ରାଜନୀତିରେ ଦାମଙ୍କ ଅସଲ ଚରିତ୍ର ବଖାଣିଲେ ବାମ । ୨୦୦୪ରୁ ୨୦୧୪, ଟିକେଟ ପାଇଁ କଣ ଘଟିଥିଲା ସେନେଇ ମୁହଁ ଖୋଲିଲେ ସାନଭାଇ ବାମ
କନକ ବ୍ୟୁରୋ : କୁହାଯାଏ ରାଜନୀତିରେ କେହି କାହାର ନୁହଁନ୍ତି । ଯାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି ସଦ୍ୟ ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ । ଆଉ ଏଭଳି ବିସ୍ଫୋରକ ବୟାନ ଅନ୍ୟ କେହି ନୁହେଁ ବରଂ ଦାମୋଦର ରାଉତଙ୍କ ସାନଭାଇ ତଥା ବିଜେପି ନେତା ବାମଦେବ ରାଉତରାୟ ଦେଇଛନ୍ତିି । ବଡଭାଇ ଦାମଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସାନଭାଇ ବାମ । ଏପରିକି ଲଗାତାର ୩ଥର ତାଙ୍କର ଟିକେଟ କଟିବା ପଛରେ ଦାମଙ୍କ ହାତ ରହିଥିବା ସେ କ୍ୟାମେରା ସାମ୍ନାରେ କହିଛନ୍ତି । ପରିବାରିକ ରାଜନୀତିର ଦ୍ୱାହି ଦେଇ ମୋ ଟିକେଟ କାଟିଥିବା ବ୍ୟକ୍ତି ଏବେ କିପରି ପୁଅର ଟିକେଟ ପାଇବା ପାଇଁ ଯୁକ୍ତି କରୁଛନ୍ତି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ବାମଦେବ ରାଉତରାୟ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପଟେ ପାରାଦ୍ୱୀପରୁ ବିଜେଡିରୁ କିଏ ଲଢିବ ସେନେଇ ଏବେ ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦାମଙ୍କ ଝିଆରୀଙ୍କ ନାଁ ସାମ୍ନାକୁ ଆସିଛି । କିନ୍ତୁ ଏହାକୁ ସହଜରେ ହଜମ କରିପାରିନାହାନ୍ତି ଦାମ । ତାଙ୍କ ପୁଅ ବଦଳରେ ଝିଆରୀକୁ କାହିଁକି ଟିକେଟ ଦିଆଯିବ ସେନେଇ ଗତକାଲି ବିଜେଡିକୁ ଟାର୍ଗେଟ କରିଥିଲେ ଦାମ । କିନ୍ତୁ ଏଭଳି ସମୟରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଦାମଙ୍କ ସାନଭାଇ ବାମ । ଏପରିକି ନବୀନ ଚାହିଁଲେ ସେ ବିଜେଡିରୁ ୨୦୧୯ରେ ପାରାଦୀପ ଆସନରେ ନିର୍ବାଚନ ଲଢିବେ ବୋଲି ସିଧାସଳଖ କହିଛନ୍ତି । ଆଉ ଏହିସବୁ ଭିତରେ ଦାମଙ୍କ ଅସଲି ଚରିତ୍ରକୁୁ ମଧ୍ୟ ସାମ୍ନାକୁ ଆଣିଛନ୍ତି ବାମ ।
ବାମଦେବ ରାଉତରାୟ । ବିଜେଡିରୁ ବିତାଡିତ ନେତା ଦାମୋଦର ରାଉତଙ୍କ ସାନଭାଇ । ଏହାଛଡା ବିଜେପି ନେତା ଭାବେ ମଧ୍ୟ ରାଜ୍ୟ ରାଜନୀତିର ଜଣେ ଜଣାଶୁଣା ଚେହେରା । ଛାତ୍ର ଜୀବନରୁ ରାଜନୀତି ସହ ସଂଶ୍ଲିଷ୍ଟ ଥିବା ବାମଦେବ ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ଏପରିକି ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ କାମ କରିଛନ୍ତି । ଏପରିକି ନବନୀଙ୍କ ସହ ତାଙ୍କର ଘନିଷ୍ଠ ସର୍ମ୍ପକ ମଧ୍ୟ ରହିଥିଲା । ଯେଉଁଥିପାଇଁ ନବୀନ ନିଜେ ତାଙ୍କୁ ୨୦୦୪ରେ ଜଗତସିଂହପୁର ଲୋକସଭା ଆସନରେ ବିଜେଡି ପକ୍ଷରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ । ଏପରିକି ତାଙ୍କ ଟିକେଟ ମଧ୍ୟ ଫାଇନାଲ ହୋଇଯାଇଥିଲା । କିନ୍ତୁ ଟିକେଟ ଘୋଷଣା ପୂର୍ବରୁ ତାଙ୍କ ବିରୋଧରେ ହୋଇଥିଲା ସାଂଘାତିକ ଷଡ଼ଯନ୍ତ୍ର । ଏପରିକି ତାଙ୍କ ଟିକେଟ କାଟିବାକୁ ନବୀନଙ୍କ ନିକଟରେ ଫେରାଦ ହୋଇଥିଲେ କିଛି ନେତା । ବାମଙ୍କ କହିବା ଅନୁଯାୟୀ, ତାଙ୍କୁ ଟିକେଟ ଦେବା ପ୍ରସଙ୍ଗରେ ଯେତେବେଳେ ବଡ଼ଭାଇ ଦାମଙ୍କୁ ନବୀନ ପଚାରିଲେ ସେତେବେଳେ ସେ କହିଥିଲେ ମୋର ଚାକିରି ଅଛି । ଆଉ ଏହିଭଳି କହି ୨୦୦୪ରେ ପ୍ରଥମ ଥର ପାଇଁ ଟିକେଟ କାଟି ଦିଆଯାଇଥିଲା ।
ଟିକେଟ କଟିବା ପରେ ୨୦୦୯ରେ ଦାମ ଜିତି ଆସୁଥିବା ଏରସମା ନିର୍ବାଚନମଣ୍ଡଳୀ ଦୁଇଭାଗ ହୋଇଥିଲା । ବାଲିକୁଦା ସହ ଏରସମାର କିଛି ଅଂଶ ମିଶାଇ ନିର୍ବାଚନମଣ୍ଡଳୀ ଗଠନ ହୋଇଥିଲା । ଏରସମା ନିର୍ବାଚନମଣ୍ଡଳୀ ଭଙ୍ଗ ହେବା ପରେ ମୋତେ ସେଠାରେ ବିଜେଡିରୁ ପ୍ରାର୍ଥୀ କରିବାକୁ ସ୍ଥିର କରାଯାଇଥିଲା ।ଏପରିକି ସର୍ଭେରୁ ଯେଉଁ ରିପୋର୍ଟ ଆସିଥିଲା ସେଥିରେ ମୋର ଜିତିବା ସମ୍ଭାବନା ୯୫ ପ୍ରତିଶତ ରହିଥିଲା । କିନ୍ତୁ ସେଥିରେ ମଧ୍ୟ ବଡଭାଇ ଦାମ କେଁ ପୂରାଇଥିଲେ ବୋଲି କହିଛନ୍ତି ବାମ । ତାଙ୍କ କହିବା ଅନୁଯାୟୀ, ଜଗତସିଂହପୁର ପାଇଁ ବିଷ୍ଣୁ ଦାସ, ପାରାଦୀପ ପାଇଁ ଦାମୋଦର ରାଉତ ଓ ବାରବାଟୀ ଆସନ ପାଇଁ ଦେବାଶିଷ ସାମନ୍ତରାୟଙ୍କ ଟିକେଟ ଫାଇନାଲ ହେବା ପରେ ଏରସମାରେ କାହାକୁ ଟିକେଟ ଦିଆଯିବ ସେନେଇ ଆଲୋଚନା ହୋଇଥିଲା । ସେହି ସମୟରେ ଜିଲ୍ଲା ସଭାପତି ଥିବା ବିଷ୍ଣୁ ଦାସ ରଘୁନନ୍ଦନ ଦାସଙ୍କ ନାଁ ନେଇଥିବା ବେଳେ ଦାମ ବାବୁ କହିଥିଲେ ଏରସମା ଆସନରେ ପ୍ରାର୍ଥୀ ପାଇଁ ସେ ତାଙ୍କ ଲୋକଙ୍କୁ ଠିକ୍ କରି ସାରିଛି । ସମସ୍ତେ ଭାବିଥିଲେ ଦାମ ବାବୁ ସାନଭାଇ ବାମଙ୍କ ନାଁ ନେବେ । କିନ୍ତୁ ଏରସମାରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଶାନ୍ତ ମୁଦୁଲିଙ୍କ ନାଁ କହିଥିଲେ ଦାମ । ଏପରିକି ତାଙ୍କୁ ବିଜୟୀ କରାଇବେ ବୋଲି ଦାମ କହିଥିଲେ । କିନ୍ତୁ ନବୀନ ଯେତେବେଳେ ମୋ ଟିକେଟ କଥା ପଚାରିଲେ ସେତେବେଳେ ଦାମ ପରିବାରବାଦର ଉଦାହରଣ ରଖିଥିଲେ । ଏପରିକି ବିଜୁ ପଟ୍ଟନାୟକଙ୍କ ସମୟରେ ଆପଣ ଆସିଥିଲେ କି ବୋଲି ପ୍ରଶ୍ନ କରିଥିଲେ । ତେଣୁ ଗୋଟିଏ ପରିବାରରୁ ଦୁଇ ଜଣ କିପରି ଟିକେଟ ପାଇବେ ତାହା କହି ମୋର ଟିକେଟ କାଟି ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଥିଲେ । ସେତେବେଳେ ମଧ୍ୟ ମୁଁ ଚୁପ୍ ରହିଥିଲି ।
ଆଉ ଏସବୁ ଭିତରେ ୨୦୧୨ରେ ବିଜେପିରେ ଯୋଗଦେବାକୁ ତାଙ୍କୁ ଅଫର ଆସିଥିଲା । ଏନେଇ ବଡଭାଇ ଦାମଙ୍କୁ କହିବାରୁ ସେ କହିଥିଲେ ପୂର୍ବ ଥର ଏରସମାରେ ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଥିଲି । କିନ୍ତୁ ୨୦୧୪ ନିର୍ବାଚନରେ ତୁ ପ୍ରାର୍ଥୀ ହେବୁ ବୋଲି ବଡ଼ଭାଇ ଦାମ କହିଥିଲେ । ଏରସମାରେ ପଞ୍ଚାୟତ ନିର୍ବାଚନ କଥା ତୁ ବୁଝ । ପ୍ରଶାନ୍ତ ମୁଦୁଲି ଦେଇଥିବା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ହରା ବୋଲି ଦାମ ତାଙ୍କୁ କହିଥିଲେ । ତେବେ ଏଥିରେ ରାଜି ହୋଇନଥିଲି ଓ ବିଜେଡି ପ୍ରାର୍ଥୀଙ୍କୁ କିପରି ହରାଇବି ବୋଲି ପ୍ରଶ୍ନ କରିଥିଲି । କିନ୍ତୁ ପରେ ମୋ ହାତରେ ୫୦ ହଜାର ଟଙ୍କା ଦେଇ ତାଙ୍କର ଦୁଇ ସହଯୋଗୀଙ୍କ ସହ ମୋତେ ଏରସମା ପଠାଇଥିଲେ । ସେମାନେ ଯେଉଁ କର୍ମୀ ସମ୍ମିଳନୀକୁ ମୋତେ ନେଇଗଲେ ସେଠାରେ ମୁଁ ଭାଷଣ ଦେବାରୁ ମୋତେ ସନ୍ଧ୍ୟାରେ ବହିଷ୍କାର କରାଗଲା ବୋଲି ଜାଣିଲି । ପରେ ଜାଣିଲି ଯେଉଁ ପ୍ରାର୍ଥୀଙ୍କ କର୍ମୀ ସମ୍ମିଳନୀରେ ମୁଁ ଭାଷଣ ଦେଇଥିଲି ତାଙ୍କୁ ପ୍ରଶାନ୍ତ ମୁଦୁଲି ହରାଇବାକୁ ଚେଷ୍ଟା କରୁଥିଲେ ବୋଲି ଜାଣିଲି । ତେଣୁ ପ୍ରଶାନ୍ତଙ୍କ କଥାରେ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ଖବର ପାଇଲି । ଦୁଇ ଦିନ ପରେ ବଡଭାଇଙ୍କ ଘରକୁ ଯାଇଥିବା ବେଳେ କିଛି କର୍ମୀ ମାନେ ମୋତେ ଦଳରୁ କାହିଁକି ବହିଷ୍କାର କରାଗଲା ବୋଲି ଦାମଙ୍କୁ ପ୍ରଶ୍ନ ପଚାରିଥିଲେ । ସେତେବେଳେ ସେ କହିଥିଲେ, ମୁଁ ତ ଦଳରେ ଉପସଭାପତି ଅଛି । ସେ କେତେବେଳେ ଦଳକୁ ଆସିଲା । ଏହାଛଡା ସେ ଦଳରେ କଣ କେଞ୍ଚି ପକାଉଥିଲା କି ବୋଲି ଦାମ କହିଥିଲେ । ତେବେ ପରେ ଖବର ପାଇଲି ଯେ, ପୁଅର ରାଜନୈତିକ କ୍ୟାରିୟର ଗଢିବା ପାଇଁ ମୋ ବିରୋଧରେ ଚକ୍ରାନ୍ତ କରାଯାଇଥିଲା ।
ବହିଷ୍କାର ବାବଦରେ ଯେତେବେଳେ ନବୀନଙ୍କୁ ପଚାରିଲି ସେତେବେଳେ ସେ କହିଥିଲେ, ଆପଣଙ୍କୁ କିଏ ଦଳରୁ ବହିଷ୍କାର କରିଛି । ଆଉ ଏହାପରେ ବିଜେଡି ଓ ନବୀନଙ୍କ ସହ ମୁଁ ଯୋଗାଯୋଗରେ ଥିଲି । ଯେତେବେଳେ ୨୦୧୪ ନିର୍ବାଚନ ଆସିଲା । ସେତେବେଳେ ମଧ୍ୟ ମୋତେ ଟିକେଟ ଦେବାକୁ ଫାଇନାଲ କରାଯାଇଥିଲା । ଏପରିକି ସର୍ଭେରେ ମୋର ଜିତିବା ସମ୍ଭାବନା ମଧ୍ୟ ଅଧିକ ଥିଲା । କିନ୍ତୁ ଟିକେଟ ଘୋଷଣା ଦିନ ଦାମ ବାବୁଙ୍କର ଜଣେ ଖାସ୍ ଅନୁଗତ ଆସି ମୋତେ କହିଲେ, ଦାମ ବାବୁ କଥା ହୋଇଛନ୍ତି ତେଣୁ ଆପଣ ଯାଇ ସଙ୍ଗେ ସଙ୍ଗେ ନବୀନ ପଟ୍ଟନାୟକଙ୍କ ସହ କଥା ହୁଅନ୍ତୁ । ଏକଥା ଶୁଣିବା ପରେ ମୁଁ ନବୀନଙ୍କୁ ଦେଖା କରିବାକୁ ନବୀନ ନିବାସ ଯାଇଥିଲି । ତେବେ ସେଠାରେ ମୋତେ ଦୁଇଘଣ୍ଟା ଧରି ବସାଇ ରଖାଗଲା । ଏପରିକି ନବୀନଙ୍କ ସହ ଭେଟ କରାଗଲା ନାହିଁ । ଯେଉଁଥିପାଇଁ ମୁଁ ରାଗିକି ନବୀନ ନିବାସରୁ ଫେରି ଆସିଥିଲି ।ଆଉ ଏହାପରେ ନବୀନ ନିବାସର ମାଟି ମଧ୍ୟ ମାଡିନାହିଁ । ତେବେ ନିର୍ବାଚନ ପରେ ଖବର ପାଇଲି ଯେ, ସତକୁ ସତ ଦାମ ଭାଇ ସେଦିନ ନବୀନ ନିବାସ ଯାଇଥିଲେ । ନବୀନଙ୍କୁ କହିଥିଲେ, ମୋ ପୁଅ ମୋତେ ନ ପଚାରିକି ଆବେଦନ କରିଛି ।ତାକୁ ଟିକେଟ ଦେଲେ ସେ ମୋଟେ ଭୋଟ ପାଇବନି । ଆଉ ସାନଭାଇ ମଧ୍ୟ ଟିକେଟ ପାଇଁ ଆବେଦନ କରିଛି । ସେ ମଧ୍ୟ ସେଠାରେ ବେଶ ଲୋକପ୍ରିୟ । ତାକୁ ଟିକେଟ ଦେଲେ ବହୁ ଭୋଟରେ ଜିତିବ । କିନ୍ତୁ ତାକୁ ଟିକେଟ ଦେଲେ ଘରେ ବିଶୃଙ୍ଖଳା ହେବ । ଯେଉଁଥିପାଇଁ ମୋ ଟିକେଟ କଟିଥିଲା । କିନ୍ତୁ ସେହିଦିନ ଯଦି ମୋତେ ନବୀନଙ୍କ ସହ ମୋର ଭେଟ ହୋଇଥାନ୍ତା ତେବେ ମୁଁ ଟିକେଟ ନିଶ୍ଚିତ ପାଇଥାନ୍ତି ।
ଏପରିକି ଏରସମା ଓ ପାରାଦୀପ ଅଂଚଳରେ ସେ ହିଁ ସଂଗଠନ ତିଆରି କରିଥିବା ବାମଦେବ କହିଛନ୍ତି । ପଶୁଡାକ୍ତର ଚାକିରି କରିଥିବା ନିଜ ବଡଭାଇ ଦାମୋଦର ରାଉତ ରାଜନୀତିକୁ ଆସିବା ପାଇଁ ଇଚ୍ଚା ବ୍ୟକ୍ତି କରିବା ପରେ ସେ ହିଁ ତାଙ୍କୁ ପ୍ରଥମେ ରାଜନୀତିକୁ ଆଣିଥିବା କହିଛନ୍ତି । କିନ୍ତୁ ପରେ ଦାମଙ୍କ ଯୋଗୁଁ ହିଁ ତାଙ୍କୁ ଟିକେଟ ମିଳିନଥିଲା ଓ ସେ ରାଜନୀତିରେ ସଫଳ ହୋଇପାରିନଥିଲେ ବୋଲି କହିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଉତମ ସଂପର୍କ ସତ୍ୱେ ତାଙ୍କୁ ବିଜେଡି ଛାଡି ବିଜେପିକୁ ଯିବାକୁ ପଡିଥିଲା । କିନ୍ତୁ ଏବେ ଯଦି ମୁଖ୍ୟମନ୍ତ୍ରୀ ଚାହାଁନ୍ତି ତେବେ ସେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।