‘ବନ୍ଦେ ଉତ୍କଳ ଜନନୀ’ ନୁହେଁ ‘ବନ୍ଦେ ଓଡ଼ିଶା ଜନନୀ’ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଲେ ମନ୍ତ୍ରୀ ! ଜାଣନ୍ତୁ କିଏ ଓ କାହିଁକି କହିଲେ ଏଭଳି କଥା

62

କନକ ବ୍ୟୁରୋ : ବନ୍ଦେ ଉତ୍କଳ ଜନନୀ ବିବାଦରେ ନୂଆ ମୋଡ । ପଶ୍ଚିମ ଓଡିଶାର ଭାବାବେଗକୁ ସମ୍ମାନ ଦେଇ ଗୀତର ଶବ୍ଦ ପରିବର୍ତନ କରିବା ପାଇଁ ଯୁକ୍ତି ରଖିଛନ୍ତି ଶ୍ରମମନ୍ତ୍ରୀ । ସୁଶାନ୍ତ ସିଂ କହିଛନ୍ତି, ବନ୍ଦେ ଉତ୍କଳ ଜନନୀ ସ୍ଥାନରେ ବନ୍ଦେ ଓଡିଶା ହେଉ । ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିବାଦର ପର୍ବ । ସେପଟେ ରାଜ୍ୟ ସଂଗୀତ ମାନ୍ୟତା ନେଇ ଜୋରଦାର ହୋଇଛି ବିଜେଡି-ବିଜେପି ଦୋଷ ଲଦାଲଦି ।

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମନ୍ତବ୍ୟ ପରେ ବନ୍ଦେ ଉତ୍କଳ ଜନନୀ ଗୀତକୁ ନେଇ ଦେଖା ଦେଇଥିବା ବିବାଦରେ ଆସିଛି ନୂଆମୋଡ । କାରଣ ମନ୍ତ୍ରୀଙ୍କ ଯୁକ୍ତି, କୋଶଳ ଆନ୍ଦୋଳନ ଯୋଗୁଁ ଗୀତର ଶବ୍ଦରେ ପରିବର୍ତନ କରିବାକୁ ଦାବି ହେଉଛି । ଯେଉଁଥିପାଇଁ ବନ୍ଦେ ଉତ୍କଳ ଜନନୀ ସ୍ଥାନରେ ବନ୍ଦେ ଓଡିଶା କରିବାକୁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ପଶ୍ଚିମ ଓଡିଶାରେ ଦେଖାଦେଇଥିବା କୋଶଳ କ୍ରାନ୍ତି ପରିପ୍ରେକ୍ଷୀରେ ସେଠାକାର ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ସରକାର ଏ ଦିଗରେ ବିଚାର କରିବେ ବୋଲି ମନ୍ତ୍ରୀ କହିବା ପରେ ଦେଖାଦେଇଛି ବିବାଦ ।

ପ୍ରଥମେ ହକିକୁ ଜାତୀୟ ଖେଳର ମାନ୍ୟତା ପାଇଁ ନୋଟିଫାଏ କରିବାକୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ଏହି ପ୍ରସଙ୍ଗ ସାମ୍ନାକୁ ଆଣିଥିଲା ବିଜେପି । ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ଦାବି କରିଥିଲା ଭାରତୀୟ ଜନତା ପାର୍ଟି । ବିଜେପିର ଏଭଳି ଦାବି ପରେ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛି ବିଜେଡି । ୨୦୦୬ରେ ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଂଗୀତ ମାନ୍ୟତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଥିଲେ ବି ଏହାକୁ ଗ୍ରହଣ କରାଯାଇନଥିବା ବିଜେଡି କହିଛି ।

ଅନ୍ୟପଟେ ବିଜେପି କହିଛି, ରାଜ୍ୟ ସଂଗୀତକୁ କେନ୍ଦ୍ର ମାନ୍ୟତା ଦେବାର କୌଣସି ନିୟମ ନଥିବାରୁ ସେତେବେଳ ରାଜ୍ୟ ସରକାରଙ୍କ ପ୍ରସ୍ତାକୁ ଅଗ୍ରାହ୍ୟ କରାଯାଇଥିଲା । ଏବଂ ରାଜ୍ୟ ସଂଗୀତକୁ ରାଜ୍ୟ ସରକାର ମାନ୍ୟତା ଦେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା । ଗୋଟିଏ ପଟେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ନେଇ ଜୋରଦାର ହୋଇଛି ବିଜେଡି-ବିଜେପି ଦୋଷ ଲଦାଲଦି । ସେପଟେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଗଲାଣି ପ୍ରତିବାଦର ପର୍ବ ।