ଉଦଘାଟନୀ ମ୍ୟାଚରେ ଚମକିଲା ବାଂଲାଦେଶ ! ୧୩୭ ରନର ବଡ ବ୍ୟବଧାନରେ ଶ୍ରୀଲଙ୍କାକୁ ଦେଲା ମାତ୍ ।

32

ଏସିଆ କପର ଉଦଘାଟନୀ ମ୍ୟାଚରେ ବାଂଲାଦେଶ ୧୩୭ ରନର ବଡ଼ ବ୍ୟବଧାନରେ ୫ ଥର ବିଜେତା ଶ୍ରୀଲଙ୍କାକୁ ହରାଇ ଦେଇଛି । ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍ ମୁସଫିକର ରହିମଙ୍କ ଲଢ଼ୁଆ ଶତକ (୧୪୪) ବଳରେ ବାଂଲାଦେଶ ବିପର୍ଯ୍ୟୟରୁ ବାହାରି ୨୬୧ ରନ୍ କରିଥିଲା । ଜବାବରେ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶ୍ରୀଲଙ୍କା ୧୨୪ ରନରେ ସମସ୍ତ ଓ୍ଵିକେଟ୍ ହରାଇ ଦେଇଥିଲା । ଲଢ଼ୁଆ ପାଳି ପାଇଁ ମୁସଫିକର୍ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ରବିବାର ପାକିସ୍ତାନ ଓ ହଂ କଂ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।

ଶନିବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରଥମ ଓଭର ଶେଷ ଦୁଇ ବଲରେ ୨ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଲିଟନ୍ ଦାସ ଏବଂ ସକିବ୍ ଅଲ ହାସନଙ୍କୁ ମାଲିଙ୍ଗା ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ପରବର୍ତୀ ଓଭରରେ ତମିମ୍ ଇକବାଲ୍ ଆହତ ହୋଇ ରିଟାର୍ଡ ହର୍ଟ ହେବାରୁ ବାଂଲାଦେଶ ସଙ୍କଟ ବଢ଼ିଥିଲା। ଫଳତଃ ୩ ରନରେ ୩ ଜଣଙ୍କୁ ହରାଇ ଦେଇଥିଲା ବାଂଲାଦେଶ ଦଳ । ଏହି ସମୟରେ କିନ୍ତୁ ଓ୍ଵିକେଟରକ୍ଷକ ମୁସଫିକର ରହିମ୍ ଏବଂ ମହମ୍ମଦ ମିଥୁନ୍ ତୃତୀୟ ଓ୍ଵିକେଟ୍ ପାଇଁ ୧୩୧ ରନ୍ ଯୋଡ଼ିବା ମସରାଫ୍ ମର୍ତାଜାଙ୍କ ଦଳକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲା । ମିଥୁନଙ୍କୁ ମାଲିଙ୍ଗା ନିଜ ଦ୍ୱିତୀୟ ସ୍ପେଲରେ ଆଉଟ୍ କରି ଏହି ଶତକୀୟ ଭାଗୀଦାରିକୁ ଅଲଗା କରିଥିଲେ । ଏହା ପରେ ବାଂଲାଦେଶ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା ।

କିନ୍ତୁ ଗୋଟିଏ ପାର୍ଶ୍ୱରେ ପ୍ରାଚୀର ଭଳି ଛିଡ଼ା ହୋଇଥିବା ମୁସଫିକର ନିଜ ଷଷ୍ଠ ଦିନିକିଆ ଶତକ ହାସଲ ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଏକା ଏକା ସେ ଦଳର ସ୍କୋରକୁ ୨୬୧ ରନରେ ପହଞ୍ଚାଇ ଦେଇଥିଲେ । ତିସରା ପେରେରାଙ୍କୁ ହ୍ୟାଟ୍ରିକ୍ ଛକା ମାରିବାକୁ ଯାଇ ଶେଷ ଓ୍ଵିକେଟ୍ ଭାବେ ରହିମ୍ ଆଉଟ୍ ହୋଇଥିଲେ । ତମିମ୍ ଆଉ ବ୍ୟାଟିଂ କରିବାକୁ ଆସି ପାରିନଥିଲେ । ବାଂଲାଦେଶର ୨୬୧ ରନରୁ ମୁସିଫିକର୍ (୧୪୪, ୧୫୦ ବଲ୍, ୧୧ ଚୌକା, ୪ ଛକା) ଏବଂ ମିଥୁନ୍ (୬୩, ୬୮ ବଲ୍, ୫ ଚୌକା, ୨ ଛକା) ମିଳିତ ଭାବେ ୨୦୭ ରନ୍ ସଂଯୋଗ କରିଥିଲେ । ମେହଦି ହାସନ୍ ମିରାଜ ତୃତୀୟ ବ୍ୟକ୍ତିଗତ ସର୍ବାଧିକ ୧୫ ରନ୍ କରିଥିଲେ । ପ୍ରତ୍ୟାବର୍ତନ ମ୍ୟାଚରେ ମାଲିଙ୍ଗା (୧୦-୨-୨୩-୪) ଚମତ୍କାର ବୋଲିଂ ଚିତ୍ର ପାଇଥିଲେ। ମୁସ୍ତାଫିଜୁରଙ୍କୁ ସେ ଆଉଟ୍ କରିଥିଲେ । ହେଲେ ଡିଆରଏସରେ ସେ ବର୍ତିଯିବାରୁ ମାଲିଙ୍ଗା ପାଞ୍ଚ ଓ୍ଵିକେଟ୍ ସଫଳତାରୁ ବଞ୍ଚିତ ହୋଇଥିଲେ । ଜବାବରେ ୧୦ ଓଭର ଭିତରେ ଶ୍ରୀଲଙ୍କା ୪ ଓ୍ଵିକେଟ୍ ଦେବା ଫଳରେ ଆଉ ମ୍ୟାଚକୁ ଫେରିପାରିନଥିଲା । ବାଂଲାଦେଶର ଦ୍ରୁତ ବୋଲରମାନେ ୬୯ ରନ ବେଳକୁ ୭ ଓ୍ଵିକେଟ୍ ଦଖଲ କରି ନେଇଥିଲେ । ମ୍ୟାଚ୍ ୩୬ ଓଭର ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ବାଂଲାଦେଶ ୧୩୭ ରନର ସହଜ ବିଜୟ ହାସଲ କରି ନେଇଥିଲା ।

ସଂକ୍ଷିପ୍ତ ସ୍କୋର :

ବାଂଲାଦେଶ ୪୯.୩ ଓଭରରେ ୨୬୧ (ମୁସଫିକର୍ ରହିମ୍-୧୪୪, ମହମ୍ମଦ ମିଥୁନ୍-୬୩, ଲସିଥ୍ ମାଲିଙ୍ଗା-୪/୨୩, ସୁରଙ୍ଗା ଲକମଲ୍-୧/୪୬, ତିସରା ପେରେରା-୧/୫୧, ଅମିଳ ଆପୋଂସୋ-୧/୫୫)। ଶ୍ରୀଲଙ୍କା ୩୫.୨ ଓଭରରେ ୧୨୪ (ଦିଲରୁଓ୍ଵାନ ପେରେରା-୨୯, ଉପୁଲ୍ ଥରଙ୍ଗା-୨୭, ସୁରଙ୍ଗା ଲକମଲ୍-୨୦, ମୁସ୍ତାଫିଜୁର ରହମାନ୍-୨/୨୦, ମେହିଦି ହାସନ୍ ମିରାଜ-୨/୨୧, ମସରାଫ୍ ମର୍ତାଜା-୨/୨୫, ମୋସାଡେକ୍-୧/୮, ରୁବେଲ୍ ହାସନ୍-୧/୧୮, ସକିବ୍ ଅଲ୍ ହାସନ୍-୧/୩୧)।