ପ୍ରଦୀପ ମହାରଥୀଙ୍କ ବହିଷ୍କାର ସମେତ ୩ ଦଫା ଦାବି, ଚୁଡି ସଂଗ୍ରହ ଅଭିଯାନ ଆରମ୍ଭ କରିବ ବିଜେପି ମହିଳା ମୋର୍ଚ୍ଚା

129

କନକ ବ୍ୟୁରୋ : କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ସମେତ ୩ ଦଫା ଦାବି ନେଇ ଆଜିଠାରୁ ଚୁଡି ସଂଗ୍ରହ ଅଭିଯାନ ଆରମ୍ଭ କରିବ ବିଜେପି ମହିଳା ମୋର୍ଚ୍ଚା । ଏହି ଚୁଡ଼ି ସଂଗ୍ରହ ଅଭିଯାନ ଚଳିତ ମାସ ୧୦ ତାରିଖ ଯାଏଁ ଚାଲିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତ ପରିବାରକୁ ନ୍ୟାୟ, ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ସମେତ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରି ଆଜିଠାରୁ ଏହି ଚୁଡି ସଂଗ୍ରହ ଅଭିଯାନ ଆରମ୍ଭ କରୁଛି ବିଜେପି ମହିଳା ମୋର୍ଚ୍ଚା ।

pradeep moharathy

ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ମହିଳାଙ୍କ ଠାରୁ ଚୁଡ଼ି ସଂଗ୍ରହ କରି ଆସନ୍ତା ୧୦ ତାରିଖରେ ନବୀନ ନିବାସକୁ ଯିବେ । ଆଉ ସେଠାକୁ ଯାଇ ନବୀନଙ୍କୁ ଚୁଡ଼ି ଭେଟି ଦେବେ ବୋଲି ସୂଚନା ମିଳିଛି । ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ କରି ଏପରି ଏକ ଅଭିନବ ଯୋଜନା କରିଛି ବିଜେପି ମହିଳା ମୋର୍ଚ୍ଚା । ଗତକାଲି ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା । ପିପିଲି ହତ୍ୟା ମାମଲାରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଆସୁଥିବା ଅଭିଯୋଗ କରିଛନ୍ତି ବିଜେପି ସଭାନେତ୍ରୀ ।