ଆକାଶ ମାର୍ଗରୁ ବାଲୁଖଣ୍ଡରେ ହରିଣ ଠାବ କରିବାକୁ ପ୍ରୟାସ : ଅଭୟାରଣ୍ୟରେ ଉଡିଲା ଡ୍ରୋନ, କିଛି ହରିଣଙ୍କ ଛବି ଉତ୍ତୋଳନ କଲା ଡ୍ରୋନ କ୍ୟାମେରା

109

କନକ ବ୍ୟୁରୋ : ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ବନବିଭାଗର ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛନ୍ତି ହରିଣ । କିଛି ଚିତ୍ରା ହରିଣ ଦଳ ହୋଇ ଏକାଠି ଅଭୟାରଣ୍ୟ ଭିତରେ ବିଚରଣ କରୁଛନ୍ତି । ଯାହା ବନବିଭାଗକୁ ଆଶ୍ୱସ୍ତ କରିଛି । ତେବେ ପ୍ରଶ୍ନ ଉଠୁଛି, ବାଲୁଖଣ୍ଡରେ ରହୁଥିବା ୪ ହଜାରରୁ ଅଧିକ ହରିଣ ସୁରକ୍ଷିତ ଅଛନ୍ତି ତ?

ଧ୍ୱସ୍ତ ବିଧ୍ୱସ୍ତ ବାଲୁଖଣ୍ଡ ଅଭୟାରଣ୍ୟରେ ବିଚରଣ କରୁଛନ୍ତି ଚିତ୍ରା ହରିଣ । ବନବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ବାଲୁଖଣ୍ଡର ଆକାଶମାର୍ଗରୁ ନିଆଯାଇଥିବା ଚିତ୍ର । ସାମୁଦ୍ରିକ ଝଡ ଫୋନି ପରେ ହଜି ଯାଇଥିବା କିଛି ହରିଣଙ୍କୁ ପୁଣି ଦେଖିବାକୁ ମିଳିଛି ଅଭୟାରଣ୍ୟରେ । କ୍ୟାମେରା ଟ୍ରାପ ଲଗାଇ ହରିଣଙ୍କ ଫଟୋଚିତ୍ର ପାଇବା ପରେ ଏବେ ଡ୍ରୋନ୍ କ୍ୟାମେରା ଦ୍ୱାରା ହରିଣ ଠାବ ହେବା ବନବିଭାଗକୁ ଆଶ୍ୱସ୍ତ କରିଛି । ଏହି ସର୍ଚ୍ଚ ଅପରେସନ କୋଣାର୍କ ବନଖଣ୍ଡରେ ମଧ୍ୟ କରାଯିବ ବୋଲି କହିଛନ୍ତି ବନ ଅଧିକାରୀ ।

ତେବେ ପ୍ରଶ୍ନ ଉଠୁଛି ବାଲୁଖଣ୍ଡରେ ରହୁଥିବା ୪ ହଜାରରୁ ଉର୍ଦ୍ଧ୍ୱ ହରିଣ ସୁରକ୍ଷିତ ଅଛନ୍ତି ତ? ବାତ୍ୟା ପରେ ଦୀର୍ଘ ଦଶ ଦିନ ଧରି ଦେଖା ଦେଇନଥିବା ଏହି ହରିଣ ଏବେ ଦେଖାଯିବା ପରେ ତାଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ଚେଷ୍ଟା କରୁଛି ବନବିଭାଗ । ଏପରକି ଥର୍ମୋ ସେନ୍ସର କ୍ୟାମେରା ମାଧ୍ୟମରେ ଅନ୍ୟ ହରିଣଙ୍କୁ ଠାବ କରିବାକୁ ପ୍ରୟାସ କରାଯିବ ବୋଲି ସ୍ଥିର କରିଛି ବନବିଭାଗ ।

ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ଭେଟନଇ ଅଂଚଳରୁ ବାଲୁଖଣ୍ଡକୁ କୃଷ୍ଣସାର ମୃଗ ଆଣିବାକୁ ଯୋଜନା କରିଥିଲେ ସରକାର । କିନ୍ତୁ ସେଠାରେ ଥିବା ଚିତ୍ରା ହରିଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ, ବାଲୁଖଣ୍ଡର ଜୈବ ବିବିଧତାକୁ ଫେରାଇଆଣିବା ପର୍ଯ୍ୟନ୍ତ ଏହି ସ୍ଥାନାନ୍ତରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ।