ବିଧାନସଭାରେ ପହଞ୍ଚିଲା ବନବିରାର ଲଢେଇ ! ଜୟନାରାୟଣଙ୍କ ପଛରେ ଛିଡା ହେଲା ବିଜେପି

30

କନକ ବ୍ୟୁରୋ : ବରଗଡ ବନାବିରାରୁ ଆରମ୍ଭ ହୋଇଥିବା ବିଜେଡି-ବିଜେପି ରାଜନୈତିକ ଲଢେଇ ଆଜି ବିଧାନସଭାରେ ପହଂଚିଛି । କାରଣ ଗୃହରେ ଜୟନାରାୟଣଙ୍କ ଗିରଫଦାରୀକୁ ବିରୋଧ କରି ହଙ୍ଗାମା କରିଛନ୍ତି ବିଜେପି ବିଧାୟକ । ଆଉ ତାଙ୍କ ପଛରେ ବିଜେପିର ପୂର୍ଣ୍ଣ ସମର୍ଥନ ରହିଥିବା ସଂକେତ ଦେଇଛି ଦଳ । କେବଳ ଏତିକି ନୁହେଁ ଲଢେଇ ଆଉପାଦେ ଆଗେଇଛି ଯେତେବେଳେ ଏହି ପ୍ରସଙ୍ଗରେ ବାଚସ୍ପତି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦଳ ଦାବି କରିଛି । ଜୟନାରାୟଣଙ୍କ ଗିରଫଦାରୀ ସଂପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି ଦାବି କରୁଥିବାବେଳେ, ଜଣେ ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ବିଜେପି ରାଜନୀତି କରୁଥିବା କହିଛି ବିଜେଡି ।

ବରଗଡ ଜିଲ୍ଲା ବନାବିରା ଗୁଳିକାଣ୍ଡର ପ୍ରାୟ ୧୮ ଦିନ ପରେ ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡିଶାର ବିଜେପି ତୁଙ୍ଗ ନେତା ଜୟନାରାୟଣ ମିଶ୍ରଙ୍କୁ ଉଠାଇ ନେଲା ପୁଲିସ । ଶ୍ରମମନ୍ତ୍ରୀ ଶୁସାନ୍ତ ସିଂଙ୍କ ଭାଇ ଓ ଅନ୍ୟମାନଙ୍କୁ ମରଣାନ୍ତକ ଆକ୍ରମଣ ସହ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ହତ୍ୟା ଅଭିଯୋଗରେ ଜୟନାରାୟଣଙ୍କୁ ଗିରଫ କରିଥିଲା ସୋହେଲା ପୁଲିସ । ରାଜନୈତିକ ଆକ୍ରୋଶରୁ ଏହି ହତ୍ୟା ଷଡଯନ୍ତ୍ର କରାଯାଇଥିବା ଅଭିଯୋଗରେ ବିଜେପିକୁ ଦାୟୀ କରିଆସୁଛି ବିଜୁ ଜନତା ଦଳ । ବିଜେପୁର ପରାଜୟ ଭୟରେ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଥିବା ସିଧାସିଧା ଟାର୍ଗେଟ କରିଆସୁଛି । ପ୍ରକୃତ ସତ୍ୟକୁ ବାଟବଣା କରିବା ଲାଗି ସରକାର ଓ ସ୍ଥାନୀୟ ପୋଲିସ ପ୍ରଶାସନର ଭୁମିକାକୁ କାଠଗଡାରେ ଛିଡା କରାଇଛି ବିଜେପି ।

ବନାବିରା ଗୁଳିକାଣ୍ଡକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଲାଗିରହିଥିବା ରାଜନୈତିକ ଲଢେଇର ପ୍ରତିଫଳନ ଆଜି ବିଧାନସଭାରେ ଦେଖିବାକୁ ମିଳିଛି । ଯେତେବେଳେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିରୋଧ କରି ଗୃହକୁ ଅଚଳ କରିଦେଇଛନ୍ତି ବିଜେପି ବିଧାୟକ । ଏପରିକି ବାଚସ୍ପତି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛି ବିଜେପି ।

ତାରିଖ- ୨୦୧୮ ଫେବ୍ରୁଆରୀ ୨୪ ଭୋର ସମୟ ।ଯେତେବେଳେ ବିଜେପୁର ଲଢେଇକୁ ନେଇ ବିଜେଡି-ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ଶିଖରରେ ପହଂଚିଥିବାବେଳେ ମନ୍ତ୍ରୀଙ୍କ ଭାଇ ସୁବ୍ରତ ସିଂଙ୍କ ସମେତ ୪ଜଣଙ୍କ ଉପରେ ହୋଇଥିଲା ମରଣାନ୍ତର ଆକ୍ରମଣ । ଆଉ ଶେଷରେ ସୁବ୍ରତଙ୍କ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ବିଜେଡିର ଅଭିଯୋଗ ଘଟଣାପରଠାରୁ ଫେରାର ଥିଲେ ଜୟନାରାୟଣ ମିଶ୍ର । ଆଉ ଗତ ୧୫ ତାରିଖରେ ତାଙ୍କୁ ସମ୍ବଲପୁରସ୍ଥିତ ଘରୁ ଗିରଫ କରିଥିଲା ସୋହେଲା ପୁଲିସ । ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ମୂଳରୁ ବିରୋଧ କରିଆସୁଛି ବିଜେପି । ଆଉ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଲଢେଇକୁ ଆଉପାଦେ ଆଗେଇ ନେଇଛି ।