ମହିଳା ସଶକ୍ତିକରଣ : ଏକମାତ୍ର ମହିଳା ରିକ୍ସା ଚାଳକ, ହେଲମେଟ ଓ ଶାଢ଼ି ପିନ୍ଧି ଚଳାନ୍ତି ରିକ୍ସା

108

ବିଶ୍ୱରେ ମହିଳା ସଶସ୍ତ୍ରୀକରଣ ବିଷୟରେ ଅନେକ ଆଲୋଚନା ଚାଲୁଛି। ତେବେ ଏହାକୁ ପ୍ରମାଣିତ କରିଛନ୍ତି ବାଂଲାଦେଶର ଚିଟ୍ଟାଗଙ୍ଗ ଅଞ୍ଚଳର ବସଷ୍ଟାଣ୍ଡରେ ଶାଢ଼ି ଏବଂ ହେଲମେଟ ପିନ୍ଧି ରିକ୍ସା ଚଲାଉଥିବା ମୌସମ୍ମତ ଜେସ୍ମିନ । ବାଂଲାଦେଶରେ ଏକମାତ୍ର ମହିଳା ରିକ୍ସା ଚାଳକ ଭାବେ ଜଣାଯାଉଥିବା ମୌସମ୍ମତଙ୍କୁ ‘କ୍ରେଜି ଆଣ୍ଟି’ ବୋଲି ଲୋକେ ଡ଼ାକିଥାନ୍ତି । ଲୋକଙ୍କଠାରୁ ଅନେକ କଥା ଶୁଣାଇବା ପରେ ମଧ୍ୟ ମୌସମ୍ମତ ତାଙ୍କ ପରିବାର ଚଳାଇବା ପାଇଁ ଏଥିରୁ ହଟି ନାହାନ୍ତି।

ସୂଚନା ଅନୁଯାୟୀ , ବିଶ୍ୱରେ ମହିଳା ସଶକ୍ତିକରଣର ଉଦାହରଣ ସାଜିଥିବା ମୌସମ୍ମତ ବାଙ୍ଗଲାଦେଶର ଏକମାତ୍ର ମହିଳା ରିକ୍ସା ଚାଳକ । ୪୫ ବର୍ଷିୟା ମୌସମ୍ମତ ନିଜର ତିନି ପୁଅଙ୍କ ଖର୍ଚ୍ଚ ଉଠାଇବା ପାଇଁ ରୋଜଗାରର ଏହି ରାସ୍ତା ଆପଣାଇଛନ୍ତି । ବର୍ତ୍ତମାନ ମୌସମ୍ମତ ପ୍ରତିଦିନ ରିକ୍ସା ଚଳାଇ ୫୦୦-୬୦୦ ଟଙ୍କା ରୋଜଗାର କରିଥାନ୍ତି । ରୋଜଗାରର ପ୍ରାରମ୍ଭିକ ଦିନମାନଙ୍କରେ ମୌସମ୍ମତଙ୍କୁ କେହି ଗ୍ରାହକ ମିଳୁନଥିଲେ । ଯଦି ବି କେହି ଗ୍ରାହକ ମିଳୁଥିଲେ ସେ ତାଙ୍କୁ ଉପଯୁକ୍ତ ଅର୍ଥ ପ୍ରଦାନ କରୁନଥିଲେ । ଏହାପରେ ମଧ୍ୟ ସେ ହାର ନମାନି ରିକ୍ସା ଚଳାଇବା ଚାଲୁ ରଖିଥିଲେ ।

ନିଜର ରିକ୍ସା ଚଳାଇବା ବିଷୟରେ ସେ କହିଛନ୍ତି “ଠାକୁର ମତେ ଦୁଇ ହାତ ଏବଂ ଗୋଡ଼ ଦେଇଛନ୍ତି । ତା’ହାଲେ ମୁଁ କାହିଁକି କାହା ସମ୍ନାରେ ଭିକ ମାଗିବା ପାଇଁ ହାତ ପତାଇବି । ମୁଁ ନିଜ ପରିବାର ଏବଂ ମୋର ତିନି ପୁଅଙ୍କୁ ପୋଷିବା ପାଇଁ ରିକ୍ସା ଚଳାଉଛି। ମୁଁ କିଛି ଦିନ ଏକ ଫ୍ୟାକ୍ଟ୍ରିରେ କାମ କରିବା ପରେ ଟଙ୍କା ନିଅଣ୍ଟ ହେବାରୁ ଜଣଙ୍କ ଠାରୁ ରିକ୍ସା ଭଡ଼ାରେ ଆଣି ଚଳାଇବା ଆରମ୍ଭ କଲି । ଏହା ଦ୍ୱାର ମୋର ଠିକଠାକ ରୋଜଗାର ହୋଇଥାଏ ଏବଂ ମୁଁ ମୋର ପରିବାର ସଠିକ ଭାବେ ଚଳାଇପାରୁଛି। ”

ମୌସମ୍ମତ ରିକ୍ସା ଚଳାଇବା ସମୟରେ ନିଜର ସୁରକ୍ଷାର ସଂପୂର୍ଣ୍ଣ ଧ୍ୟାନ ରଖିଥାନ୍ତି । ସେ ଶାଢ଼ି ପିନ୍ଧି ରିକ୍ସା ଚଳାଇବା ସହ ମୁଣ୍ଡରେ ଦୁର୍ଘଟଣାରୁ ବଞ୍ଚିବା ପାଇଁ ହେଲମେଟ ପିନ୍ଧିଥାନ୍ତି । ସେ ମହିଳାଙ୍କ ପାଇଁ ଉଦାହରଣ ସାଜିବା ସହ ଟ୍ରାଫିକ ନିୟମ ମାନିବାର ମଧ୍ୟ ଉଦାହରଣ ପାଲିଟିଛନ୍ତି । ଏଥିପାଇଁ ତାଙ୍କୁ ବାଂଲାଦେଶ ଟ୍ରାଫିକ୍ ପୁଲିସ ଧନ୍ୟବାଦ ଜ୍ଞାପନ କରିଛି।