ନଦୀ ପାରି ପାଇଁ ବାଉଁଶ ପୋଲ ଭରସା ! ଦୁଃଖ ବୁଝୁନି ପ୍ରଶାସନ, ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ ।

120

କନକ ବ୍ୟୁରୋ : ୪ ବର୍ଷ ହେଲା ଅଧାରେ ପଡିଛି ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଥିବା କଂକ୍ରିଟ ପୋଲ । ପୋଲ କାମ କେବେ ସରିବ ତାହା କେବଳ ପ୍ରଶାସନକୁ ହିଁ ଜଣା । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ବର୍ଷା ଦିନ ଯିବା ପରେ ବୈତରଣୀ ନଦୀ ଉପରେ ବାଉଁଶ ପୋଲ ତିଆରି କରିଛନ୍ତି ଚମ୍ପୁଆର ପଦ୍ମପୁର ଗ୍ରାମବାସୀ ।

ବୈତରଣୀକୁ ଭରସା ବାଉଁଶ ପୋଲ ।  ୨ଟି ଜିଲ୍ଲାକୁ ଯୋଡିଛି ବାଉଁଶ ପୋଲ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଦ୍ମପୁର ଗାଁ ନିକଟରେ ବହୁଥିବା ବୈତରଣୀ ନଦୀ ଉପରେ ଏହି ବାଉଁଶ ପୋଲ ୨ଟି ଜିଲ୍ଲା ୩ଟି ବ୍ଲକର ଜୀବନରେଖା । ଗ୍ରାମବାସୀଙ୍କ ଦ୍ୱାରା ତିଆରି କରାଯାଇଥିବା ଏହି ବାଉଁଶ ପୋଲ ଚମ୍ପୁଆ ବ୍ଲକ ସହ ମୟୂରଭଂଜ ଜିଲ୍ଲା ଶୁକ୍ରୁଳି ଓ ରରୁଆଁ ବ୍ଲକକୁ ସଂଯୋଗ କରୁଛି । ଉଭୟ ବ୍ଲକର ଲୋକ ନଦୀ ପାରି ହେବାକୁ ହେଲେ ଏହି ବାଉଁଶ ପୋଲ ହିଁ ଏକମାତ୍ର ମାଧ୍ୟମ । ବର୍ଷ ବର୍ଷ ଧରି ଲୋକେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଥିବା ବେଳେ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ଦୁଇଟି ଜିଲ୍ଲାକୁ ସଂଯୋଗ କରୁଥିବା ପଦ୍ମପୁରରେ କଂକ୍ରିଟ ପୋଲ ନିର୍ମାଣ କରିବା ପାଇଁ ୧୯ କୋଟିର ବ୍ୟୟ ଅଟକଳ କରାଯାଇଛି । ୪ ବର୍ଷ ତଳୁ ପୋଲ ନିର୍ମାଣ କାମ ଆରମ୍ଭ ହୋଇଛି । ହେଲେ କେବେ ଶେଷ ହେବ ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି । ସେପଟେ ୨୦୧୯ ଜୁନ୍ ସୁଦ୍ଧା ପୋଲ ନିର୍ମାଣ ସରିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ବର୍ଷା ଦିନେ ବନ୍ୟା ଆସିଲେ ବାଉଁଶ ପୋଲ ଭାସିଯାଏ, ବର୍ଷା ଦିନ ଚାଲିଯିବା ପରେ ପୁଣି ବାଉଁଶ ପୋଲ ତିଆରି କରିଥାନ୍ତି ପଦ୍ମପୁରର ଗ୍ରାମବାସୀ ।