ଏ ବର୍ଷ ହେବ ତ ବାଲିଯାତ୍ରା ! ମହାନଦୀ ପଠାରେ ଯାତ୍ରା ଆୟୋଜନକୁ ଏନଜିଟିର ଅଂକୁଶ

55

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଐତିହାସିକ ବାଲିଯାତ୍ରାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ପରିବେଶ ପ୍ରଦୂଷଣ ବନାମ ଉତ୍କଳୀୟ ସଂସ୍କୃତି । ଓଡିଆ ଜାତିର ପରମ୍ପରା ଉପରେ ଅଂକୁଶ ଲାଗିଛି । ଏଥର ମହାନଦୀ ପଠାରେ ବାଲିଯାତ୍ରା ଆୟୋଜନ ନେଇ ଦେଖାଦେଇଛି ଆଶଙ୍କା । ବାଲିଯାତ୍ରାକୁ ନେଇ କୈଫିୟତ ମାଗିଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ । ଯାହା ବିରୋଧରେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ ହୋଇଛି । ପରମ୍ପରା ପାଳନ ପାଇଁ ଆଇନର ଆଶ୍ରୟ ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ଯୁକ୍ତି, ତଳ ପଡିଆ ଉପରେ ଏନଜିଟିର କୌଣସି ନିୟନ୍ତ୍ରଣ ନାହିଁ ।

ବାଲିଯାତ୍ରା ବିବାଦର କେନ୍ଦ୍ରରେ ରହିଛି ତଳ ପଡିଆ । ଯେଉଁଠି ବାଲିଯାତ୍ରା ଆୟୋଜନ ନେଇ ପ୍ରଶ୍ନ ଉଠାଇଛି ଏନଜିଟି । ବାଲିଯାତ୍ରା ବେଳେ ମହାନଦୀ ପଠାରେ ବସେ ଶହ ଶହ ଷ୍ଟଲ୍ । ଏଥିସହ ଯାତ୍ରାର ମୁଖ୍ୟ ଆକର୍ଷଣ ମୀନା ବଜାର । କହିବାକୁ ଗଲେ ତଳ ପଡିଆ ବିନା ବାଲିଯାତ୍ରା ଆୟୋଜନ ଏକପ୍ରକାର ଅସମ୍ଭବ ।

ଉପର ପଡିଆରେ ଜାଗା କମ୍ ଥିବାରୁ ସେଠାରେ ଯାତ୍ରା ଆୟୋଜନ ହେଲେ ଦଳାଚକଟା ହେବାର ସମ୍ଭାବନା ଅଧିକ । ତେବେ ତଳ ପଡିଆ ନଦୀପଠାରେ ଥିବାରୁ ପ୍ରଦୂଷଣ ଏବଂ ନଦୀ ଶଯ୍ୟା ପୋତିହେବା ଦର୍ଶାଇ କୈଫିୟତ ମାଗିଛି ଏନଜିଟି । ୭ ଦିନ ଭିତରେ କଟକ ଜିଲ୍ଲାପାଳ, ଜଳ ସଂପଦ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଉତର ରଖିବାକୁ କୁହାଯାଇଛି ।

ଆସନ୍ତା ୧୪ତାରିଖରୁ ଆରମ୍ଭ ହେଉଛି ବାଲିଯାତ୍ରା । ମଝିରେ ଆଉ ମାତ୍ର ୧୨ ଦିନ । ଏଭଳି ସ୍ଥିତିରେ ପ୍ରଥମ ଦିନରେ କେବଳ ୪୫ଟି ପ୍ଲଟ ବଂଟନ ହୋଇଛି । ଏନଜିଟି ନୋଟିସ ପରେ ଏବେ ବନ୍ଦ ରହିଛି ପ୍ଲଟ୍ ବୁକିଂ ।