ବାଙ୍ଗଲାଦେଶରେ ପୁଣି ହସିନା ସରକାର ! ଆୱାମୀ ଲିଗର ବିପୁଳ ବିଜୟ ସହ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଶେଖ ହସିନା

ଫଳାଫଳକୁ ବିରୋଧୀଙ୍କ ବହିଷ୍କାର

118

କନକ ବ୍ୟୁରୋ : ବାଙ୍ଗଲାଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମୀ ଲିଗ ଦଳ ପୁଣି ବିଜୟ ହୋଇଛି । ଚତୁର୍ଥ ଥର ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।  ନିର୍ବାଚନ ଫଳାଫଳ ଆଜି ସଂଧ୍ୟାରେ ଅନୁଷ୍ଠାନିକ ଭାବେ ବାଂଲାଦେଶ ନିର୍ବାଚନ କମିସନ ଘୋଷଣା କରିବେ । ତେବେ ସ୍ଥାନୀୟ ଗଣମାଧ୍ୟ ଓ ଟିଭି ଚ୍ୟାନେଲଗୁଡିକରୁ ହସିନାଙ୍କ ପାର୍ଟି ବିଜୟୀ ହୋଇଥିବା ସୂଚନା ମିଳିଛି ।  ୩ଶହ ଆସନରୁ ୨୯୯ଟି ସଂସଦୀୟ ଆସନ ପାଇଁ ଭୋଟିଂ ହେବା ପରେ କାଲି ଗଣତି ଆରମ୍ଭ ହୋଇଥିଲା । କେବଳ ହସିନାଙ୍କ ପାର୍ଟିକୁ ୧୫୧ଟି ଆସନ ମିଳିଥିବା ବେଳେ ତାଙ୍କ ମେଂଟ ୧୯୧ ଆସନରେ ବିଜୟୀ ହୋଇଛନ୍ତି ।

ଆୱାମୀ ଲିଗର ବିଜୟ ସହ ଶେଷ ହସିନା ଦୀର୍ଘ ସମୟ ଧରି ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଚଳିତ ନିର୍ବାଚନରେ ହସିନା ନିଦ୍ୱର୍ନ୍ଦ୍ରରେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପାର୍ଟିକୁ ବିପୁଳ ସଫଳତା ମିଳିଛି ।  ତେବେ ଗତକାଲି ହୋଇଥିବା ମତଦାନରେ ବ୍ୟାପକ ହିଂସାକାଣ୍ଡ ହୋଇଛି । ଏହି ହିିଂସାକାଣ୍ଡରେ ୧୭ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ହିଂସା ଯୋଗୂୁଁ ବିଭିନ୍ନ ସ୍ଥାନରେ ଭୋଟଦାନ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ । ଫଳାଫଳକୁ ବିରୋଧୀ ବହିଷ୍କାର କରିବା ସହ ପୁଣି ଥରେ ନିର୍ବାଚନ କରିବାକୁ ଦାବି କରିଛନ୍ତି । ବିରୋଧୀ ଦଳ ଅଭିଯୋଗ କରିଛନ୍ତି ୨୨୧ଟି ଆସନରେ ଅନିୟମିତତା ଦେଖିବାକୁ ମିଳିଛି । ଶାସକ ଦଳ ଆବାମୀ ଲିଗ କଳବଳକୌଶଳ ଖଟାଇ ଜନାଦେଶକୁ ନିଜ ସପକ୍ଷରେ ନେଇଛି । ନିରପେକ୍ଷ ନିର୍ବାଚନ ହୋଇନାହିଁ ଏହା ଜନତାଙ୍କ ରାୟର ଖିଲାପ ବୋଲି ବିରୋଧୀ କହିଛନ୍ତି ।