ପ୍ରଶାସନିକ ଅବହେଳାର ସ୍ପଷ୍ଟ ଚିତ୍ର: ବର୍ଷା ଆସିଲେ କେଉଁଠି ବାଉଁଶ ପୋଲ ସାହା ତ ପୁଣି କେଉଁଠି ତାର ପାଲଟିଛି ରାସ୍ତା

52

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ମୟୁରଭଂଜ ଜିଲ୍ଲା କରଂଜିଆର ଅଭାବନୀୟ ଚିତ୍ର । ବର୍ଷା ଆସିଲେ ଯେଉଁଠି ସାହା ହୁଏ ବାଉଁଶପୋଲ । ଭରା ନଈରେ ବାଉଁଶପୋଲ ଦେଇ ପାରିହୁଅନ୍ତି ଲୋକେ । ସ୍ୱାଧୀନତାର ୭୨ ବର୍ଷ ପରେ ବି କରଂଜିଆ ବ୍ଲକ୍ ଦୁଧିଆଣି ପଂଚାୟତର ଦୁର୍ଦ୍ଦଶା ବାସ୍ତବିକ ଉଦବେଗଜନକ ।

ଏହି ଚିତ୍ର ବୟାନ କରୁଛି ମୟୁରଭଂଜ କରଂଜିଆର ବାସ୍ତବିକ ସ୍ଥିତିକୁ । ବର୍ଷା ଆସିଲେ ଦୁଧିଆଣି ପଂଚାୟତର ୮ଟି ଗାଁ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼େ ଆଉ ଲୋକେ ବାଉଁଶପୋଲ ଦେଇ ପାରି ହୁଅନ୍ତି ଦେଓ ନଦୀ । ଚିନ୍ତାଜନକ କଥା ହେଉଛି ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା ଆଉ ଦେଖୁଛି ପ୍ରଶାସନ । ଏହି ଚିତ୍ରରୁ ସହଜରେ ଅନୁମାନ କରିହେବ ଏହି ଅଂଚଳରେ କିଭଳି ପହଁଚୁଥିବ ସ୍ୱାସ୍ଥ୍ୟସେବା ।

ଫୁଲବାଣୀ ଦାରିଙ୍ଗିବାଡ଼ି ବ୍ଲକ୍ କିରିକୁଟୀ ପଂଚାୟତ ବୁରାଙ୍ଗିଆ ଗାଁରେ ସମାନ ଅବସ୍ଥା । ବର୍ଷାଦିନ ଆସିଲେ ଲୋକେ ଏଠାରେ ବାଉଁଶ ଉପରେ ନୁହେଁ ବରଂ ତାର ଉପରେ ଚାଲି ଲୋକଙ୍କୁ ନଈ ପାରି ହେବାକୁ ପଡ଼େ । ପାଦେ ପାଦେ ଥାଏ ପୁଣି ତାର ଛିଣ୍ଡିଯିବାର ଭୟ କିନ୍ତୁ ଆଉ କିଛି ବାଟ ନଥିବାରୁ ବିପଜ୍ଜନକ ତାର ଦେଇ ଯିବାକୁ ପଡ଼ିଥାଏ । ଏପରିକି ନିକଟରେ ତାର ଛିଣ୍ଡି ଲୋକେ ଭାସିଯିବାର ଖବର ମଧ୍ୟ ଆସିଛି ଆଉ ପ୍ରଶାସନକୁ ଖବର ମଧ୍ୟ ଯାଇଛି । ତେବେ ସ୍ଥିତି ବଦଳିନାହିଁ । ମୟୂରଭଂଜ କରଂଜିଆ ହେଉ କି ଫୁଲବାଣୀ ଦାରିଙ୍ଗିବାଡ଼ି, ସବୁଠି ସ୍ପଷ୍ଟ ଚିତ୍ର ପ୍ରଶାସନିକ ଅବହେଳାର । ସ୍ୱାଧିନତାର ଢ଼େର ବର୍ଷ ବିତିଛି ଓ ଦେଶ ବିଜ୍ଞାନରେ ବେଶ ଅଗ୍ରଗତି କରିଛି । କିନ୍ତୁ ଏବେ ବି କିଛି ଅଂଚଳରେ ଅପହଂଚ ହୋଇରହିଛି ବିକାଶ । ଗୋଟିଏ ପ୍ରଶ୍ନ କେବେ ସୁଧୁରିବ ଏଭଳି ସ୍ଥିତି ।