କନକ ବ୍ୟୁରୋ : ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଉ ମାତ୍ର ଦିନରେ ପରେ କଟକ ମହାନଦୀ ପଠା ହେବ ଲୋକାରଣ୍ୟ । ବାଲିଯାତ୍ରାକୁ ଶୃଙ୍ଖଳିତ ଏବଂ ଆକର୍ଷଣୀୟ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଇଛି । ତେବେ ଶେଷ ଦିନରେ କିଛି ବ୍ୟବସାୟୀ ପ୍ଲଟ୍ ନ ପାଇ ହତାଶ ହୋଇଛନ୍ତି । ରାମ ଦୋଳି ଠାରୁ ଆରମ୍ଭ କରି ମୀନାବଜାର ପର୍ଯ୍ୟନ୍ତ ସବୁ କିଛି ବାଲିଯାତ୍ରା ପଡିଆରେ ପସରା ମେଲାଇସାରିଲେଣି । କେବଳ ଅପେକ୍ଷା ବାଲିଯାତ୍ରାର ଆରମ୍ଭକୁ ।

 ବିଭିନ୍ନ ସହରର ପ୍ରସିଦ୍ଧ ଖାଦ୍ୟ ଷ୍ଟଲ ଗୁଡିକ ମଧ୍ୟ ପ୍ରସ୍ତୁତ ହୋଇଗଲାଣି । ବାଲିଯାତ୍ରା ଆରମ୍ଭ ହୋଇଗଲେ ପ୍ରତିସଂଧ୍ୟାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ଏସବୁ ଭିତରେ ସାଧାରଣ ଲୋକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି । କଟକ ଡିସିପି ବିଭିନ୍ନ ଥାନା ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ।

ବାଲିଯାତ୍ରାରୁ ବେଶ କିଛି ପଇସା ରୋଜଗାର କରିବା ଆଶାରେ ପ୍ରତିଥର ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ବାହାରରୁ ବ୍ୟବସାୟୀ ଆସିଛନ୍ତି । ତେବେ ଚଳିତ ଥର ଯାଗା ବଂଟନରେ ଅନିୟମିତତା ହୋଇଥିବା ଯୋଗୁଁ କେତେକ ବ୍ୟବସାୟୀ ଯାଗା ପାଇନଥିବା ଅଭିଯୋଗ କରିଛନ୍ତି । ତେବେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରାକୁ ଅପେକ୍ଷା କରିରହିଛନ୍ତ କଟକ ବାସୀ ।