ଆସିପାରେ ‘ବ୍ୟାଙ୍କ୍ ଆକାଉଣ୍ଟ୍ ପୋର୍ଟେବିଲିଟି’ ! ଆକାଉଣ୍ଟ୍‌ ନମ୍ବର ବଦଳିବନି, ବଦଳିବ ବ୍ୟାଙ୍କ୍

44

ମୋବାଇଲ୍‌ ନମ୍ବର ପୋର୍ଟେବିଲିଟି ଭଳି ଏବେ ହୋଇପାରିବ ବ୍ୟାଙ୍କ ଆକାଉଣ୍ଟ୍‌ ନମ୍ବର ପୋର୍ଟେବିଲିଟି  । ଅର୍ଥାତ୍ ଲୋକମାନେ ନିଜ ମନ ପସନ୍ଦର ବ୍ୟାଙ୍କ ଚୟନ କରି ସେହି ବ୍ୟାଙ୍କକୁ ଖାତା ସ୍ଥାନାନ୍ତର କରିପାରିବେ । ଏହି ନୂଆ ନିୟମ ପ୍ରଚଳନ କରିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଚାର କରୁଛି । ବିଗତ ଦୁଇ ବର୍ଷରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯେଉଁ ଭଳି ପରିବର୍ତନ ହୋଇଛି ଯଥା ଆଧାର ସିଡିଂ, ଏନ୍‌ପିସିଆଇର ପ୍ଲାଟଫର୍ମ ଏବଂ ବିଭିନ୍ନ ପ୍ରକାର ଆପ୍‌ ଜରିଆରେ ବ୍ୟାଙ୍କ ଆକାଉଣ୍ଟ୍‌ ନମ୍ବର ପୋର୍ଟେବିଲିଟି ସମ୍ଭବପର ହୋଇପାରିବ ବୋଲି ଏକ କାର୍ଯ୍ୟକ୍ରମରେ ଆରବିଆଇ ଡେପୁଟି ଗଭର୍ଣ୍ଣର ଏସ୍‌ ଏସ୍‌ ମୁନ୍ଦ୍ରା କହିଛନ୍ତି ।

ବ୍ୟାଙ୍କ ଆକାଉଣ୍ଟ୍‌ ନମ୍ବର ପୋର୍ଟେବିଲିଟିରେ ଆଧାର ଏବଂ ନ୍ୟାସନାଲ୍‌ ପେମେଣ୍ଟ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଆଧାର ହେବ ଗ୍ରାହକଙ୍କ ସ୍ୱତନ୍ତ୍ର ପରିଚୟ । ଏନ୍‌ପିସିଆଇ କେନ୍ଦ୍ରୀୟ ପେମେଣ୍ଟ୍‌ ବ୍ୟବସ୍ଥା ଭାବେ କାମ କରିବ।

ଯଦି ବ୍ୟାଙ୍କ ଆକାଉଣ୍ଟ୍‌ ପୋର୍ଟେବିଲିଟି ପ୍ରଚଳନ ହେବ ତେବେ ଲୋକମାନେ ନିଜ ମନ ପସନ୍ଦର ବ୍ୟାଙ୍କ ଚୟନ କରି ସେହି ବ୍ୟାଙ୍କକୁ ଖାତା ସ୍ଥାନାନ୍ତର କରିପାରିବେ । ସେଥିପାଇଁ ତାଙ୍କୁ ନୂଆ ବ୍ୟାଙ୍କରେ ଆଉ ଏକ ଖାତା ଖୋଲିବାକୁ ପଡ଼ିବ ନାହିଁ । ପୁରୁଣା ଖାତା ନମ୍ବର ସମାନ ରହିବ । ସେ ନିଜ ବ୍ୟାଙ୍କ ବଦଳାଇ ଅନ୍ୟ ଯେ କୌଣସି ବ୍ୟାଙ୍କର ଗ୍ରାହକ ହୋଇପାରିବେ । ଆକାଉଣ୍ଟ୍‌ ନମ୍ବର ପୋର୍ଟେବିଲିଟି ବେଳେ ଗ୍ରାହକ କୌଣସି କାରବାର ବିବରଣୀ ହରାଇବେ ନାହିଁ।  ତାଙ୍କର ଡେବିଟ୍‌ ଏବଂ କ୍ରେଡିଟ୍‌ ଇତିହାସ ସୁରକ୍ଷିତ ରହିବ ।

ଟେଲିକମ୍‌ ଶିଳ୍ପରେ ମୋବାଇଲ୍‌ ନମ୍ବର ପୋର୍ଟେବିଲିଟି ଲାଗୁ ହୋଇଛି । ଯାହା ଜରିଆରେ ଗ୍ରାହକମାନେ ନିଜର ନମ୍ବରକୁ ରଖି କଂପାନି ବଦଳାଇ ପାରୁଛନ୍ତି। ବ୍ୟାଙ୍କ ଆକାଉଣ୍ଟ୍‌ ନମ୍ବର ପୋର୍ଟେବିଲିଟି ସମ୍ଭବ ହେଲେ ଗ୍ରାହକମାନଙ୍କୁ ସନ୍ତୋଷଜନକ ସେବା ପ୍ରଦାନ କରିବାରେ ବ୍ୟାଙ୍କଗୁଡ଼ିକ ଭିତରେ ପ୍ରତିଦ୍ୱନ୍ଦିତା ବଢ଼ିବ। କାରଣ ଯେଉଁମାନେ ଖରାପ ସେବା ଦେବେ ସେମାନେ ଗ୍ରାହକ ହରାଇବେ । ତେବେ ଯଦି ଏପରି ହୁଏ ତେବେ ବ୍ୟାଙ୍କ ଆକାଉଣ୍ଟ୍‌ ନମ୍ବର ପୋର୍ଟେବିଲିଟି ଲାଗୁ କରିବାରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ହେବ।