ଭୁବନେଶ୍ୱରରେ ବାଲିଯାତ୍ରା ! କୁଆଖାଇ ନଦୀପଠାରେ ୧୫୦ ଏକର ଜାଗାରେ ଖୋଲିବ ବ୍ୟବସାୟର ପସରା

85

କନକ ବ୍ୟୁରୋ : କଟକର ଐତିହାସିକ ବାଲିଯାତ୍ରା । ବର୍ଷ ବର୍ଷ ଧରି ଓଡିଶାର ଐତିହ୍ୟ ଓ ପରମ୍ପରାକୁ ବଂଚାଇ ଆସିଛି । କଳିଙ୍ଗର ଇତିହାସ ତଥା ଗୌରବର ଗାଥାକୁ ପ୍ରତିବର୍ଷ ବଖାଣୁଛି କଟକର ବାଲିଯାତ୍ରା । ଏବେ ସେହି ବାଲିଯାତ୍ରା ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି । ଏନେଇ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ସରିଛି ।

ରାଜଧାନୀରେ ବାଲିଯାତ୍ରାର ଠିକଣା ହେବ, ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ଲକ୍ଷେଶ୍ୱର ମହାଦେବ ପୀଠ ତଥା କୂଆଖାଇ ନଦୀ ପଠା । ଏଭଳି ବିଶାଳ ଆୟୋଜନକୁ ବାସ୍ତବ ରୁପ ଦେଉଛି ଆମ ଯୁବ ମଂଚ । ଏଥିରେ ଏକାଠି ହୋଇଛନ୍ତି ୧୦ଟି ପଂଚାୟତର ପ୍ରାୟ ୭୨ଟି ଗାଁ । ଏହାଛଡା ଭୁବନେଶ୍ୱରର ୪୫ରୁ ଅଧିକ ପୂଜାମଣ୍ଡପ ଓ ଉତର ନିର୍ବାଚନ ମଣ୍ଡଳୀ ବି ଏଥିରେ ସହଯୋଗ କରିବାକୁ ହାତ ବଢାଇଛି ।

ରାଜଧାନୀର ଦ୍ୱାର ଦେଶରେ ଅବସ୍ଥିତ ବରିମୁଣ୍ଡ ଗ୍ରାମ ଓ କୂଆଖାଇ ନଦୀପଠାରେ ଅବସ୍ଥିତ ପ୍ରାୟ ୧୧୦୦ ବର୍ଷର ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣ ପଠାରେ ଅନୁଷ୍ଠିତ ହେବ ବାଲିଯାତ୍ରା । ପ୍ରାୟ ୧୫୦ ଏକରରୁ ଅଧିକ ପରିମିତ ନଦୀପଠାରେ ହେବାକୁ ଥିବା ଯାତ୍ରାରେ ପାଂଚଶହରୁ ଅଧିକ ଷ୍ଟଲ କରିବାକୁ ଆୟୋଜକ କମିଟି ସ୍ଥିର କରିଛନ୍ତି । ଫଳରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ରାଜଧାନୀରେ କଟକ ଭଳି ହେବ ବାଲିଯାତ୍ରା ।