ବାଣ ନୁହେଁ ହସ ଫୁଟାଇବା ! କନକ ନ୍ୟୁଜର ଅଭିଯାନରେ ସାମିଲ୍ ହେଲେ ଅଭିନେତ୍ରୀ ସୋନିକା

229

କନକ ବ୍ୟୁରୋ : ଚିତ୍ର ଆଙ୍କିବା ସେମାନଙ୍କ ପାଇଁ ଜୀବନ । ପାଠ ପଢା ସହ ଚିତ୍ର ଆଙ୍କିବାରେ ଭାରି ଆଗ୍ରହ ଆକାଶ ଓ ବିକାଶଙ୍କର । ଦୁଇ ଭାଇଙ୍କ ସ୍ୱପ୍ନ, ଦିନେ ବଡ ଚିତ୍ରକର ହେବେ । ହେଲେ ଅଭାବ ସାଜିଛି ବାଧକ । ନା ଅଛି ଭଲ ରଂଗ ନା ଖାତା । ପାଖରେ ଯେତିକି ଅଛି , ସେତିକିରେ ସ୍ୱପ୍ନ ପୂରଣ କରନ୍ତି । ଚିତ୍ର କରି ପାଖପଡୋଶୀଙ୍କୁ ଦେଖାନ୍ତି । ଆଉ, କିଏ ଯଦି ଭଲ କହିଦେଲା ଖୁସି କହିଲେ ନସରେ ଦୁଇ ଭାଇଙ୍କର । ବାପା-ମା ଦୁଇ ଜଣ ଦିନ ମଜୁରିଆ । ଦିନେ କାମକୁ ନଗଲେ ଘରେ ଚୁଲି ଜଳିବା ମୁସ୍କିଲ । ଏଭଳି ସ୍ଥିତିରେ ଏମାନଙ୍କ ପାଇଁ ଦୀପାବଳିର ମାନେ କଣ । ଦୁଇ ଭାଇଙ୍କ ଇଛା ଏଥର ଦୀପାବଳିରେ ଯଦି କେହି ତାଙ୍କୁ ନୂଆ ରଂଗ ଦିଅନ୍ତା, ତେବେ ମନଭରି ଚିତ୍ର ଆଙ୍କନ୍ତେ ।

ରାଜଧାନୀର ଏକ ବସ୍ତିରେ ରହୁଥିବା ଆକାଶ ଓ ବିକାଶର ଇଛା ଏଥର ଦୀପାବଳିରେ ନୂଆ ରଂଗ କିଣିବେ ଆଉ ମନଭରି ଚିତ୍ର କରିବେ । ଦେଖନ୍ତୁ ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ ଆଜି କିଏ ଏମାନଙ୍କ ମୁହଁରେ ହସ ଫୁଟାଇପାରିଛି ।

ଦୁଇ ଭାଇଙ୍କ ସ୍ୱପ୍ନ ବିଷୟରେ ଜାଣିବା ପରେ ଆଗେଇ ଆସିଥିଲେ ଓଲିଉଡ୍ ଅଭିନେତ୍ରୀ ସୋନିକା ରୟ । ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ ସାମିଲ ହୋଇ ସଙ୍ଗେ ସଙ୍ଗେ ପହଁଚିଯାଇଥିଲେ ହସ ବଜାରରେ । କୁନି ପିଲାଙ୍କ ପାଇଁ କିଣିଥିଲେ ଭଳିକି ଭଳି ରଂଗ, ତୂଳୀ, ଖାତା, ପେନସିଲ ଓ ବହୁତସାରା ଗିଫ୍ଟ । ଏହାପରର ଦୃଶ୍ୟ ଆପଣଙ୍କ ସାମ୍ନାରେ । ସୋନିକାଙ୍କ ହାତରେ ଗିଫ୍ଟ ଦେଖି ଦୁଇ ଭାଇଙ୍କ ଖୁସି କହିଲେ ନସରେ ।

ଏଥର ଦୀପାବଳିରେ ବାଣ ନୁହେଁ ହସ ଫୁଟାଇବା । ସୋନିକାଙ୍କ ଏକ ଛୋଟ ଉଦ୍ୟମ ଦୁଇ କୁନି ପିଲାଙ୍କ ମୁହଁରେ ହସ ଫୁଟାଇ ପାରିଛି । କିନ୍ତୁ ଏମାନଙ୍କ ପରି ଅନେକ ପିଲା ଅଛନ୍ତି ଆପଣଙ୍କ ଅପେଷାରେ ।