ନମ୍ବର, ବ୍ୟାଙ୍କ୍ ଆକାଉଂଟ୍ ସହ ଆଧାର ଲିଙ୍କ୍ କରିବା ଦ୍ୱାରା ବ୍ୟକ୍ତିର ଗୋପନୀୟତାର ଅଧିକାର ଉଲ୍ଲଂଘନ ହେଉଛି ଦର୍ଶାଇ ଅନେକଗୁଡ଼ିଏ ପିଟିସନ୍ ବର୍ତମାନ ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ବେଂଚ୍ରେ ପଡିରହିଛି । ଫେବ୍ରୁଆରୀ ୬ ତାରିଖ ସୁଦ୍ଧା ସମସ୍ତ ମୋବାଇଲ୍ ଗ୍ରାହକଙ୍କୁ ଆଧାର ସହ ଲିଙ୍କ୍ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା କଥା ସୁପ୍ରିମକୋର୍ଟ ଆଗରେ ସ୍ୱୀକାର କରିଛନ୍ତି । ସେହିପରି ଡିସେମ୍ବର ୩୧ ସୁଦ୍ଧା ବ୍ୟାଙ୍କ ଆକାଉଂଟ ସହ ଆଧାର ଲିଙ୍କ କରିବାକୁ ପଡିବ ବୋଲି କୁହାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା ଯେ ପୂର୍ବରୁ ସୁପ୍ରିମକୋର୍ଟ ଲୋକନୀତି ଫାଉଣ୍ଡେସନ୍ ମାମଲାରେ ବର୍ଷକ ମଧ୍ୟରେ ସମସ୍ତ ମୋବାଇଲ୍ ଫୋନକୁ ଆଧାର ସହ ଲିଙ୍କ୍ କରିବାକୁ କହିଥିଲେ ।

କର୍ଣ୍ଣାଟକର ମୈଥୁ ଥମାସ ଆଧାରର ଆଇନଗତ ବୈଧତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହା ବ୍ୟକ୍ତିଗତaadhar ଅଧିକାର ଉଲ୍ଲଂଘନ ଏବଂ ବାୟୋମେଟ୍ରିକ୍ସ ଠିକ୍ ଭାବରେ କାମ କରୁନଥିବା ସେ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଦୀପକ ମିଶ୍ର ଗତ ଅକ୍ଟୋବର ୩୦ ତାରିଖରେ ସାମ୍ବିଧାନିକ ବେଂଚରେ ମାମଲାର ବିଚାର ହେବ ଏବଂ ନଭେମ୍ବର ଶେଷ ସୁଦ୍ଧା ଚୂଡାନ୍ତ ରାୟ ଆସିବ ବୋଲି କହିଥିଲେ । ସୁପ୍ରିମକୋର୍ଟରେ ଆଧାର ନେଇ ବହୁ ମାମଲା ରୁଜୁ ହୋଇଛି । ସେପଟେ ସରକାରଙ୍କ ୧୩୫ଟି ଯୋଜନାରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ଏହି ମାଧ୍ୟମରେ ହିତାଧିକାରୀଙ୍କୁ ସବ୍ସିଡି ଅର୍ଥ ମଧ୍ୟ ମିଳିବାର ବ୍ୟବସ୍ଥା ରହିଛି । ତେବେ ବିଭିନ୍ନ ସମୟରେ ସୁପ୍ରିମକୋର୍ଟ ଆଧାର ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ।

ଜୁଲାଇ ୭, ୨୦୧୭ – ଏକ ବଡ ବେଂଚରେ ମାମଲାର ଶୁଣାଣି କରିବା ଆବଶ୍ୟକ

ଜୁଲାଇ୧୨, ୨୦୧୭ – ୫ ଜଣିଆ ବିଚାରପତିଙ୍କ ବେଂଚ ଆଧାର ଓ ବ୍ୟକ୍ତିଗତ ଗୋପନୀୟତା ନେଇ ଶୁଣାଣି କରିବେ

ଜୁଲାଇ ୧୮, ୨୦୧୭ – ୫ ଜଣିଆ ବେଂଚ କହିଲେ, ବ୍ୟକ୍ତିଗତ ଅଧିକାର ନେଇ ୯ ଜଣିଆ ବେଂଚ ଶୁଣାଣି କରିବେ

ଅଗଷ୍ଟ ୨୪, ୨୦୧୭ – ୯ ଜଣିଆ ବିଚାରପତି ବେଂଚ ବ୍ୟକ୍ତିଗତ ଅଧିକାରକୁ ମୌଳିକ ଅଧିକାର ବୋଲି ରାୟ ଦେଲେ । ଏହାର ସୁରକ୍ଷା ଆର୍ଟିକିଲ ୨୧ ପରି କରିବାକୁ ସେ ନିର୍ଦ୍ଦଶ ଦେଇଛନ୍ତି ।

ଅଗଷ୍ଟ ୩୦, ୨୦୧୭ – ଆଧାର ଲିଙ୍କ କରିବାକୁ ଶେଷ ତାରିଖ ଡିସେମ୍ବର ୩୧ ଯାଏଁ ବଢାଇ ଦିଆଯାଇଥିବାରୁ ମାମଲାର ଶୁଣାଣି ନଭେମ୍ବର ପ୍ରଥମ ସପ୍ତାହରେ ହେବ ।