ଗୁହାରୀ ଶୁଣିଲାନି ପ୍ରଶାସନ, ଦୁଃଖ ବୁଝିଲେନି ନେତା ! ନିଜ ଉଦ୍ୟମରେ ବ୍ରାହ୍ମଣୀ ନଦୀରେ ବାଉଁଶ ପୋଲ ତିଆରି କଲେ ଗ୍ରାମବାସୀ ।

101

କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀରେ ନାହିଁ ପୋଲ । ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ବର୍ଷ ହେଲା ଲୋକେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି । ବାରମ୍ବାର ପ୍ରଶାସନ, ଲୋକପ୍ରତିନିଧିଙ୍କ ପାଖକୁ ଦୌଡି ଦୌଡି ସମସ୍ୟାର ସମାଧାନ ହେଲାନି । ବାଧ୍ୟ ହୋଇ ସ୍ଥାନୀୟ ଲୋକେ ଚାନ୍ଦା ଆଦାୟ କରି ବାଉଁଶରେ ପୋଲ ତିଆରି କରି ସରକାରୀ ଯୋଜନାକୁ ଉପେକ୍ଷା କରିଛନ୍ତି ।

ବ୍ରାହ୍ମଣୀ ନଦୀକୁ ଭରସା ବାଉଁଶ ପୋଲ । ପ୍ରଶାସନ କଲାନି ଗାଁ ଲୋକ କଲେ । ଯାଜପୁର ବରୀ ବ୍ଲକ କଳାଖଣ୍ଡ ଠାରେ ତିଆରି ହୋଇଥିବା ଏକ ବାଉଁଶ ପୋଲକୁ ନିର୍ମାଣ କରିଛନ୍ତି ସ୍ଥାନୀୟ ଲୋକେ । ପ୍ରତିବର୍ଷ ଏଭଳି ପୋଲ ତିଆରି କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଗାଁ ଗାଁ ବୁଲି ଚାନ୍ଦା କରି ପୋଲ ତିଆରି କରୁଛନ୍ତି । ବାରମ୍ବାର ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଯାଏଁ ସମସ୍ତଙ୍କୁ ଗୁହାରି କରିଛନ୍ତି, ହେଲେ କେହି ଏଥିପ୍ରତି ନଜର ଦେଉନଥିବା ଅଭିଯୋଗ ହୋଇଛି ।

ଖରା ଦିନେ ଏହି ପୋଲରେ ଯେ କୌଣସି ପ୍ରକାରେ ଲୋକେ ନଦୀ ପାର ହୋଇଯାନ୍ତି । କିନ୍ତୁ ବର୍ଷା ଦିନେ କେବଳ ଡଙ୍ଗା ଭରସା । କଳାଖଣ୍ଡରେ ବ୍ରାହ୍ମଣୀ ନଦୀ ଉପରେ ପୋଲ ହେଲେ ସ୍ୱାଇଁଖଣ୍ଡ, ଗୋଳକୁଣ୍ଡ, କିମ୍ଭିରିଆପାଳ, ଇସାଣପୁର, ବାଲିଆ ଭଳି ୧୦ରୁ ଅଧିକ ପଂଚାୟତର ଲୋକ ଉପକୃତ ହେବେ । ବ୍ରାହ୍ମଣୀ ଉପରେ ବାଉଁଶ ପୋଲ ପ୍ରସଙ୍ଗରେ ଅତିରିକ୍ତ ଜିଲ୍ଲାପାଳଙ୍କ କହିବା କଥା ସେଠାରେ ଅସ୍ଥାୟୀ ପୋଲ ନିର୍ମାଣ ପାଇଁ ଜାରକା ଜଳସଂପଦ ବିଭାଗକୁ ନିର୍ଦେଶ ଦିଆଯାଇଛି । ବରୀ ସ୍ୱାଇଁଖଣ୍ଡ ପଂଚାୟତର କଳାଖଣ୍ଡଠାରେ ବ୍ରାହ୍ମଣୀ ନଦୀ ଉପରେ ତିଆରି ହୋଇଥିବା ଏହି ବାଉଁଶ ପୋଲକୁ ସରକାର କେବେ ସ୍ଥାୟୀ ପୋଲରେ ପରିଣତ କରୁଛନ୍ତି ତାହା ସମୟ ହିଁ କହିବ ।